‘ବନ୍ୟଜନ୍ତୁଙ୍କ ସୁରକ୍ଷାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ାା ପ୍ରଭାନୁ୍ୟଜ ।ା ଅନୁଗୁଳ: ହାତୀ ସମେତ ବନ୍ୟଜନ୍ତୁଙ୍କର ସୁରକ୍ଷା ଓ ପରିଚାଳନା ଏକ ସକାରାତ୍ମକ ମୂଳକ ସହଯୋଗ ଭିତ୍ତିରେ ହେବା ଆବଶ୍ୟକ । ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମ୍ବାଦ ପତ୍ରରେ ପ୍ରକାଶିତ ଖବର ଜନ ସାଧାରଣ ସମେତ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାଧାରାକୁ ପ୍ରଭାବିତ କରିଥାଏ । ଜଙ୍ଗଲ, ବନ୍ୟଜନ୍ତୁ, ଜୈବବିବିଧତା ସୁରକ୍ଷା ଏକ ବୈଷୟକ, ବିଜ୍ଞାନ ସମ୍ମତ ଏବଂ ଆଇନ ଆଧାରିତ ପ୍ରସଙ୍ଗ ହୋଇଥିବାରୁ ସମ୍ବାଦପତ୍ରରେ ସଠିକ୍ ଖବର ପ୍ରକାଶିତ ହେବା ଏକାନ୍ତ ଆବଶ୍ୟକ ବୋଲି ଏକ କର୍ମଶାଳାରେ ଆଲୋଚନା ହୋଇଛି । ଅନୁଗୋଳ ଜିଲ୍ଲା ସମ୍ବାଦପତ୍ର ଓ ବୈଦୁ୍ୟତିକ ଗଣମାଧ୍ୟମର ସାମ୍ବାଦିକ ଓ ପ୍ରତିନିଧିମାନଙ୍କୁ ନେଇ ଏହି କର୍ମଶାଳା ସ୍ଥାନୀୟ ପ୍ରଶାନ୍ତି ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି, ଭାରତୀୟ ବନ୍ୟଜୀବ ଟ୍ରଷ୍ଟ ଏବଂ ବନ ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । କର୍ମଶାଳା ପ୍ରାରମ୍ଭରେ ଗଜ ଉତ୍ସବର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଭାରତୀୟ ବନ୍ୟଜୀବ ଟ୍ରଷ୍ଟର ଅରବିନ୍ଦ ସାମଲ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଢେଙ୍କାନାଳ ବନଖଣ୍ଡ ପରେ ଅନୁଗୋଳ ବନଖଣ୍ଡକୁ ଏକ ଗଜ ଉତ୍ସବରେ ଗଜ ଦଣ୍ଡ ହସ୍ତାନ୍ତର କରାଯାଇଥିଲା । ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ଗଜ ଦଣ୍ଡକୁ ଗ୍ରହଣ କରିବା ସହିତ ସାମ୍ବାଦିକ ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ଓ ସୁସମ୍ପର୍କ ରହିବା ଦିଗରେ ଉପସ୍ଥାପନ କରିଥିଲେ । ହାତୀ ଓ ବନ୍ୟଜୀବ ମାନଙ୍କ ସୁରକ୍ଷା କ୍ଷେତ୍ରରେ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଶାନ୍ତନୁ ସର, ପୂର୍ବତନ ବନ ଅଫିସର ଡା. ଅରୁଣ କୁମାର ମିଶ୍ର, ଭାରତୀୟ ବନ୍ୟଜୀବ ଟ୍ରଷ୍ଟର ଜୀବ ବିଜ୍ଞାନୀ ସୁବ୍ରତ କୁମାର ବେହେରା, ପ୍ରକୃତି ପରିବେଶ ଓ ବନ୍ୟ ଜୀବନ ସମିତିର ସମ୍ପାଦକ ପ୍ରସନ୍ନ କୁମାର ବେହେରା ପ୍ରମୁଖ ହାତୀ ସମେତ ବନ୍ୟଜୀବମାନଙ୍କର ବ୍ୟବହାରିକ ଓ ସାମାଜିକ ଚଳଣି, ଖାଦ୍ୟ, ପାନୀୟ, ବାସସ୍ଥଳୀ ଏବଂ ସେମାନଙ୍କ ପ୍ରତି ଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଉପସ୍ଥାପନା କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ବନ୍ୟଜୀବମାନଙ୍କ ପ୍ରତି ସହାନୁଭୂତି, ପ୍ରଦର୍ଶନ ମୂଳକ ସଂରକ୍ଷଣରେ ଜନ ସହଯୋଗ ଆବଶ୍ୟକ । ଏହି ସହଯୋଗ ସମ୍ବାଦ ପତ୍ରର ଲେଖନୀ ଦ୍ୱାରା ସମ୍ଭବ ହୋଇପାରିବ । ବନ୍ୟଜୀବ,ଜୈବ ବିବିଧତା, ଜଙ୍ଗଲ, ନଦୀ, ଜଳାଶୟ ଓ ଆର୍ଦ୍ରଭୂମି ଗୁଡିକର ଗୁରୁତ୍ୱତା ବିଷୟ ଓ ସଂରକ୍ଷଣ ର ଥିବା ସରକାରୀ ବ୍ୟବସ୍ଥା ଓ ପାରମ୍ପରିକ ଜ୍ଞାନ କୌଶଳ ଉପରେ ସମ୍ବାଦପତ୍ରରେ ପ୍ରକାଶିତ ଖବର ସଂରକ୍ଷଣ ପାଇଁ ଉପାଦେୟ ହେବ ବୋଲି ଆଲୋଚନା କରାଯାଇଥିଲା । ବନ୍ୟଜୀବ ଅପରାଧିକ ଘଟଣା କିମ୍ବା ବିବାଦୀୟ ଘଟଣାରେ ଜୀବନ ହାନୀ ଓ ଫସଲ କ୍ଷୟକ୍ଷତି ସମ୍ବନ୍ଧରେ ବନ ବିଭାଗ ସାମ୍ବାଦିକମାନଙ୍କୁ ସୂଚନା ସଠିକ୍ ଦିଆଯାଉନଥିବା ବେଳେ ବେଳେ ସୂଚନା ଦେବାରେ କୁଣ୍ଠାବୋଧ କରାଯାଉଥିବା ବିଷୟରେ ସାମ୍ବାଦିକମାନେ କର୍ମଶାଳାରେ ପ୍ରଶ୍ନ କରିଥିଲେ । ଜଙ୍ଗଲ, ବନ୍ୟଜୀବମାନଙ୍କ ସୁରକ୍ଷା ଓ ପରିଚାଳନାରେ ଯଥା ସମ୍ଭବ ସାମ୍ବାଦିକମାନଙ୍କ ସହିତ ସମନ୍ୱୟ ସ୍ଥାପନ ଏବଂ ସୂଚନା ପ୍ରଦାନରେ ସହଯୋଗ କରାଯିବାକୁ ବନଖଣ୍ଡ ଅଧିକାରୀ ଶ୍ରୀ କୁମାର ପ୍ରକାଶ କରିଥିଲେ ।  ଏହି କର୍ମଶାଳାରେ ଲିପ୍ସା ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ସଂଯୋଜକ ସୁବ୍ରତ ପ୍ରଧାନ, ପ୍ରିୟବ୍ରତ ବେହେରା, ବିନୟ ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ । ଅନୁଗୁଳ ଜିଲ୍ଲାର ୫୦ ରୁ ଅଧିକ ବିଭିନ୍ନ ଖବରକାଗଜ ଓ ବୈଦୁ୍ୟତିକ ଗଣମାଧ୍ୟମର ସାମ୍ବାଦିକ ଓ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।