ରାଜ୍ୟର ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡ଼ିକର ହେବ ନବ କଳେବର  

ରାଜ୍ୟର ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡ଼ିକର ହେବ ନବ କଳେବର  

ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡ଼ିକର ହେବ ନବ କଳେବର । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍‌ କୋଠା ନିର୍ମାଣ ହେବ । କଲେକ୍ଟରେଟ୍‌ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯୋଡ଼ାଯିବ । ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ୩ ବର୍ଗରେ ବିଭକ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । 

    ବଡ଼ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ସ୍କୋୟାର ଫୁଟ୍‌ ଜମି, ମଧ୍ୟମ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ସ୍କୋୟାର ଫୁଟ୍‌ ଜମିରେ ଏବଂ କ୍ଷୁଦ୍ର ଜିଲ୍ଲାରେ ୧ ଲକ୍ଷ ସ୍କୋୟାର ଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳ କାର୍ଯ୍ୟାଳୟ । ଭୁବନେଶ୍ୱରରେ ନିର୍ମାଣ ହେବ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ । ଯେଉଁଥିରେ ଜିମ୍‌, ଲାଇବ୍ରେରୀ ସହ ୱାନ ବିଏଚ୍‌କେ ଓ ଟୁ ବିଏଚ୍‌କେ ରହିବ ।

  ସୂଚନା ମୁତାବକ, ଜିଲ୍ଲାରେ ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା, କାର୍ଯ୍ୟଭାରକୁ ବିଚାରକୁ ନେଇ ଜିଲ୍ଲାଗୁଡ଼ିକୁ ୩ ଟି ବର୍ଗରେ ବିଭକ୍ତ କରାଯାଇଛି । ବୃହତ ବର୍ଗରେ ସମ୍ବଲପୁର, ପୁରୀ, କେଉଁଝର, କଟକ ଓ ମୟୂରଭଞ୍ଜ ଜିଲ୍ଲା ଥିବାବେଳେ ମଧ୍ୟମ ବର୍ଗରେ କନ୍ଧମାଳ, ରାୟାଗଡା, ବାଲେଶ୍ୱର, ଯାଜପୁର, ବଲାଙ୍ଗୀର, ଖୋର୍ଧା, କାଳାହାଣ୍ଡି, ଭଦ୍ରକ, ବରଗଡ, କେନ୍ଦ୍ରାପଡା, କୋରାପୁଟ,ଅନୁଗୁଳ ନବରଙ୍ଗପୁର, ଢେଙ୍କାନାଳ ଓ ଜଗତ୍ସିଂହପୁର ଜିଲ୍ଲା ରହିଛି । ସେହିଭଳି କ୍ଷୁଦ୍ର ବର୍ଗରେ ନୟାଗଡ଼, ମାଲକାନଗିରି, ନୁଆପଡା, ସୁବର୍ଣ୍ଣପୁର, ଝାରସୁଗୁଡା, ଗଜପତି, ବୌଦ୍ଧ, ଦେଓଗଡ଼ ଜିଲ୍ଲା ରହିଛି । ସେହିପରି ଭୁବନେଶ୍ୱରରେ ନୂତନ ସ୍ୱତନ୍ତ୍ର ସର୍କିଟ୍‌ ହାଉସ୍‌, ଭୁବନେଶ୍ୱରରେ ରାଜସ୍ୱ ଭବନ ଏବଂ କଟକରେ ନୂତନ ରାଜସ୍ୱ ବୋର୍ଡ ଏବଂ ଆରଡିସି କୋଠା ନିର୍ମାଣ ହେବ ।