‘ନୀଳଗିରି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ’ : ନୀଳଗିରି ଠାରୁ ମିତ୍ରପୁର ଯାଏଁ ଏକତା ପଦଯାତ୍ରା
ନୀଳଗିରି : ସାରା ଭାରତବର୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ପଦଯାତ୍ରାରେ ସହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀମାନେ ଭାଗ ନେଇ ପ୍ରାୟ ୯ କିମି ବାଟ ପଦଯାତ୍ରା କରିଥିଲେ । ଏଥିସହିତ ଛାତ୍ରଛାତ୍ରୀମାନେ ୧୦୦ ଫୁଟ ବିଶିଷ୍ଟ ତ୍ରିରଙ୍ଗା ପତାକା ଧରି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ନୀଳଗିରି ଜନଶକ୍ତି...
ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀଳଗିରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ପୋଲିସ ପଡ଼ିଆ ଠାରେ ଆୟୋଜିତ ସ୍ୱାଧୀନତା ସଂଗ୍ରାମରେ ବାଲେଶ୍ୱର ଜିଲ୍ଲାର ଭୂମିକା ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନୀ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ସଭାକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏହି ଏକତା ପଦଯାତ୍ରା କେବଳ ଏକ ସାଧାରଣ ପଦଯାତ୍ରା ନୁହେଁ, ଏହା ଭାରତୀୟତାର ପ୍ରତୀକ, ଦେଶକୁ ଏକ ରଖିବା ପାଇଁ ସାଧାରଣ ନାଗରିକଙ୍କ କର୍ତ୍ତବ୍ୟର ପ୍ରତୀକ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୀଳଗିରି, କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ, ଏହା ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ । ନୀଳଗିରି ପ୍ରଜା ଆନ୍ଦୋଳନ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଏକ ଅଦ୍ୱିତୀୟ ଅଧ୍ୟାୟ, ଯାହା ଶୋଷଣ ବିରୋଧରେ, ଅନ୍ୟାୟ ବିରୋଧରେ ଏବଂ ଅଧିକାର ପାଇଁ ପ୍ରଜାଙ୍କ ମିଳିତ ସ୍ୱରର "ଏକତା’ର ଗାଥା କୁହେ । ବ୍ରିଟିଶ ବିରୋଧୀ ଆନ୍ଦୋଳନର ପ୍ରଭାବରେ, ନୀଳଗିରିରେ ସ୍ଥାନୀୟ ଯୁବକ, କୃଷକ, ଶ୍ରମିକ, ଶିକ୍ଷିତ ଲୋକେ ଏକତାବଦ୍ଧ ହୋଇଥିଲେ ।
ନୀଳଗିରି ପ୍ରଜା ଆନ୍ଦୋଳନର ପରିଣାମ କେବଳ ରାଜ୍ୟ ଅଧିକାର ନୁହେଁ, ପ୍ରଜାଙ୍କ ଆତ୍ମସମ୍ମାନ, ମର୍ଯ୍ୟାଦା ଏବଂ ଲୋକତନ୍ତ୍ରୀୟ ଚେତନାର ବିଜୟ ଥିଲା । ଆଜିର ଏହି ଗଣ ପଦଯାତ୍ରା ଆମକୁ ସେହି "ଭିନ୍ନତାରେ ଏକତାର’ ସନ୍ଦେଶ ଦେଉଛି । ଆମ ସରକାର ଯୁବ ବର୍ଗଙ୍କ କଲ୍ୟାଣ ପାଇଁ ନିଯୁକ୍ତି ଠାରୁ ଆରମ୍ଭ କରି ଶିକ୍ଷା, ଖେଳକୁଦ, କ୍ରିଏଟିଭିଟି ପାଇଁ ନୂତନ ସୁଯୋଗ ସରକାର କାର୍ଯ୍ୟକାରୀ କରୁଛନ୍ତି । ମୋଦୀଜୀଙ୍କ ମନ୍ତ୍ର, ଦେଶର ଚାରିବର୍ଗ ଅର୍ଥାତ୍ ‘କୃଷକ, ଗରିବ, ମହିଳା ଏବଂ ଯୁବା’ ଭିତରେ ଯୁବ ଗୋଷ୍ଠୀ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରନ୍ତି । ତେଣୁ ଆମ ସରକାର ବି ମୋଦୀ ଜୀଙ୍କର ଏହି ଭାବନାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯାହାସବୁ ସମ୍ଭବ, କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ କରୁଛନ୍ତି ମଧ୍ୟ । ଏହି ଅବସରରେ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି, ଆମେ ସମସ୍ତେ ମିଳିମିଶି ସଂଘବଦ୍ଧ ହୋଇ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଓ ଭାରତ ଗଢ଼ିବାରେ ଲାଗି ପଡ଼ିବା ।
ଏହି ପଦଯାତ୍ରା ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତିଯେ, ଆଜିର ଯୁଗ ହେଉଛି ଶିକ୍ଷା ଓ ଜ୍ଞାନର ଯୁଗ । ଆମ ଯୁବ ସମାଜକୁ ଦେଶ ଗଢ଼ିବାରେ ନେତୃତ୍ୱ ଦେବାକୁ ଆଗେଇ ଆସିବା ଆବଶ୍ୟକ । ଆଜିର ଏକତା ପଦଯାତ୍ରା ସେହି ଯୁବସମାଜକୁ ଆଗେଇ ଆସିବାକୁ ଆହ୍ୱାନ । ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଧନ୍ୟବାଦ ଦେଇଥିଲେ ।