ଅକ୍ଷୟତୃତୀୟା ପୂର୍ବରୁ ସରିବ ଗଣତିମଣତି

ଅକ୍ଷୟତୃତୀୟା ପୂର୍ବରୁ ସରିବ ଗଣତିମଣତି
  • ଶ୍ରୀମନ୍ଦିରକୁ ଆସିବ ଏମାର ଇଟା 
  • ସୁନାବେଶର ଆଉ ଏକ ସେଟ୍‌ ପାଇଁ ଖର୍ଚ୍ଚ ହେବ ୧୦୪ କୋଟି

ପୁରୀ : ଅଧିକ ନୀତି ନଥିବା ଦିନମାନଙ୍କରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କରାଯିବ । ଅକ୍ଷୟତୃତୀୟା ପୂର୍ବରୁ ଗଣତିମଣତି ଶେଷ କରିବାକୁ ଲକ୍ଷ୍ୟ ରହିଛି । ସେହିପରି ଏମାର ମଠରୁ ଉଦ୍ଧାର କରାଯାଇଥିବା ରୂପା ଇଟା ଶ୍ରୀଜଗନ୍ନାଥ ମନ୍ଦିର ଅଧୀନକୁ ଅଣାଯିବା ଲାଗି ପ୍ରୟାସ ଆରମ୍ଭ ହୋଇଥିବା ବୈଠକରୁ ସୂଚନା ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଅନୁଷ୍ଠିତ ୧୪ଗୋଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପରିଚାଳନା କମିଟି ବୈଠକ । ବୈଠକରେ ୫ଟି ବିଷୟବସ୍ତୁ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ଼ଃ.ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ମହାପ୍ରଭୁଙ୍କ ସୁନାବେଶର ଆଉ ଗୋଟିଏ ସେଟ୍‌ ଅଳଙ୍କାର ପ୍ରସ୍ତୁତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଅର୍ଥ ସବ୍‌କମିଟିରେ ବଜେଟ ରଖାଯାଇଛି । ୧୦୪ କୋଟି ଟଙ୍କାର ବଳକା ବଜେଟ୍‌ ହୋଇଛି । ବାହାର ରତ୍ନଭଣ୍ଡାରର ଦ୍ୱାର ରୂପା ଛାଉଣୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।


    ସେ କହିଥିଲେଯେ, ପୁରୀରେ ବିଭିନ୍ନ ଏଟିଏମ୍‌ରେ ଶ୍ରୀମନ୍ଦିରକୁ ଦାନ କରିବା ପାଇଁ  ଭକ୍ତଙ୍କୁ ମେସେଜ ଯିବ । ଶ୍ରୀଗୁଣ୍ଡିଚା ମନ୍ଦିର ଖୁବ୍‌ଶୀଘ୍ର ଭକ୍ତଙ୍କ ଲାଗି ଖୋଲାଯିବ । ଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ପରିଚାଳନା କରିବ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଜମିଜମା ସଂପର୍କରେ ମଧ୍ୟ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ନାଟମଣ୍ଡପରେ ଭକ୍ତଙ୍କ ଧାଡ଼ି ଦର୍ଶନ ଉପରେ ଆଲୋଚନା କରାଯାଇଛି । ନାଟମଣ୍ଡପରେ ପ୍ରସ୍ତୁତ ବ୍ୟାରିକେଡ଼କୁ ପୁନଃ ସମୀକ୍ଷା କରାଯିବ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ କଡ଼ାକଡ଼ି ହେବ । ମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ଦର୍ଶନ ଲାଗି ମଧ୍ୟ ବୈଠକରେ ଆଲୋଚନା ହୋଇଛି । 


   ଇସ୍କନର ଅଦିନିଆ ରଥଯାତ୍ରା ଉପରେ ଆଲୋଚନା କରାଯାଇଛି । ଇସ୍କନ୍‌ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସ୍ନାନଯାତ୍ରା ସଠିକ୍‌ ସମୟରେ କରିବାଲାଗି ପତ୍ର ଲେଖାଯାଇଛି । ଶ୍ରୀମନ୍ଦିର ସେବାୟତମାନଙ୍କ ପାଇଁ ଗୁରୁକୁଳ ପ୍ରତିଷ୍ଠା ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା । ସେବାୟତ କଲ୍ୟାଣ ପାଣ୍ଠି ନେଇ ପେନ୍‌ସନ୍‌ ରାଶି ବୃଦ୍ଧି କରାଯାଇଛି । ବରିଷ୍ଠ ସେବାୟତମାନଙ୍କୁ ୫ ହଜାର ଟଙ୍କା ପେନ୍‌ସନ୍‌ ରାଶି ମିଳିବ । ସେବାୟତ ଘରର କନ୍ୟାମାନଙ୍କ ବିବାହ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୧ଲକ୍ଷ ଟଙ୍କା ଅନୁଦାନ ଦେବ । ଶ୍ରୀମନ୍ଦିର ସୁରକ୍ଷା ନେଇ ବୈଠକରେ ବିଧିବଦ୍ଧ ଆଲୋଚନା କରାଯାଇ କେତେକ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟ ପ୍ରଶାସକ ଡ଼ଃ. ପାଢୀ ପ୍ରକାଶ କରିଥିଲେ । 


    ସେ କହିଥିଲେ ପୁରୀବାସୀଙ୍କ ଶୃଙ୍ଖଳିତ ସହଜ ଦର୍ଶନ ଲାଗି ସ୍ୱତନ୍ତ୍ର ଗାଇଡ଼ଲାଇନ୍‌ ପ୍ରସ୍ତୁତ କରାଯିବ । ସହରବାସୀଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଜିଲ୍ଳାପାଳ, ଏସ୍‌ପି, ବିଭିନ୍ନ ନିଯୋଗ ସହ ଆଲୋଚନା କରି ନିଷ୍ପତ୍ତି ନେବେ । ଅକ୍ଷୟତୃତୀୟ ପୂର୍ବରୁ ଗଣତିମଣତି ଶେଷ କେରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ୱ ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସ୍‌.ପି ପ୍ରତୀକ ସିଂ, କମିଟି ସଦସ୍ୟ ମହନ୍ତ ରଘୁବୀର ଦାସଜୀ ମହାରାଜ, ମଧୁସୂଦନ ସିଂହାରୀ, କୃଷ୍ଣଚନ୍ଦ୍ର ସାମନ୍ତରା, ଜଗନ୍ନାଥ ପୂଜାପଣ୍ଡା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।