ଓଡ଼ିଶା ପୂର୍ବ ଭାରତର ଏମ୍‌ଏସ୍‌ଏମ୍‌ଇ ଗେଟ୍‌ ୱେ

 ଓଡ଼ିଶା ପୂର୍ବ ଭାରତର ଏମ୍‌ଏସ୍‌ଏମ୍‌ଇ ଗେଟ୍‌ ୱେ

 ଭୁବନେଶ୍ୱର : ଆଜି ସ୍ଥାନୀୟ ରେଳ ସଦନ ଠାରେ ଲଘୁ ଉଦ୍ୟୋଗ ଭାରତୀ ଓଡ଼ିଶା ଦ୍ୱାରା ଆୟୋଜିତ ‘ଓଡିଶା ଶିଳ୍ପ ସମ୍ମିଳନୀ : ୨୦୨୫’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେଯେ, ଏହି ସମାବେଶ ଆମର ଏମଏସଏମଇ କ୍ଷେତ୍ରରେ ଔଦ୍ୟୋଗୀକତା ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।


      ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ବିପୁଳ ସମ୍ଭାବନାରେ ପରିପୂର୍ଣ୍ଣ ଆମ ରାଜ୍ୟ, ଆଜି ଏମଏସଏମଇ କ୍ଷେତ୍ରରେ ଭାରତର ସବୁଠାରୁ ଆକର୍ଷଣୀୟ ରାଜ୍ୟ ଭାବରେ ଉଭା ହୋଇପାରିଛି । ଓଡିଶାର ସାଢେ ୪ କୋଟି ଲୋକଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ଯୋଗୁଁ ଏହି ପରିବର୍ତ୍ତନ ଆସିପାରିଛି । ଗତ କିଛି ବର୍ଷ ମଧ୍ୟରେ, ଆମେ ଓଡିଶାରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛୁ । ଆମର ଗୋ ସ୍ୱିଫ୍ଟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ମାସ ମାସ ନୁହେଁ, ବରଂ ଗୋଟିଏ ଦିନରେ ମଧ୍ୟ ପ୍ରକଳ୍ପ ଅନୁମୋଦିତ ହେଉଛି । ଚଳିତ ବର୍ଷ ଭିତ୍ତିଭୂମି ନିର୍ମାଣ ପାଇଁ ଆମ ରାଜ୍ୟ ଏଊଚର ୬.୧ ପ୍ରତିଶତ ବିନିଯୋଗ କରାଯାଇଛି, ଯାହାକି ଭାରତରେ ସର୍ବାଧିକ ।


     ଓଡ଼ିଶାର ଶିଳ୍ପାୟନର ଏହି ଯାତ୍ରାରେ ଲଘୁ ଉଦ୍ୟୋଗ ଭାରତୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୯୮୦ରୁ ଅଧିକ ଶିଳ୍ପ ୟୁନିଟ୍‌କୁ ସହାୟତା କରିବା, ନିଯୁକ୍ତି ସୃଷ୍ଟି କରିବା, ଉଦ୍ୟୋଗୀଙ୍କୁ ସହାୟତା ଦେବା ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟରେ ନିଜର ଯୋଗଦାନ ଦେବାରେ ଏହି ଅନୁଷ୍ଠାନର ପ୍ରୟାସ, ବିଶେଷ ପ୍ରଶଂସାର ପାତ୍ର । ସାରା ବିଶ୍ୱରେ ୯୦% ବ୍ୟବସାୟ ଏବଂ ସମସ୍ତ ନିଯୁକ୍ତିର ୫୦%, ଲଘୁ ଶିଳ୍ପ କ୍ଷେତ୍ରରେ ହିଁ ଉପଲବ୍‌ଧ ହୋଇଥାଏ । ବର୍ତ୍ତମାନ ବଜାରର ୧୦ଟି ଆନୁଷ୍ଠାନିକ କ୍ଷେତ୍ରର ନିଯୁକ୍ତି ମଧ୍ୟରୁ ୭ଟି ଲଘୁ ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାରୁ ଆସୁଛି । ତେଣୁ ଲଘୁ ବ୍ୟବସାୟଗୁଡିକ କେବଳ ଅର୍ଥନୀତିରେ ଅବଦାନ ରଖନ୍ତି ନାହିଁ ବରଂ ସେମାନେ ଅର୍ଥନୀତିକୁ ସମୃଦ୍ଧ କରିଥାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେଯେ, ଓଡିଶା କଠିନ ପରିଶ୍ରମ, ନବସୃଜନ ଏବଂ ଉଦ୍ୟୋଗର ଏକ ରାଜ୍ୟ । ‘ଲଘୁ ଉଦ୍ୟୋଗ ଭାରତୀ’ ଭୁବନେଶ୍ୱରରେ ଏକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଏହା ଜିଲ୍ଲାସ୍ତରରେ, ତୃଣମୂଳସ୍ତରରେ ଏବଂ ଉଦ୍ୟୋଗ ସ୍ତରରେ ଶିଳ୍ପ-ସରକାରୀ ସହଯୋଗକୁ ଆହୁରି ଦୃଢ଼ କରିବ । ଆମ ସରକାରର ପ୍ରମୁଖ କାର୍ଯ୍ୟକ୍ରମ, "ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ - ଏକ ସ୍ଳୋଗାନ୍‌ ନୁହେଁ । ଏହା ଏକ ପ୍ରତିଶ୍ରୁତି । ଆମେ ଚାହୁଁଛୁଯେ, ଓଡ଼ିଶା ପୂର୍ବ ଭାରତର ଏମଏସଏମଇ ଗେଟ୍‌ ୱେ ଭାବରେ ଉଭା ହେଉ ।

      ଶେଷରେ ଓଡିଶାର ଏମଏସଏମଇ କ୍ଷେତ୍ରରେ ସଫଳତା  ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପିପିଲି, ରଘୁରାଜପୁର, ସମ୍ବଲପୁର ଏବଂ ଗୋପାଳପୁରର ଆମର କାରିଗରମାନେ ସାରା ବିଶ୍ୱରେ ଜଣାଶୁଣା । ଆମର ଯୁବପିଢ଼ି ଆଇଟି, ଆନିମେସନ୍‌, ଫିନଟେକ୍‌ ଏବଂ ଷ୍ଟାର୍ଟଅପରେ ଉତ୍କର୍ଷ ହାସଲ କରୁଛନ୍ତି । ଆମର ମହିଳା ନେତୃତ୍ୱାଧୀନ ଏସଏଚଜି ବିଶ୍ୱସ୍ତରୀୟ ଉତ୍ପାଦ ରପ୍ତାନି କରୁଛନ୍ତି । ସୁଭଦ୍ରା ଯୋଜନା ଆଜି ପ୍ରତ୍ୟେକ ଘରେ ଆଦୃତ । ଏହା ଗରିବ, ବିଶେଷ ଭାବେ ଗ୍ରାମାଞ୍ଚଳର ମହିଳାଙ୍କୁ ନୂଆ ସମ୍ଭାବନାର ରାସ୍ତା ଦେଖାଉଛି । ସୁଭଦ୍ରା ଯୋଜନା ଏକ ସହାୟତା ଯୋଜନା ନୁହେଁ । ଏହା ହେଉଛି, ମା’ମାନଙ୍କୁ ଛୋଟ ଛୋଟ ବ୍ୟାପାର ଜରିଆରେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ୱୀ କରିବା । ସମାଜରେ ଓ ପରିବାରରେ ସେମାନଙ୍କ ମର୍ଯ୍ୟାଦା ବୃଦ୍ଧି କରିବା । ଆଜି ଏହି ଯୋଜନା ଯୋଗୁଁ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି । ଆଗାମୀ ଦିନରେ ଆମ ରାଜ୍ୟରେ ମା’ମାନଙ୍କ ଭିତରେ ବ୍ୟବସାୟ କରିବାର ଏକ ପରମ୍ପରା ସୃଷ୍ଟି କରିବା ପାଇଁ ବାତାବରଣ ସୃଷ୍ଟି ହେବ ବୋଲି ମୁଁ ଆଶା କରୁଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେଯେ, ସମ୍ଭାବନାର ରାଜ୍ୟ ଆଜି ବିକାଶ ପଥରେ ଅଗ୍ରସର ହେଉଛି । ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା, ଏମଏସଏମଇଗୁଡ଼ିକୁ ସଶକ୍ତ କରିବା, କାରିଗରମାନଙ୍କୁ ସହାୟତା ପ୍ରଦାନ କରିବା କିମ୍ବା ସ୍ଥାନୀୟ ସପ୍ଲାଇ ଚେନ୍‌କୁ ସୁଦୃଢ଼ କରିବା ପାଇଁ, ଆମେ ପଦକ୍ଷେପ ଗ୍ରହଣ କରୁଛୁ ଏବଂ ଏହା ଆଗାମୀ କିଛି ଦିନରେ ଓଡ଼ିଶାର ମାନଚିତ୍ରକୁ ପରିବର୍ତ୍ତନ କରିଦେବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲଘୁ ଉଦ୍ୟୋଗ ଭାରତୀର ଅଖିଳ ଭାରତୀୟ ସଭାପତି ମଧୁସୂଦନ ଦାଦୁ, ଲଘୁ ଉଦ୍ୟୋଗ ଭାରତୀର ଅଖିଳ ଭାରତୀୟ କାର୍ଯ୍ୟକାରୀ ସମ୍ପାଦକ ପ୍ରକାଶ ଚନ୍ଦ୍ର ଲଘୁ ଉଦ୍ୟୋଗ ଭାରତୀ, ଓଡିଶାର ସଭାପତି ଗୋପାଳ ଦାସ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ ।