ଶିକୁଳିରେ ବନ୍ଧା ଯୁବତୀଙ୍କ ଜୀବନ 

 କାକଟପୁରରୁ ଆଦିତ୍ୟ ରାଉତ : ଶିକୁଳିରେ ବନ୍ଧା ହୋଇଛି ଯୁବତୀଙ୍କ ଜୀବନ । ଆଜିକାଲି ନୁହେଁ, ଦୀର୍ଘ ୧୫ ବର୍ଷ ହେବ ଏଭଳି ଭାବେ ନିଜ ଜୀବନକୁ ନେଇ ବଞ୍ଚô ରହିଛନ୍ତି ସଞ୍ଜୁଲତା ବେହେରା । ପିଲା ଦିନେ ଜଣେ ମେଧାବୀ ଛାତ୍ରୀ ଥିଲେ । ଭଲ ପାଠ ମଧ୍ୟ ପଢୁଥିଲେ । ପରିବାର କହିଲେ ବାପାମା’ ଆଉ ବଡ଼ ଭଉଣୀ । ପରିବାରର ଆର୍ଥିକ ପୋଷଣ କେବଳ ଗୋଟେ ଗାଈ । ସେଥିରୁ ଯାହା ରୋଜଗାର ହୁଏ, ଅଳ୍ପ ବହୁତ ବେଶ ଖୁସିରେ ଜୀବନ କାଟୁଥିଲେ କାକଟପୁର ବ୍ଲକ ସୁହାଣପୁର ପଞ୍ଚାୟତ ବେହେରା ସାହିର ନରସିଂହ ବେହେରାଙ୍କ ଚାରି ପ୍ରାଣୀ କୁଟୁମ୍ବ । ଗରିବ ହେଲେ ବି ମନରେ ନଥିଲା ଦୁଃଖ । ସେ ଆଉ ତାଙ୍କ ଧର୍ମପନôୀ ସଖି ବେହେରା ପର ବିଲବାଡ଼ିରେ ମଜୁରୀ ଲାଗି ବେଶ୍ ଖୁସିରେ ଚାଳ ଛପର ଘରେ ଜୀବନ ଅତିବାହିତ କରୁଥିଲେ । କିନ୍ତୁ ଆଜକୁ ୧୫ ବର୍ଷ ତଳେ ଭଗବାନ ଦାଉ ସାଜିଲା । ଆଉ ତାଙ୍କ ସାନଝିଅ ସଞ୍ଜୁ ହୋଇଗଲା ମାନସିକ ବିକାର ଗସ୍ତ ରୋଗୀ । ଯାହା କିଛି ଅର୍ଜନ କରିଥିଲେ, ତାହା ଝିଅକୁ ଭଲ କରିବା ପାଇଁ ସବୁ ବ୍ୟୟ କରିଦେଲେ । ଏବେ ପାଖରେ ଆଉ ସମ୍ବଳ ନାହିଁ । ଦୁଖଃଦୁର୍ଦ୍ଦିନରେ ବିତାଉଛନ୍ତି ଜୀବନ । ଅତୀତରେ ଇନ୍ଦିରା ଆବାସ ବାବଦରେ କୋଡିଏ ହଜାର ଟଙ୍କା ମିଳିଥିଲା, କିନ୍ତୁ ସେ ପଇସା ମଧ୍ୟ ଝିଅ ପଛରେ ଖର୍ଚ୍ଚ ହୋଇଯାଇଛି । ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି ନରସିଂହ ବେହେରା । ବୟସର ଅପରାହ୍ନରେ ଚର୍ମ ଧୁଡୁ ଧୁଡୁ ବାଜିଲାଣି; କିନ୍ତୁ ସବୁ ସ୍ୱପ୍ନ ଗରିବୀ ଭିତରେ ହଜିଯାଇଛି । ଘର କହିଲେ ଝାଟି ମାଟି ଚାଳ ଘର । ସେହି ଘରେ ଗାଈ ଗୁହାଳ ଆଉ ମଣିଷ ରହିଛନ୍ତି । ଶୋଇବା ପାଇଁ ନାହିଁ ଖଟ, ମାଟିର ଶଯ୍ୟାରେ ଛିଣ୍ଡା କନ୍ଥା କେବଳ ଆସରା, ଭାତ ରାନ୍ଧିଲେ ଲୁଣ ହଳଦୀ ପାଣି ଶିଝେଇ ତାହାକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି ପରିବାର । ଝିଅ ପାଇଁ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଛନ୍ତି ବାପା ମା’ । ଯେଉଁ ବୟସରେ ଝିଅ ବାପାମା’ଙ୍କର ସେବା କରେ, ସେ ବୟସରେ ପାଗେଳି ଝିଅର ସବୁ ନିତ୍ୟକର୍ମ କରୁଛନ୍ତି ବାପାମା’ । କରିବେ ବା କ’ଣ, ବୋଝ ଉପରେ ଲଳିତା ବିଡା ଭଳି ଗରିବୀ ଓ ଅଭାବୀ ହୋଇଯାଇଛନ୍ତି ଏ ବାର୍ଦ୍ଧକ୍ୟ ଦମ୍ପତିଙ୍କ ଜୀବନ ସାଥୀ । ତେବେ ଏହି ଅସହାୟ ପରିବାରକୁ ସରକାରଙ୍କ ପକ୍ଷରୁ କିଛି ଆର୍ଥôକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଓ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି ।