ତାଙ୍କ ଆବିର୍ଭାବ ହିଁ କୃପା
ଇଂ.ସଚ୍ଚିିଦାନନ୍ଦ ନନ୍ଦ : ବିଶ୍ୱନିୟନ୍ତା ଯୋଜନା ଅନୁଯାୟୀ ଏ ବିଶ୍ୱର ଅଣୁପରମାଣୁରେ ରହି, ସବୁ କଥା କିପରି ଠିକ୍ ଭାବରେ ପରିଚାଳିତ ହେବ । ସମସ୍ତ ସମସ୍ୟା ସମାଧାନ ହେବା ସଙ୍ଗେ ସଙ୍ଗେ ସେଥିରୁ ନିଷ୍ପନ୍ନ ହେଉଥିବା ଶିକ୍ଷା ଦ୍ୱାରା ମାନବ ସମାଜ କିପରି ଉପକୃତ ହେବ, ବ୍ୟକ୍ତିଗତ ସ୍ତରରୁ ସାମାଜିକ ଏବଂ ସାମାଜିକ ସ୍ତରରୁ ଗ୍ରହ ଗ୍ରହାନ୍ତର ବିଶ୍ୱସ୍ତର ପର୍ଯ୍ୟନ୍ତ ସବୁ କିଛି ଦୈବୀ ପରିକଳ୍ପନା ଅନୁସାରେ ସୁପରିଚାଳିତ ହେବ । ସେ ସବୁ ସଙ୍କଳ୍ପ ମାତ୍ରେ କାର୍ଯ୍ୟକାରୀ ହୋଇଥାଏ । ସମୟର ଆବଶ୍ୟକତା ଏବଂ ଭଗବତ୍ ଇଛା ଦ୍ୱାରା ବେଳେ ବେଳେ ସେହି ବିଶ୍ୱନିୟନ୍ତାଙ୍କୁ ନିର୍ଦ୍ଦିଷ୍ଟ ନାମ ରୂପ, ଆଞ୍ଚଳିକତା ତଥା ଭାଷାର ସଂକୀର୍ଣ୍ଣ ଗଣ୍ଡି ଭିତରେ ଜନ୍ମ ଲାଭ କରିବାକୁ ହୋଇଥାଏ । ଏ ସବୁ ସତ୍ତେ୍ୱ ତାଙ୍କ ଔଜଲ୍ୟ ଦିଗ ଦିଗ ପ୍ରସାରିତ ହୋଇ ଉପକୃତ ହେବାକୁ ଚାହୁଁଥିବା ତଥା ଚାହୁଁଥିବା ସମସ୍ତଙ୍କୁ ଜ୍ଞାନ, ଆନନ୍ଦ, ଭକ୍ତି ପ୍ରଦାନ କରି ସଂସ୍କାରିତ କରିଥାଏ ।
ବର୍ତ୍ତମାନର ସମାଜ କ'ଣ ବ୍ୟାସ, ବିଶିଷ୍ଠ, ବିଶ୍ୱାମିତ୍ରଙ୍କ ଅବଦାନର ସୁଫଳ ପାଇନାହିଁ ? ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା, ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା, ଗୁରୁ ନାନକ, ତୈଲଙ୍ଗନାଥ ସ୍ୱାମୀ, ଶ୍ରୀପାଦ ଶ୍ରୀ ବଲ୍ଲଭ ସ୍ୱାମୀ, ନରସିଂହ ସରସ୍ୱତୀ, ଅକଲକୋଟ ମହାରାଜ, ସନ୍ଥ ତୁକାରାମ, ସନ୍ଥ ଏକନାଥ, ସନ୍ଥଜ୍ଞାନେଶ୍ୱର, ଯୁକ୍ତେଶ୍ୱର ଗିରି, ତଥାଯୋଗାନନ୍ଦ ପରମହଂସ ପ୍ରଭୃତିଙ୍କ ଜୀବନ, ସାଧନା ତଥା ତାଙ୍କ ନୂତନ ଉଦ୍ଭାବକ ଦ୍ୱାରା ଉପକୃତ ହୋଇନାହିଁ ନା ହେଉନାହିଁ ? ସେହି ନିୟମ ଯୁଗକୁ ଯୁଗ ଗଡ଼ି ଗଡ଼ି ଆସୁଛି । ଆମ ସମୟର ଶିରିଡ଼ିବାବା, ଶିବାନନ୍ଦ ସରସ୍ୱତୀ, ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଠାକୁର ଅନୁକୂଳ ଚନ୍ଦ୍ର ଓ ତାଙ୍କ ପରେ ପରେ ଶ୍ରୀ ଅରବିନ୍ଦ, ଶ୍ରୀମା ଓ ସର୍ବୋପରି ସତ୍ୟସାଇ ଭଗବାନଙ୍କ ଆବିର୍ଭବ ପ୍ରତ୍ୟେକଙ୍କ ପ୍ରାଣକୁ ସମ୍ମୁନ୍ନତ, ସଂସ୍କାରିତ ତଥା ଆଧ୍ୟାତ୍ମିକ କରି ଚାଲିଛି । ଏହିଭଳି ଲକ୍ଷ ଲକ୍ଷ ସଂସ୍କାରିତ ବ୍ୟକ୍ତିଙ୍କ ଉପସ୍ଥିତି ଆମ ଅଞ୍ଚଳ ତଥା ଦେଶକୁ ନିଶ୍ଚିତ ଭାବେ ପ୍ରଭାବିତ କରୁଛି ଏବଂ ସାମାଜିକ ବିଶୃଙ୍ଖଳା ହ୍ରାସ କରାଉଛି । ଦେଶବାସୀଙ୍କ ଜୀବନ ନିର୍ବାହ ସାବଲୀଳ ହେଉଛି । ଏ ସମସ୍ତ ଦିବ୍ୟ ପୁରୁଷ ବର୍ତ୍ତମାନ ଉପସ୍ଥିତି ବି ଥିଲେ ମଧ୍ୟ ତାଙ୍କ ସ୍ୱୀୟ ଶକ୍ତି ବଳରେ ସାଧାରଣଲୋକଙ୍କୁ ଏଭଳି ପ୍ରଭାବିତ ଓ ଅନୁପ୍ରାଣିତ କରି ଦେଇ ପାରିଛନ୍ତି ଯେ ଶତାଧିକ ବର୍ଷ ଧରି ତାଙ୍କ ପ୍ରଦର୍ଶିତ ମାର୍ଗ ଶ୍ରଦ୍ଧାର ସହ ଅନୁସୃତ ହୋଇ ଆସୁଅଛି ।
କୃପା ଲାଭ କରିବାର ଯୋଗ୍ୟତା ହେଉଛି, ସମର୍ପଣ ଭାବ । ତେଣୁ ଅନ୍ତରରେ ସେହି ସଚେତନତା ରହୁ । ସମର୍ପିତ ହୋଇଗଲେ ହିଁ ଜଣାଯିବ ସମର୍ପଣ ଭାବ କ'ଣ ଓ କିଭଳି । ପୁସ୍ତକରେ ବର୍ଣ୍ଣିତ ତଥ୍ୟକୁ ଜୀବନରେ କରି ଦେଖାଇବାରେ କୃତ୍ରିମତା କହିଯିବ, ଫଳରେ ସମର୍ପଣ ଭାବ ନକଲି ହୋଇଯିବ । ଅନ୍ୟଜଣେ ଭକ୍ତ କିପରି ସମର୍ପଣ କରିଥିଲେ ତାହା ଅନୁକରଣ କରିହେବ ନାହିଁ । କରିବା ମଧ୍ୟ ଠିକ୍ ନୁହେଁ । ନିଜ ଅନ୍ତରରେ ଭାବ, ସୁସୁକ୍ଷୁତ୍ୱ, ଈଶ୍ୱର ପ୍ରେମରସ ଆସ୍ୱାଦନ କରିବା ପାଇଁ ବ୍ୟଗ୍ରତା, ଏବଂ ଭଗବତ କୃପା ପାଇଲେ ନାହିଁ ବୋଲି ଅନୁଭୂତ ଗ୍ଲାନି ହିଁ ଆମ ନିଜ ପାଇଁ ସମର୍ପଣର ନୂତନ ସଂଜ୍ଞା ଯୋଗାଇ ଦେବ । ତାହାହେବ ଆମ ପାଇଁ ଅସଲି । ନିଜ ହୃଦୟ ହେଉଛି ଭାବକ୍ଷେତ୍ର । ସେହି କ୍ଷେତ୍ରକୁ ଏଭଳି କର୍ଷଣ କରିବାକୁ ହେବ ଯେ ଭକ୍ତରୂପକ ଶରୀର ସହଜରେ ଏବଂ ପ୍ରଚୁର ପରିମାଣରେ ଉତ୍ପନ୍ନ ହେବ । ଏଥିପାଇଁ କ୍ଷେତରେ ଥିବା ଅନାବଶ୍ୟକ ଲଟାଗୁଳ୍ମକୁ ଉତ୍ପାଟନ କରିବାକୁ ପଡ଼ିଥାଏ । ମଣିଷ ହୃଦୟର ସେହିଭଳି ଅଦରକାରୀ, କ୍ଷତିକାରୀ, ଅଗ୍ରଗତିରେ ବାଧା ଦେଉଥିବା, ଅନାବନା ଜଙ୍ଗଲ ସୃଷ୍ଟି କରୁଥିବା ଇନ୍ଦ୍ରିୟ ସୁଖଇଛା, ଭୋଗ ବାଦିତା, ଅଧିକରୁ ଅଧିକ ସମ୍ପତ୍ତି କରାୟତ କରିବାର ଆଶା ପ୍ରଭୃତିକୁ ଦମନ କରି ପାରିଲେ ମଣିଷ ଏହି ଜୀବନରେ ମଧ୍ୟ ସୁଖ ଓ ଶାନ୍ତିର ସନ୍ଧାନ ପାଇପାରିବ, ଯାହା ଭଗବାନଙ୍କ ଆଶ୍ରୟ ନେବାର ପରିଣାମ । ସତ୍ୟସାଇ ଏ ସକଳ ଯୋଜନାକୁ ଅତି ସରଳ କରିଦେଇ ଯାଇଛନ୍ତି । ଦୁଇଟି କାମରେ ସବୁକିଛି ହୋଇଯିବ । ତାହାହେଉଛି ନାମ ସ୍ମରଣ ଓ ସେବା କାମ । ନାମକୁ ଭଲ ପାଇବାକୁ ହେବେ, ସେବାକୁ ଭଲ ପାଇବାକୁ ହେବ, ସେଥିରୁ ଆପେ ଆପେ ଆସି ଯାଉଛି ନାମକୁ ଭଲ ପାଇବା, ସେବାକୁ ଭଲ ପାଇବା, ସେବା ଭାବ ତଥା ଭକ୍ତିଭାବ ବଢ଼ାଇବା ଏତିକି କରିପାରିଲେ ସଠିକ୍ ଭାବେ କାରିପାରିଲେ, ଭଗବାନ ସ୍ୱୟଂ କିପରି ଧରାଦେବେ ସେହି ମାର୍ଗ ଭଗବାନ ବାବା ଦେଖାଇ ଦେଇ ଯାଇଛନ୍ତି । ତାଙ୍କ ମହାପ୍ରୟାଣ ଅବସରରେ ମାନ ସଙ୍କଳ୍ପ କରୁ ଦୀନ ହେବାକୁ । ଫଳରେ ଭଗବାନ ବନ୍ଧୁ ହିସାବରେ ଆମ ପ୍ରତି ତାଙ୍କ ଭୂମିକା ସଂପାଦନ କରିବେ । ଜୀବନର ସବୁ ଯାତ୍ରା କଷ୍ଟ ଦୂର ହୋଇଯିବ ତାଙ୍କ ଭଳି ବନ୍ଧୁଙ୍କ ସଙ୍ଗ ଲାଭ କରି । ସାଧନା ସହଜ ହୋଇଯିବ, ଗନ୍ତବ୍ୟ ଲକ୍ଷରେ ଉପନୀତ ହେବା ସମ୍ଭବ ହୋଇଯିବ । ଏ ଶରୀରର ଶେଷ ନିଃଶ୍ୱାସ, ଶରୀର ଧାରଣ କରିବାର ଉଦ୍ଦେଶ୍ୟକୁ ସାର୍ଥକ କରିବ ।
ଦୂରଭାଷ : ୯୪୩୭୫୧୧୨୩୦