ରାଜ୍ୟରେ ନାରୀ ଅସୁରକ୍ଷିତ

ରାଜ୍ୟରେ ନାରୀ ସୁରକ୍ଷିତ ନୁହନ୍ତି : ବିରୋଧୀ ଦଳ 
ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉଛି : ପୃଥ୍ୱୀରାଜ
ଗୃହରୁ କକ୍ଷତ୍ୟାଗ କଲେ ବିଜେଡ଼ି ଓ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ନାରୀ ଅସୁରକ୍ଷିତ । ସରକାର ନୀରବଦ୍ରଷ୍ଟା । ଗତବର୍ଷ ଜୁନରୁ ୨୦୨୫ ଜୁଲାଇ ମାସ ମଧ୍ୟରେ ରାଜ୍ୟରେ ୨୯୩୩ ଦୁଷ୍କର୍ମ, ୮୨୭୦ ଅପହରଣ ମାମଲା ପଞ୍ଜୀକୃତ ହୋଇଛି। ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ। ବିରୋଧୀମାନେ ଏଭଳି ଭାବେ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ । ଅପରପକ୍ଷରେ ମୁଲତବୀ ଆଲୋଚନାର ଉତ୍ତର ରଖି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିରୋଧୀଙ୍କୁ ନିଶାନା ସାଧିଥିଲେ । ଏହି ପ୍ରସଙ୍ଗରେ ବିରୋଧୀ ରାଜନୀତି କରି ଓଡ଼ିଶାକୁ ବଦନାମ୍‌ କରନ୍ତୁ ନାହିଁ । ପୂର୍ବ ସରକାର ତୁଳନାରେ ଅପରାଧ କମିଛି । ପୁଲିସ୍‌ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ସହ ଦଣ୍ଡବିଧାନ ହାର ବଢ଼ିଛି । ସେପଟେ ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ୭୨ ପୁଲିସ୍‌ ନିୟୋଜିତ କରିଥିବାବେଳେ ଏବେ ଆମ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେତିକି ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ।


     ମୁଲତବୀ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ କହିଲେ, କାଲିମେଳା ଏମଭି-୬୨ ଗାଁରେ ୩ ନାବାଳିକା ନିର୍ଯାତନାର ଶିକାର ହୋଇଛନ୍ତି । ଖାଲି ସେତିକିନୁହେଁ, ନୀଳଗିରି, ସୋର, ଢେଙ୍କାନାଳ ଭଳି ଅନେକ ସ୍ଥାନରେ ମହିଳାଙ୍କ ଉପରେ ଅତ୍ୟାଚାର ଘଟିଛି । ସରକାରୀ ତଥ୍ୟ ଅନୁସାରେ ୨୦୨୪ ଜୁନରୁ ୨୦୨୫ ଜୁଲାଇ ମାସ ମଧ୍ୟରେ ରାଜ୍ୟରେ ୨୯୩୩ ଦୁଷ୍କର୍ମ, ୮୨୭୦ ଅପହରଣ ମାମଲା ପଞ୍ଜୀକୃତ ହୋଇଛି । ଏଥିରୁ ବିଜେପି ସରକାର ମହିଳାଙ୍କ ପ୍ରତି କିଭଳି ଉଦାସୀନ ତାହା ସ୍ପଷ୍ଟ ହୋଇଛି । କଂଗ୍ରେସ ଶାସନ ସମୟରେ ନୈତିକତା ଦୃଷ୍ଟିରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ସରକାର ଏଭଳି ଉଦାହରଣ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ । ବିଧାୟକ ମଙ୍ଗୁ ଖିଲ ଆଲୋଚନାରେ ଭାଗ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ବିଜେଡି ସଭ୍ୟ ଗୌତମବୁଦ୍ଧ ଦାସ କହିଲେ, ୩ଜଣ ଶିଶୁଙ୍କୁ ଯୌନ ଉତ୍ପୀଡନ ଦିଆଯାଇଛି । ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ହାଲୁକା ଭାବେ ନେଉଛନ୍ତି। କେବଳ କାଲିମେଳା ନୁହେଁ, ସାରା ରାଜ୍ୟରେ ଏଭଳି ବୀଭତ୍ସ ଚିତ୍ର ଦେଖିବାକୁ ମିଳୁଛି। ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। 


  ଶାସକ ଦଳ ପକ୍ଷରୁ ବିଧାୟକ ନରସିଂହ ମାଡ଼କାମୀ କହିଲେ, ବିଗତ ଦିନର ସରକାର ସମୟରେ ମହିଳା ଅତ୍ୟାଚାର ଅଭିଯୋଗ ଆସିଲେ ମାମଲା ରୁଜୁ ହେଉନଥିଲା । ଆଜିର ସରକାର ସମୟରେ ତୁରନ୍ତ ଦଣ୍ଡବିଧାନ ପାଇଁ ପଦକ୍ଷେପ ନିଆଯାଉଛି । ବିଧାୟକ ବାବୁ ସିଂ କହିଲେ, ପୂର୍ବ ସରକାରମାନେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିଲେ । ବର୍ତ୍ତମାନ ସରକାରରେ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯାଉନି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆଯାଉଛି । ଇରାଶିଷ ଆଚାର୍ଯ୍ୟ ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିଥିଲେ । 


    ମୁଲତବୀ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ, କାଲିମେଳା ଘଟଣାରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାକୁ ଆଦୌ ହାଲୁକା ଭାବେ ନିଆଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ମାମଲା ରୁଜୁରେ ଲୋକଙ୍କୁ ସହଯୋଗ କରୁଛନ୍ତି । ସେଥିପାଇଁ ଭୟମୁକ୍ତ ହୋଇ ଲୋକେ ଥାନାକୁ ଆସି ଏତଲା ଦେଉଛନ୍ତି । ୬୪୯ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲିଛି । ୭୧ଟି ଶିଶୁ ଅନୁକୂଳ ଥାନା କାମ କରୁଛି । ଜଘନ୍ୟ ମାମଲାରେ ତ୍ୱରିତ ତଦନ୍ତ ଓ ବିଚାର ପାଇଁ ପଦକ୍ଷେପ ନିଆଯାଉଛି । ମହିଳା ସୁରକ୍ଷା ନେଇ ସରକାର ଜିରୋ ଟଲେରାନ୍ସ ନୀତି ପାଳନ କରୁଛନ୍ତି । ମାଲକାନଗିରି କାଲିମେଳା ଘଟଣାରେ ଗତ ୨୫ ତାରିଖ ସନ୍ଧ୍ୟାରେ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରାଗଲା । ୨୬ ତାରିଖରେ ଅଭିଯୁକ୍ତକୁ ଗିରଫ କରାଗଲା । ନୂଆ ସରକାର ଆସିବା ପରେ ନାରୀ ନିର୍ଯାତନା ମାମଲାରେ ଦଣ୍ଡବିଧାନ ହାର ବଢ଼ିଛି । ପୋକସୋ ମାମଲାର ଦଣ୍ଡବିଧାନ ହାରରେ ଓଡ଼ିଶା ଏବେ ବହୁ ଆଗରେ । ୨୦୨୪ ଜୁଲାଇରୁ ୨୦୨୫ ସେପ୍ଟେମ୍ବର ଶେଷ ସୁଦ୍ଧା ମହିଳାମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନେଇ ରାଜ୍ୟରେ ପ୍ରାୟ ୪୧ ହଜାର ମାମଲା ପଞ୍ଜୀକୃତ ହୋଇଛି । ସରକାର ବଦଳିବା ପରେ ରାଜ୍ୟରେ ଦୁଷ୍କର୍ମ ମାମଲା ୩.୩%, ଅସଦାଚରଣ ମାମଲା ୧.୯%, ଯୌତୁକ ନିର୍ଯତନା ୭.୨%, ଯୌତୁକଜନିତ ହତ୍ୟା ମାମଲା ୨୦.୬%, ଏସିଡ ଆକ୍ରମଣ ୬୬.୭%, ମହିଳା ଚାଲାଣ ମାମଲା ୨୪.୧% ହ୍ରାସ ପାଇଛି ବୋଲି ସେ କହିଥିଲେ  ।