ଋଷିକୂଲ୍ୟା ମୁହାଣମୁହାଁ ଅଲିଭ୍ ରିଡ୍ଲେ 

ଛତ୍ରପୁରରୁ ସୂଜୟ ସୁପ୍ରକାଶ ଧଳ : ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ  ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡମପେଟା ଗ୍ରାମ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ ରିଡେଲ କଇଁଛଙ୍କ ସମାଗମ ହେବାରେ ଲାଗିଛି । ବେଳାଭୂମି ମୁହାଁ ଏହି ବିରଳ ପ୍ରଜାତିର ଜୀବ ଏବେ ଗଣଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି । ପାଗ ଅନୁକୂଳ ଥିବାରୁ ଗତଥର ଅପେକ୍ଷା ଏଥର ଲକ୍ଷାଧିକ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସୋମବାର ଭୋର୍ ସମୟରୁ ଅଲିଭ ରିଡ୍ଲେଙ୍କ ଆଗମନ ହୋଇଛି । ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନଥିଲା । ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ବର ମାସରେ ସୁଦୂର ଦେଶରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଗଣଅଣ୍ଡାଦାନ କରିଥାନ୍ତି । ଗଣଅଣ୍ଡାଦାନ ପୂର୍ବରୁ ବ୍ରହ୍ମପୁର ଡିଏଫ୍ଓ ପୁରୁଣାବନ୍ଧ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ପାଞ୍ଚ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବ୍ୟାରିକେଡ଼  କରାଯାଇଛି । ଗୋଟିଏ କଇଁଛ ଆନୁମାନିକ ୧୨୦ରୁ ୧୫୦ଟି ଅଣ୍ଡା ଦେଇଥାଏ । ଅଣ୍ଡା ଦେବା ପରେ ତାହାକୁ ବାଲିରେ ପୋତି ସମୁଦ୍ରକୁ ଚାଲି ଯାଇଥାଏ । ୪୫ ଦିନ ପରେ ସେଥିରୁ ଛୁଆ ବାହାରି ସମୁଦ୍ରକୁ ଚାଲି ଯାଆନ୍ତି । ଶହେ ମିଟର୍ ବ୍ୟବଧାନରେ ଗୋଟାଏ ଲେଖାଏଁ ୫୦ଟି ସେଗମେଣ୍ଟ୍ କରାଯିବା ସହ ଆଠଟି କୃତ୍ରିମ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିଛି ବନ ବିଭାଗ । ବେଳାଭୂମିର ବାଲୁକାଶଯ୍ୟାରେ ସୁରକ୍ଷାବାଡ଼ କରାଯାଇଛି । ପ୍ରତିଦିନ ବୋଟ୍ ମାଧ୍ୟମରେ ଫରେଷ୍ଟର୍ଙ୍କ ତତ୍ତ୍ୱାବଧାନରେ ସମୁଦ୍ରରେ ପାଟ୍ରୋଲିଂ କରାଯାଉଛି । ମିଳନ ପର୍ବ ଠାରୁ ଆରମ୍ଭ କରି ବର୍ତ୍ତମାନ ଗଣଅଣ୍ଡାଦାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେଇ ଥିବା ସୂଚନା ମିଳିଛି । ନଭେମ୍ବର ୧ ମେ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ଆର୍ଯ୍ୟପଲ୍ଲୀରୁ ପ୍ରୟାଗି ୨୦ କିମିକୁ ନୋ ଫିସିଙ୍ଗ ଜୋନ୍ ଘୋଷଣା କରାଯାଇଛି । ଗତ ଦୁଇ ଦିନରେ ମଧ୍ୟରେ ୯୦ହଜାର ୫୫୮ ଅଲିଭ୍ ରିଡ୍ଲେ ଗଣଅଣ୍ଡାଦାନ କରିଛନ୍ତି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଗଣ ଅଣ୍ଡାଦାନ ହେବ ବୋଲି ଆଶା ରଖିଛନ୍ତି ବନ ବିଭାଗ ।