ଶ୍ରୀମନ୍ଦିରରେ ଦେବ ଦୀପାବଳି : ବଡଦାଣ୍ଡରେ ଜଳିଲା ଏକ ଲକ୍ଷ ଦୀପ
ପୁରୀ : ଗୁରୁବାର ସନ୍ଧ୍ୟାରେ ବଡ଼ଦାଣ୍ଡ ହୋଇଉଠିଥିଲା ଦୀପମୟ । ଶ୍ରୀମନ୍ଦିରରେ ତିନିଦିନ ଧରି ଚାଲିଥିବା ଦେବଦୀପାବଳି ପର୍ବର ଗୁରୁବାର ଥିଲା ଦ୍ୱିତୀୟ ଦିବସ । ଦେବଦୀପାବଳି ଅବସରରେ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଏବଂ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରାଯାଇଥିଲା । ସିଂହଦ୍ୱାର ସମ୍ମୁଖରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ବିଭିନ୍ନ ସ୍ଥାନରେ ସୁନ୍ଦର ଦୀପମାନ ଝୋଟି ଉପରେ ପ୍ରଜ୍ଜ୍ୱଳିତ କରାଯାଇଥିଲା । ଶରଧାବାଲି ସ୍ଥିତ ମୁକ୍ତାକାଶ ରଂଗମଞ୍ଚରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଶ୍ରୀମନ୍ଦିରରେ ଗତ କାଲି ଠାରୁ ଆରମ୍ଭ ହୋଇଛି ଦେବଦୀପାବଳି । ମହାପ୍ରଭୁ ସାଧାରଣ ମଣିଷ ଭଳି ନିଜର ପିତାମାତାଙ୍କ ଉଦ୍ଦେଶ୍ୟରେ ତିନି ଦିନ ଧରି ଶ୍ରାଦ୍ଧ ଦେବା ସହ ଦୀପଦାନ କରିଥାନ୍ତି । ଏହି ମହାନ୍ ପରମ୍ପରାରେ ସାମିଲ ହୋଇଛନ୍ତି ସାଧାରଣ ଶ୍ରଦ୍ଧାଳୁ । ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ମହାପ୍ରଭୁ ଦୀପଦାନ କରିଥାନ୍ତି । ଅଦିତି, କଚ୍ଛପ, ଦଶରଥ, କୌଶଲ୍ୟା, କୈକେୟୀ, ସୁମିତ୍ରା, ନନ୍ଦ-ଯଶୋଦା, ବସୁଦେବ-ଦେବକୀ ଓ ରାଜା ଇନ୍ଦ୍ରଦ୍ୟୁମ୍ନ-ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେଦୀପଦାନ କରାଯାଇଥାଏ । ମହାପ୍ରଭୁ ତିନିଦିନ ଯାକ ନିଜ ସହଧର୍ମିଣୀମାନଙ୍କ ସହ ପିତାମାତାଙ୍କ ସ୍ମୃତିରେ ଦେବଦୀପାବଳି ପାଳନ କରିଥାନ୍ତି ।