ଶ୍ରମର ପରିମାଣ ଓ ଗୁଣବତ୍ତା ପ୍ରସଙ୍ଗ
ଗୋପାଳ ମହାପାତ୍ର : କିଛି ସପ୍ତାହ ପୂର୍ବେ ଦେଶରେ କର୍ମଚାରୀମାନେ କେତେ ଘଣ୍ଟା କାମ କରିବେ ସେ କଥାକୁ ନେଇ ବିବାଦ ସୃଷ୍ଟି ହେଇଛି । ଲାର୍ସନ ଆଣ୍ଡ ଟୁ୍ୟବ୍ରୋ (ଏଲ୍ଆଣ୍ଡଟି)ର ଅଧ୍ୟକ୍ଷ ଏସ୍ଏନ୍ ସୁବ୍ରମଣ୍ୟମ ଶ୍ରମିକ କର୍ମ·ରୀ ମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଉଚିତ୍ ବୋଲି କହିବା ପରେ ଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ବିବାଦରେ ଏଣ୍ଟ୍ରି କରିଛନ୍ତି ମହନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ କାର୍ଯ୍ୟ କରିବାର ସମୟ ପରିବର୍ତ୍ତେ କାର୍ଯ୍ୟର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ । ବାସ୍ତବରେ ଆନନ୍ଦ ମହିନ୍ଦ୍ରା କାର୍ଯ୍ୟ କରିବାର ସମୟ (ଘଣ୍ଟା) ଉପରେ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ଭାବେ ଠିକ୍ କାରଣ କେହି ଶ୍ରମିକା/କର୍ମଚାରୀ ସପ୍ତାହରେ ୯୦ ଘଣ୍ଟା ୍କାମରେ ରହେ କିନ୍ତୁ ଯଦି ଗୁଣବତ୍ତାପୂର୍ଣ୍ଣ କାର୍ଯ୍ୟ ନକରେ ତେବେ ୯୦ ଘଣ୍ଟା କାର୍ଯ୍ୟ କରିବାର ଅର୍ଥ କ’ଣ? ବିନା ଗୁଣବତ୍ତା ମୂଳକ କାର୍ଯ୍ୟର କୌଣସି ଔ÷ଚିତ୍ୟ ବା ଅର୍ଥ ରହେ ନାହିଁ । ଆନନ୍ଦ ମହିନ୍ଦ୍ରାଙ୍କ କଥା “କାର୍ଯ୍ୟର ସମୟ (ଘଣ୍ଟା) ବନାମ ଉତ୍ପାଦକତା”ର ଚର୍ଚ୍ଚାକୁ ସନ୍ତୁଳିତ କରିବା ଦିଗରେ ଏକ ଉଦ୍ୟମ ବୋଲି କୁହାଯାଇପାରେ । ଏ ପ୍ରସଙ୍ଗରେ କିଛି ଦିନ ତଳେ ଆନନ୍ଦ ମହିନ୍ଦ୍ରାଙ୍କୁ ସପ୍ତାହରେ ୯୦ଘଣ୍ଟା କାମ କରିବା କଥାକୁ ନେଇ କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ । ଉତ୍ତରରେ ଆନନ୍ଦ ମହିନ୍ଦ୍ରା ଇନ୍ଫୋସିସ୍ର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତି ଏବଂ ଅନ୍ୟ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ କହିଥିଲେ ଯେ “ମୋତେ ଲାଗୁଛି ଏ ବାବଦରେ ଆଲୋଚନା ଭୁଲ ବାଟରେ ଯାଉଛି, କାରଣ ଏହି ଆଲୋଚନା କାମର ମାତ୍ରା ବାବଦରେ କରାଯାଉଛି” ।
ଆଜିର ସମୟରେ ସବୁଠି ପ୍ରତିସ୍ପର୍ଦ୍ଧାର ପ୍ରତିଯୋଗିତା ଚାଲିଛି ଏବଂ ଯେବେ ପ୍ରତିସ୍ପର୍ଦ୍ଧାର କଥା ଆସେ ଅଥବା ଯଦି କାର୍ଯ୍ୟ ମହତ୍ୱପୁର୍ଣ୍ଣ ତେବେ ବ୍ୟକ୍ତି ପୂରା ମନଧ୍ୟାନ ଦେଇ ସଂପୂର୍ଣ୍ଣ କରିବା ପାଇଁ ଲାଗିପଡିଥାଏ । କାମର ଅର୍ଥ ହେଉଛି ଗୁଣବତ୍ତା ପୂର୍ଣ୍ଣ କାର୍ଯ୍ୟ, ଏମିତି ହଲି ଟହଲି ବସି ବସି କାର୍ଯ୍ୟ ସମୟକୁ ପୂରା କରିବାରେ କୌଣସି ଓøଚିତ୍ୟ ନାହିଁ । ଯଦି କାର୍ଯ୍ୟ ବା କାମ ଗୁରୁତ୍ୱପୁର୍ଣ୍ଣ ତେବେ ବ୍ୟକ୍ତି ସେହି କାର୍ଯ୍ୟକୁ ପୂରା ଠିକ୍ ଭାବରେ ସମ୍ପୁର୍ଣ୍ଣ କରିବା ଆବଶ୍ୟକ । ଆନନ୍ଦ ମହିନ୍ଦ୍ରା କାର୍ଯ୍ୟର ଗୁଣବତ୍ତାର କଥା କହିଛନ୍ତି କାର୍ଯ୍ୟ ସମୟ (ଘଣ୍ଟା)ର ନୁହେଁ । ମହିନ୍ଦ୍ରା କହିଛନ୍ତି କାମ ୪୦ ଘଣ୍ଟା, ୭୦ଘଣ୍ଟା ବା ୯୦ଘଣ୍ଟାର କଥା ନୁହେଁ, କଥା ହେଉଛି କାମର ପରିଣାମ । ହୁଏତ ୧୦ ଘଣ୍ଟାରେ ଭଲ କାମ କରିହେବ । ମହିନ୍ଦ୍ରାଙ୍କ କହିବା ଭୁଲ ନୁହେଁ । କମ୍ପାନୀ ବା ଉଦ୍ୟୋଗରେ ଏମିତି ଲୋକ ରହିବା ଉଚିତ୍ ଯେଉଁମାନେ ସମଗ୍ର ପ୍ରକ୍ରିୟାକୁ ବୁଝିବିଚାରି ନିର୍ଣ୍ଣୟ ନେଇ ପାରିବେ । ମହିନ୍ଦ୍ରାଙ୍କ ମତ ହେଉଛି ଆମ ମସ୍ତିଷ୍କ ସାରା ଦୁନିଆରୁ ଆସୁଥିବା ପରାମର୍ଶ ପାଇଁ ଖୋଲା ରହିବା ଉଚିତ୍ ତେବେ ଯାଇ ଆମେ ଗୁଣବତ୍ତା ଆଡକୁ ଯାଇପାରିବା । ମଣିଷ ପାଖରେ ଚିନ୍ତନ ମନନ ପାଇଁ ପର୍ଯ୍ୟାପ୍ତ ସମୟ ଥିବା ଦରକାର ତେବେ ଆମେ ଗୁଣବତ୍ତାପୂର୍ଣ୍ଣ କାର୍ଯ୍ୟ କରିପାରିବା । ଆନନ୍ଦ ମହିନ୍ଦ୍ରାଙ୍କ ମତ ଏବଂ ଇନ୍ଫୋସିସର ନାରାୟଣ ମୂର୍ତ୍ତି ଓ ଏଲ ଆଣ୍ଡଟିର ଅଧ୍ୟକ୍ଷ ସୁବ୍ରମଣ୍ୟମଙ୍କ ମତ ଠାରୁ ଭିନ୍ନ । ନାରାୟଣ ମୂର୍ତ୍ତି ଏବଂ ସୁବ୍ରମଣ୍ୟମ କର୍ମଚାରୀମାନେ ଅଧିକ ସମୟ (ଘଣ୍ଟା) କାମ କରିବା ସପକ୍ଷରେ ଅଛନ୍ତି । ନାରାୟଣ ମୂର୍ତ୍ତି ସପ୍ତାହରେ ୭୦ ଘଣ୍ଟା କାମର କଥା କହୁଥିବା ବେଳେ ସୁବ୍ରମଣ୍ୟମ ୯୦ ଘଣ୍ଟା କାମ କଥା କହୁଛନ୍ତି । ହୁଏତ ଆଉ କେହି ଉଦ୍ୟୋଗପତି ଆହୁରି ବି କିଛି କହିପାରନ୍ତି । ସାରା ବିଶ୍ୱର ସମୃଦ୍ଧ ଦେଶମାନଙ୍କରେ ଲୋକେ ୩୩ ରୁ ୪୦ ଘଣ୍ଟା କାମ କରି ଖୁସି ଅଛନ୍ତି । ସେସବୁ ଦେଶର ବିକାଶ ମଧ୍ୟ ହେଉଛି । ପ୍ରଶ୍ନ ହେଉଛି ଦେଶର ଉଦ୍ୟୋଗପତି ମାନଙ୍କର ଶ୍ରମିକ/ କର୍ମଚାରୀ ମାନଙ୍କ ପ୍ରତି ଏଭଳି ମାନସିକତା କାହିଁକି? ଶିଳ୍ପପତିମାନଙ୍କୁ ଶ୍ରମିକ/କର୍ମଚାରୀଙ୍କର ଆବଶ୍ୟକତା ରହିଛି ନା ସେମାନେ କ୍ରୀତଦାସ ଚାହୁଁଛନ୍ତି? ଇନଫୋସିସର ନାରାୟଣ ମୂର୍ତ୍ତିଙ୍କ ୭୦ ଘଣ୍ଟାର ମନ୍ତବ୍ୟ ପରେ ଏଲ ଆଣ୍ଡଟିର ଅଧ୍ୟକ୍ଷ ୯୦ଘଣ୍ଟା କାମ କଥା କହିବା ସହ ଶ୍ରମିକ/କର୍ମଚାରୀଙ୍କ ପରିବାର ଉପରେ ମନ୍ତବ୍ୟ ଦେଇ “ଘରେ ବସି କଣ କରିବେ, କେତେ ସମୟ ପର୍ଯ୍ୟନ୍ତ ପତ୍ମୀଙ୍କ ମୁହଁକୁ ଦେଖିବେ ଏବଂ ପତ୍ମୀ ତୁମକୁ ଦେଖିବେ? କାର୍ଯ୍ୟସ୍ଥଳକୁ ଆସ କାମ କର” ବୋଲି ଏକ ଅସମ୍ମାନ ସୂଚକ ବୟାନ ଦେଇଛନ୍ତି । ଆମେରିକା ଭଳି ବିକଶିତ ଦେଶରେ ଲୋକ ସପ୍ତାହରେ ୩୮ଘଣ୍ଟା କାମ କରୁଛନ୍ତି । ଅନ୍ତର୍ଜାତୀୟ ସ୍ତରର ସଂସ୍ଥାମାନଙ୍କର ତଥ୍ୟ ଅନୁସାରେ ବିକଶିତ ଦେଶ ମାନଙ୍କରେ ଲୋକେ କମ ସମୟ କାମ କରିଥାନ୍ତି । ଲଗ୍ଜମବର୍ଗ ଭଳି ବିଶ୍ୱର ସମୃଦ୍ଧ ଦେଶରେ ଲୋକେ ସପ୍ତାହରେ ୩୩ ଘଣ୍ଟା କାମ କରିଥାନ୍ତି । ଏଭଳି ସ୍ଥଳେ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ଯେ ଆଜିର ଶ୍ରମିକ/ କର୍ମଚାରୀ ମାନେ କ’ଣ ‘ଜଙ୍ଗଲୀ ପ୍ରାଣୀ’ ଅଟନ୍ତି କି, ଯେଉଁମାନଙ୍କର କିଛି ପାରିବାରିକ ଦାୟିତ୍ୱ ନାହିଁ? ଯଦି ଏମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବେ ତେବେ ଦୈନିକ ଶୋଇବେ କେତେ ଘଣ୍ଟା, କାର୍ଯ୍ୟସ୍ଥଳର ଫେରି ରାତ୍ରୀଭୋଜନ ସକାଳର ପ୍ରାତଃ ଭୋଜନ ପିଲାଙ୍କୁ ସ୍କୁଲ ଛାଡିବେ, ରୋଗଗ୍ରସ୍ତ ମାତା- ପିତାଙ୍କ ସେବା ବା ସେମାନଙ୍କୁ ଡାକ୍ତର ପାଖକୁ ନେବା, ଘରୁ କାର୍ଯ୍ୟସ୍ଥଳକୁ ଯିବା ଓ କାର୍ଯ୍ୟସ୍ଥଳରୁ ଘରକୁ ଫେରିବା ପରେ ସେମାନଙ୍କ ପାଖରେ କେତେ ସମୟ ବଳକା ରହିବ? ବୋଧହୁଏ ଜୀବନ ମଧ୍ୟ ଛୋଟ ହୋଇଯିବ । ଏଲ୍ଆଣ୍ଡଟିର ଅଧ୍ୟକ୍ଷ କେବେ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟା ବାବଦରେ ଆତ୍ମ ଚିନ୍ତନ କରିଛନ୍ତି କି?
ଏଲ ଆଣ୍ଡଟି ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଓ ଏହି କମ୍ପାନୀରେ ପାଖାପାଖି ୬୦ ହଜାର ଶ୍ରମିକ/କର୍ମଚାରୀ କାମ କରୁଛନ୍ତି । ଏଭଳି ଏକ କମ୍ପାନୀର ଅଧ୍ୟକ୍ଷଙ୍କ ସପ୍ତାହରେ ୯୦ ଘଣ୍ଟା କାମର କଥା କହିବା ଏପରିକି ରବିବାର ଦିନ କାମ କରିବା କଥା କହିବା ପଛରେ କିଛି ଅର୍ଥ ଥାଇପାରେ । ଶ୍ରମିକ/କର୍ମଚାରୀ ସପ୍ତାହରେ ୯୦ ଘଣ୍ଟା କାମ କରିବେ କିନ୍ତୁ ବେତନ ପୁର୍ବବତ୍ ରହିବ, ଏପରିକି ବାର୍ଷିକ ବେତନ ବୃଦ୍ଧି ୧ରୁ ୭ ପ୍ରତିଶତ ହେବ କିନ୍ତୁ ଅଧ୍ୟକ୍ଷଙ୍କ ବେତନ ବାର୍ଷିକ ୫୧.୦୫ କୋଟି ରହିବ । ଏହାର ଅର୍ଥ ପ୍ରତିଦିନ ସୁବ୍ରମଣ୍ୟମଙ୍କ ବେତନ ୧୪ ଲକ୍ଷ ଟଙ୍କା । ତାଙ୍କ ବେତନ ବୃଦ୍ଧି ବାର୍ଷିକ ୪୩ ପ୍ରତିଶତ । କିନ୍ତୁ ତାଙ୍କ କମ୍ପାନୀର କର୍ମଚାରୀଙ୍କ ବାର୍ଷିକ ବେତନ ୯ଲକ୍ଷ ଟଙ୍କା ଭିତରେ ରହିବ । ଏକ ସପ୍ତାହ ସମୁଦାୟ ୧୬୮ ଘଣ୍ଟା । ଏଥିରୁ ୯୦ ଘଣ୍ଟା କାଟିଦେଲେ ବାକି ରହିଲା ୭୮ଘଣ୍ଟା । ଜଣେ ବ୍ୟକ୍ତି ଦୈନିକ ୬ ଘଣ୍ଟାରୁ ୮ଘଣ୍ଟା ଶୋଇବା ଆବଶ୍ୟକ । ଯଦି ୬ଘଣ୍ଟା ଶୋଇବାକୁ ହିସାବ କରାଯାଏ ତେବେ ବ୍ୟକ୍ତି ସପ୍ତାହରେ ୪୨ଘଣ୍ଟା ଶୋଇବା ପରେ ତା ପାଖରେ ବଳକା ୩୬ ଘଣ୍ଟା ରହିବ । ଦିନଚର୍ଯ୍ୟା ଗାଧୋଇବା, ଖାଇବା, କାର୍ଯ୍ୟସ୍ଥଳକୁ ଯିବା ପାଇଁ ପ୍ରସ୍ତୁତ ହେବାର ଦୈନିକ ୪ଘଣ୍ଟା ନିଶ୍ଚୟ ଲାଗିବ ଏଣୁ ସପ୍ତାହକର ବଳକା ଏଇ ୮ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତି ତା ପରିବାରକୁ କେତେ ସମୟ ଦେବ?
ଏସବୁକୁ ଦେଖିଲେ ଏକଥା ସ୍ପଷ୍ଟ ଯେ ସପ୍ତାହରେ ୯୦ ଘଣ୍ଟା କାମ କଲେ ବ୍ୟକ୍ତି ଚାପରେ ରହିବ । ଏହି କାରଣରୁ ବ୍ୟକ୍ତିର କାମରେ ମନ ଲାଗିବ ନାହିଁ ଏଣୁ କାମର ଗୁଣବତ୍ତା ନିଶ୍ଚୟ ହ୍ରାସ ପାଇବ । ଅଧିକ ସମୟ କାମ କଲେ ବ୍ୟକ୍ତିର ବୁଝିବା, ଚିନ୍ତା କରିବାର ଶକ୍ତି କମିଯିବ, ମାନସିକ କ୍ଷମତା ମଧ୍ୟ କମିଯିବ । ଅଧିକ ସମୟ କାମ କରାଇ ଉତ୍ପାଦକତା ମଧ୍ୟ ଆଶା କରିବା ବୃଥା । ୯୦ ଘଣ୍ଟା କାମ କରିବାର ଅର୍ଥ ହେଉଛି ବ୍ୟକ୍ତିକୁ ନିଜସ୍ୱ କାମ ପାଇଁ ସମୟ ମିଳିବ ନାହିଁ । ଏଣୁ ଡିପ୍ରେସନ ଓ ଚିଡ୍ଚିଡ୍ାପଣ ମଧ୍ୟ ବ୍ୟକ୍ତି ମଧ୍ୟରେ ବୃଦ୍ଧି ପାଇବ । ବ୍ୟକ୍ତିର ସ୍ୱାସ୍ଥ୍ୟ ମଧ୍ୟ ବିଗିଡିବ । ଏଣୁ ବ୍ୟକ୍ତି ଘରେ ଓ କାର୍ଯ୍ୟସ୍ଥଳରେ ନିଜର ମାନସିକ ସ୍ଥିତିକୁ ଠିକ୍ ରଖିପାରିବ ନାହିଁ । ଏଣୁ ବ୍ରେନ ଆଟାକ, ହାର୍ଟଆଟାକ ଓ ମାନସିକ ଅସନ୍ତୁଳନ ଭଳି ରୋଗରେ ପୀଡିତ ହେବାର ଆଶଙ୍କା ମଧ୍ୟ ବଢିବ । ଏକ ତଥ୍ୟ ଅନୁସାରେ ଅଧିକ ସମୟ କାମକଲେ ବ୍ୟକ୍ତି/କର୍ମ·ରୀ ଉତ୍ପାଦକତା ମଧ୍ୟ କମ୍ ଦେଇଥାଏ । ଶ୍ରମ ଆଇନ ଅନୁସାରେ ଶ୍ରମିକ/କର୍ମ·ରୀ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କରିବେ ନାହିଁ । ଏଣୁ ଏଲଆଣ୍ଡଟିର ଅଧ୍ୟକ୍ଷ ସୁବ୍ରମଣ୍ୟମ ଯାହା କହୁଛନ୍ତି ତାହା କ’ଣ ଶ୍ରମ ଆଇନ୍ ଉଲଂଘନ ନୁହେଁ କି? ଏହା କେମିତି କାର୍ଯ୍ୟ ସଂସ୍କୃତିର କଥା କହୁଛନ୍ତି ସୁବ୍ରମଣ୍ୟମ? ଶ୍ରମ ଶକ୍ତି ଖୁସିରେ ରହିଲେ ନିର୍ଦ୍ଧାରିତ ସମୟରେ ଉତ୍ପାଦନ ବୃଦ୍ଧି ହୋଇପାରେ । ଏଭଳି ଶୋଷଣ ପ୍ରବୃତ୍ତିର ମାନସିକତା ଠାରୁ ଶିଳ୍ପପତି ମାନେ ଦୂରେଇ ରହିବା ଆବଶ୍ୟକ ।
ରାମଚନ୍ଦ୍ରପୁର, ରଣପୁର
ମୋ:୯୪୩୮୪୮୫୦୯୪