ଡାଇରିଆର କାରଣ କାରଖାନା ପ୍ରଦୂଷିତ ଜଳ ନୁହେଁ ତ?

ଯାଜପୁର/ଦାନଗଦୀ : ଯାଜପୁରରେ ଝାଡ଼ାବାନ୍ତି ରୋଗ ଏକ ପ୍ରକାର ଆତଙ୍କ ଖେଳାଇ ଦେଇଛି । ଏହା ପଛରେ କାରଣ କ’ଣ ତାହା ଖୋଜି ବାହାର କରିବା ସ୍ୱାସ୍ଥ୍ୟ ବିଭାଗ ସକ୍ଷମ ହୋଇନି । ଭୋଜି, ପାଣି, ପାଗର ଅଚାନକ ପରିବର୍ତ୍ତନ କାରଣ ବୋଲି କୁହାଯାଉଛି । ବ୍ୟାପୁଥିବା ରୋଗ ଡାଇରିଆ ବୋଲି କୁହାଯାଉଛି । ଏକଥା ଆମେ ଅସମର୍ଥିତ ସୂତ୍ରରୁ ଜାଣିବାକୁ ପାଇଥିଲେ ହେଁ, ସରକାର କି ଜିଲ୍ଲା ପ୍ରଶାସନ ଏହାର ପୁଷ୍ଟି କରିନି । ତଥାପି ଝାଡ଼ାବାନ୍ତି ହେଉ କି ଡାଇରିଆ ପଛରେ ଦୂଷିତ ପାଣିକୁ ହିଁ ପ୍ରମୁଖ କାରଣ ବୋଲି ଏଡାଇ ଦେଇ ହେବନି । ଯଦି ଏହା ସତ ହୁଏ, ତେବେ କାରଣଟି କେଉଁଠି ଉତ୍ପନ୍ନ ତାହା ମୂଳରେ ପହଁଚିବାର ଆବଶ୍ୟକତା ରହିଛି । ଝାଡ଼ାବାନ୍ତି ବ୍ୟାପିବା ପଛରେ ପ୍ରକୃଷ୍ଟ ପ୍ରମାଣ ପ୍ରଶାସନ ପାଇବାକୁ ସମର୍ଥ ହୋଇ ନ ଥିବା ବେଳେ, କାରଖାନାର ପ୍ରଦୂଷିତ ଜଳ କାରଣ ନୁହେଁ ତ ବୋଲି ଆଲୋଚନା ଆରମ୍ଭ ହେଲାଣି । ପ୍ରଶାସନ ପାଖରେ ମଧ୍ୟ ଏଭଳି ଖବର ପହଁଚିବାରେ ଲାଗିଛି । 
ମିଳୁଥିବା ଖବର ଏବଂ ଆଲୋଚନାକୁ ପ୍ରଶାସନ କେତେଦୂର ଗ୍ରହଣ କରିବ ତାହାତ ସମୟ କହିବ, କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଉତ୍ପାଦନକ୍ଷମ ଏକାଧିକ କାରଖାନାର ପ୍ରଦୂଷିତ ଜଳ ବ୍ରହ୍ମଣୀ ନଦୀ ସ୍ରୋତରେ ସାମିଲ ହେଉଥିବାରୁ ଅନେକ ଏହାକୁ ବିଶ୍ୱାସକୁ ନେଉଛନ୍ତି । କଳିଙ୍ଗନଗରରେ ଗଢି ଉଠିଥିବା କାରଖାନା ଗୁଡ଼ିକରୁ ନିର୍ଗତ ବର୍ଯ୍ୟ ପାଣି ପ୍ରାୟତ ଗଣ୍ଡାନାଳ ବାଟେ ବ୍ରାହ୍ମଣୀରେ ମିଶିଥାଏ । କାରଖାନାରୁ ନିର୍ଗତ ପାଣିକୁ ଟି୍ରଟିମେଣ୍ଟ କରି ଛଡ଼ାଯାଉଥିବା କଥା ପ୍ରାୟତ ସବୁ କାରଖାନା କର୍ତୁପକ୍ଷ କହିଥାନ୍ତି । କିନ୍ତୁ ଏହା କେତେଦୂର ଯଥାର୍ଥ ତାହା କେବଳ ପ୍ରଦୂଷଣ ବିଭାଗ ଏବଂ କାରଖାନା କର୍ତୁପକ୍ଷଙ୍କୁ ହିଁ ଜଣାଥିବ । କିନ୍ତୁ ଯଦି କହିବା ତେବେ ବିଗତ ଦିନରେ ରାଜ୍ୟ ଏବଂ କଳିଙ୍ଗନଗରରେ କାର୍ଯ୍ୟ କରୁଥିବା ପ୍ରଦୂଷଣ ବିଭାଗ ବିଭିନ୍ନ କାରଖାନାରୁ ନିର୍ଗତ ବର୍ଯ୍ୟପାଣିକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥାନ୍ତି । ଯାହାର ରିପୋର୍ଟ ସାର୍ବଜନୀନ ହୋଇନଥାଏ ବା ସ୍ପଷ୍ଟ କହିବାକୁ ଗଲେ ଅନ୍ଧାରରେ ରହିଥାଏ । କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳବାସୀ କୁହ ବା ବ୍ୟାସନଗରବାସୀ ବା ପରିବେଶବିତ ବ୍ରାହ୍ମଣୀ ନଦୀ ଜଳ ପଦୂଷିତକୁ ନେଇ ବାରମ୍ବାର ଅଭିଯୋଗ କରିଆସିଛନ୍ତି । ଆଗରୁ ଯେଉଁ ଅଭିଯୋଗ ହେଉଥିଲା, ଏବେ ଡ଼ାଇରିଆ କାରଣରୁ ସେହି ଅଭିଯୋଗ ହେବାରେ ଲାଗିଛି । ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରୁ ବ୍ୟାସନଗରବାସୀଙ୍କୁ ଯୋଗାଇ ଦିଆଯାଉଛି ପିଇବା ପାଣି । ଟି୍ରଟିମେଣ୍ଟ କରି ପାଣି ଯୋଗାଣ ହେଉଥିଲେ ହେଁ କାରଖାନାର ପ୍ରଦୂଷିତ ଜଳ ମିଶ୍ରିତ ରହିଥିବାରୁ ତାହା ରୋଗର ଏକ କାରଣ ବୋଲି ଅନେକ ଆଶଙ୍କାବ୍ୟକ୍ତ କରିଛନ୍ତି । ବ୍ରାହ୍ମଣୀ ଜଳ ଯେ, କେବଳ ବ୍ୟାସନଗରବାସୀଙ୍କୁ ମିଳୁଛି, ତାହା ନୁହେଁ ଧର୍ମଶାଳାର ଅନେକ ପଞ୍ଚାୟତ ମଧ୍ୟ ଉକ୍ତ ନଦୀ ଜଳ ବ୍ୟବହାର କରୁଛନ୍ତି । ଏପରିକି ନଦୀଜଳ ଜଳସ୍ତରକୁ ପ୍ରବାହିତ ହେଉଥିବାରୁ ଭୂତଳ ଜଳ ବ୍ୟବହାର କରୁଥିବା ବିଭିନ୍ନ ଅଞ୍ଚଳବାସୀ ରୋଗରେ ବି ଆକ୍ରାନ୍ତ ହେବାର ଆଶଙ୍କା କରାଯାଇଛି । ହେଉଥିବା ଏଭଳି ଅଭିଯୋଗ ଏବଂ ଚର୍ଚ୍ଚା ଆଲୋଚନାକୁ ଏଡ଼େଇ ଦିଆଯାଇନପାରେ । ଅନ୍ୟପକ୍ଷରେ ଯଦି ଦେଖିବା ତେବେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗିରହିଥିବା ଗାଁ ଗୁଡିକର ଅନେକ ଜଳଉସô ପ୍ରଦୂୂଷିତ ହୋଇପଡ଼ିଛି । ଯେଉଁ ଶିଳ୍ପାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଠିକଭାବରେ ମିଳିପାରୁନାହଁ । ଷ୍ଟିଲ ହବ୍ ଭାବେ ପରିଚିତ କଳିଙ୍ଗନଗର ବାସିନ୍ଦା ବାସ୍ତବରେ କିପରି ଦୟନୀୟ ଭାବେ ବସବାସ କରୁଛନ୍ତି ତାହା ଯିଏ ନିଜ ଆଖିରେ ନ ଦେଖିବ ବିଶ୍ୱାସ କରିବନି । ନବେ ଦଶକରେ ଶିଳ୍ପ ଆରମ୍ଭ ହେବାରୁ ଆଜକୁ ତିନି ଦଶନ୍ଧିରୁ ଉର୍ଦ୍ଧ ହେବ ୨୦ରୁ ଉର୍ଦ୍ଧ ବୃହତ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହୋଇ ଉତ୍ପାଦନ ଆରମ୍ଭ ହେଲାଣି । ଦୁର୍ଭାଗ୍ୟ କଥା ଶିଳ୍ପ ପାଇଁ ଭିଟାମାଟି ହରାଇ କାରଖାନା ପାଚେରୀ ପାଖରେ ପଡିରହିଥିବା ଗାଁ ଗୁଡିକର ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଲା ଶିଳ୍ପ ଜନିତ ବ୍ୟାପକ ବାୟୁ ଓ ଜଳ ପ୍ରଦୂଷିତ ହୋଇଛି । ଶିଳ୍ପ ଗାଁ ଗୁଡିକରେ ଥିବା ଜଳଉତ୍ସ ଓ ଭୂତଳ ଜଳ ଗୁଡିକ କାରଖାନା ଗୁଡିକ ପାଇଁ ସମ୍ପୂର୍ଣ ପ୍ରଦୂଷିତ ହୋଇ ଗଲାଣି । କୂଅ ଓ ପୋଖରୀ, ନାଳ ପ୍ରଭୁତି ଜଳାଶୟ ଗୁଡିକର ଜଳ କାରଖାନାରୁ ଉଡୁଥିବା କଳା ଧଳା ଗୁଣ୍ଡ, କେମିକାଲରେ ପ୍ରଦୂଷିତ ହୋଇଯାଇଛି । ଯାହା  ବ୍ୟବହାର ଅନୁପଯୁକ୍ତ ହୋଇଗଲାଣି । ପାଣିପାଗ ଓ ଜଳବାୟୁର ପରିବର୍ତନ ଏହି ଗ୍ରାମାଞ୍ଚଳ ଗୁଡିକରେ କୁ ପ୍ରବାହ ପକାଉଛି । ଗଣ୍ଡା ନାଳ କୂଳରେ ବସବାସ କରୁଥିବା ଲୋକମାନେ ବେଶୀ ଏହି ଜଳ ପ୍ରଦୂଷଣରେ ପେଷି ହେଉଛନ୍ତି । ବଡ଼ଠୁ ଶିଶୁ ପ୍ରଦୂଷିତ ପରିବେଶରେ ରୋଗାକ୍ରାନ୍ତ ହୋଇ ଯାଉଛନ୍ତି । ଏଣୁ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଡ଼ାଇରିଆ ପଛରେ କାରଖାନା ବର୍ଯ୍ୟ ଜଳ କେତେମାତ୍ରାରେ ଉତ୍ତରଦାୟୀ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ।