‘କଳିଙ୍ଗର ବୀରାଙ୍ଗନା’ : ଅତୀତର ଅଭୁଲା କଥା

ଭୁବନେଶ୍ୱର : ରାଜା ମହାରାଜାଙ୍କର ପରାକ୍ରମ, ବୀରତ୍ୱ ତଥା ତାଙ୍କର ରାଜନୀତି ଓ ପାଣ୍ଡିତ୍ୟକୁ ନେଇ ଆମ ଇତିହାସ ଆଜି ଗର୍ବିତ । କିନ୍ତୁ କଳିଙ୍ଗର ଇତିହାସରେ ବିରାଙ୍ଗନାମାନଙ୍କ ବୀରତ୍ୱର କାହାଣୀ ସ୍ୱଲ୍ପାଲୋଚିତ । ଏ କଥା ସ୍ୱୀକାର କରିବାକୁ ହେବ । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଯେ କଳିଙ୍ଗର ଇତିହାସକୁ ଗୌରବମୟ କରିଥିବା ବହୁ ବୀରାଙ୍ଗନା ଏଯାବତ ଇତିହାସରେ ଉପଯୁକ୍ତ ସ୍ଥାନ ପାଇନାହାନ୍ତି  । ଏ କଥା ନୁହଁ ଯେ, ରାଣୀମାନେ ରାଜାମାନଙ୍କ ପରି ପରାକ୍ରମ ନଥିଲେ । ସେମାନେ ମଧ୍ୟ ସମସ୍ତ ପରାକ୍ରମର ଅଧିକାରିଣୀ ଥିଲେ  । ନିଜର ଶକ୍ତି ଓ କ୍ଷମତା ବଳରେ ବହୁ ଅସାଧ୍ୟ ସାଧନ କରି ଆଗକୁ ପାଦ ବଢେଇଥିଲେ  । ତାଙ୍କ ବୀରତ୍ୱର କାହାଣୀକୁ ନେଇ ଇତିହାସ ଲେଖା ଯାଉ ବା  ନଯାଉ, ଇତିହାସର ପୃଷ୍ଠାରେ ତାଙ୍କୁ ଉପଯୁକ୍ତ ସ୍ଥାନ ମିଳୁ ବା ନ ମିଳୁ ,ସେମାନେ କିନ୍ତୁ ନିଜେ ନିଜ ରାଜକୀୟ ଧର୍ମ ପାଳନ କରି ଇତିହାସରେ ଇତିହାସ ପାଲଟି ଯାଇଛନ୍ତି  । କଳିଙ୍ଗର ଇତିହାସରୁ ନିର୍ଦ୍ଧିଷ୍ଟ କେତେକ ବୀରାଙ୍ଗନାମାନଙ୍କୁ ନେଇ ଏ ପୁସ୍ତକ ‘କଳିଙ୍ଗର ବୀରାଙ୍ଗନା’ ରଚନା କରିବା ଏକ  ମହତ କାର୍ଯ୍ୟ ହୋଇପାରେ ବା ଏହା ଏକ ସ୍ମରଣୀୟ ଗ୍ରନ୍ଥ ହୋଇ ନ ପାରେ କିନ୍ତୁ, ଆଗାମୀ ପିଢୀ ପାଇଁ ଏହା ଏକ ମାର୍ଗଦର୍ଶକ, ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ସମଗ୍ର ପୁସ୍ତକଟି ଛ’ଟି ଅଧ୍ୟାୟରେ ରଚିତ । ପ୍ରଥମ ଅଧ୍ୟାୟଟି  ମୁଖବନ୍ଧ, ଯେଉଁଥିରେ ପୁସ୍ତକ ବିଷୟରେ ସମ୍ୟକ ସୂଚନା ଦିଆଯାଇଛି  । ଏହାପରେ ପ୍ରାଚୀନ କଳିଙ୍ଗର ବୀରାଙ୍ଗନା, ମଧ୍ୟଯୁଗୀୟ ଉକôଳର ବୀରାଙ୍ଗନା, ବିଗତ ଶତାବ୍ଦୀର ବୀରାଙ୍ଗନା ଓ ଆଦିବାସୀ ସମ୍ପ୍ରଦାୟର ବୀରାଙ୍ଗନାକୁ ନେଇ ଗୋଟିଏ ଗୋଟିଏ ଅଧ୍ୟାୟର ସୃଷ୍ଟି  । ପରିଶେଷରେ ଉପସଂହାର ସ୍ଥାନୀତ ହୋଇଛି, ଯେଉଁଥିରେ ସମସ୍ତ କଥାର ସାରତତ୍ତ୍ୱ ଲିପିବଦ୍ଧ । ପ୍ରାଚୀନକାଳରୁ ସପ୍ତମ ଶତାବ୍ଦୀ ଯାଏଁ ଥିବା କଳିଙ୍ଗର ଐତିହାସିକ ଧାରା ଆଲୋଚିତ ହୋଇଛି  । ଏହି ସମୟରେ ଥିବା ରାଣୀ ପଦ୍ମାବତୀ, ରାଜକୁମାରୀ ଚିତ୍ରାଙ୍ଗଦା, ଶବର କନ୍ୟା ଲଳିତା, ରାଣୀ ଗୁଣ୍ଡିଚା ଦେବୀ ଓ ରାଣୀ କାରୁବାକୀଙ୍କ ସମେତ ଖାରବେଳଙ୍କ ରାଣୀମାନଙ୍କ ବିଷୟରେ ଉଲ୍ଲେଖ ହୋଇଛି । 
ଦ୍ୱିତୀୟ ଅଧ୍ୟାୟରେ ଭୌମକର ରାଜବଂଶର ବୀରାଙ୍ଗନା ଓ ଗଙ୍ଗ ରାଣୀମାନଙ୍କ କଥା ଏଠାରେ ଉଲ୍ଲେଖ ହେବା ସହ ରାଣୀ ଶୁକଦେଇଙ୍କ କଥା ସ୍ଥାନ ପାଇଛି  । ତୃତୀୟ  ଅଧ୍ୟାୟରେ ବିଗତ  ଶତାବ୍ଦୀର ଓଡିଆ ରାଣୀମାନଙ୍କ କଥା ଉଲ୍ଲେଖ ହୋଇଛି  । ଏଥିରେ ସ୍ଥାନୀତ ସମସ୍ତ ନାରୀମାନେ ନିଜ ଆଲୋକରେ ନିଜେ ଆଲୋକିତା ଓ ସମସ୍ତେ ବୀରାଙ୍ଗନା । ନିଜ ମହାନତାରେ ନିଜେ ସେମାନେ ମହୀୟସୀ  । ଯେଉଁ ବୀରାଙ୍ଗନାମାନେ ହାତରେ ଅସ୍ତ୍ର ଧରି ରଣାଙ୍ଗନରେ ନିଜ ବୀରତ୍ୱର ସାହସ ଦେଖେଇଛନ୍ତି, ତାହାର ତୁଳନା ନାହିଁ  । ସେମାନେ ପ୍ରମାଣିତ କରି ଯାଇଛନ୍ତି, ନାରୀ କେବେ ଦୁର୍ବଳା ନୁହଁ କି ଅସହାୟା ନୁହଁ । ସମାଜରେ ପ୍ରଚଳିତ ସମସ୍ତ ପରମ୍ପରା ଯେତେ କଠିନ ହେଲେ ମଧ୍ୟ ସେହି ପରମ୍ପରାକୁ ଦୃଢତାର ସହ ସେମାନେ ସମ୍ମୁଖିନ୍ନ ହୋଇଥିଲେ । ତେଣୁ ସେମାନେ ଆଜି ଆମର ମାର୍ଗ ପଦର୍ଶିକା  । ଓଡିଆ ଜାତିର ଇତିହାସକୁ ଆଲୋଚନା କଲେ ଆଜି ଆମକୁ ବିଶ୍ୱାସ ଲାଗୁନି ଯେ ଦିନେ ଏ ମାଟିରେ ଏପରି ବୀରାଙ୍ଗନାମାନେ ଜନ୍ମ ନେଇଥିଲେ । ସେମାନଙ୍କର ପଦ ନିକ୍ଷେପ ଦ୍ୱାରା ମା’ ବସୁନ୍ଧରା ଦିନେ  କମ୍ପିତ ହେଉଥିଲା  । ଅତୀତର ସେ କଥା ଆଜି ଇତିହାସର ଗୌରବମୟ କାହାଣୀ ହୋଇ ରହିଛି । ବ୍ରହ୍ମପୁରର ଖ୍ୟାତନାମା ପ୍ରକାଶକ ପ୍ରଭାତ ବୁକ ଷ୍ଟୋର ଏ ପୁସ୍ତକଟିକୁ ପ୍ରକାଶ କରିଛନ୍ତି  । ପୁସ୍ତକଟି ନିଶ୍ଚୟ ପାଠକୀୟ ଆଦୃତ ଲାଭ କରିବ ।