୧୯୭୧ ମହାବାତ୍ୟା
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ୧୯୭୧ ଅକ୍ଟୋବର ୨୯ ତାରିଖରେ ଓଡ଼ିଶାରେ ପ୍ରଳୟଙ୍କରୀ ମହାବାତ୍ୟା ସଂଘଟିତ ହୋଇଥିଲା । ଏହି ମହାବାତ୍ୟାରେ ଓଡ଼ିଶାର ଉପକୂଳ ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଶହ ଶହ ମନୁଷ୍ୟ ଓ ପଶୁ ପ୍ରାଣ ହରାଇଥିଲେ ତଥା ହଜାର ହଜାର ଗଛ ଉପୁଡି ପଡିଥିଲା । ମହାବାତ୍ୟାରେ ହଜାର ହଜାର ବାସଗୃହ ଭାଙ୍ଗି ଯାଇଥିଲା । ଆମ ଢେଙ୍କାନାଳ ଜିଲାର ଗଁଦିଆ ବ୍ଲକରେ ପ୍ରାୟ ୧୦୦୦ ବ୍ୟକ୍ତି ମୃତୁ୍ୟବରଣ କରିଥିଲେ । ୨୨ଟି ଗ୍ରାମ ପଞ୍ଚାୟତର ୨୧୫ଟି ଗ୍ରାମ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା, ଅନେକ ଗୃହପାଳିତ ପଶୁ ମରିଥିଲେ ତଥା ଏକ ହଜାରରୁ ଅଧିକ ବଡ ବଡ ବୃକ୍ଷ ଭୂତଳଶାୟୀ ହୋଇଥିଲା । ଧାନକ୍ଷେତରେ ଧାନଗଛ ସବୁ ପାଚିଲା ଅବସ୍ଥାରେ ଥିଲା ତଥା ମହାବାତ୍ୟାରେ ହଜାର ହଜାର ଏକର ଧାନକ୍ଷେତ ନଷ୍ଟ ହୋଇଯାଇଥିଲା । ମୁଁ ମାତ୍ର ୧୭ ଦିନ ପୂର୍ବରୁ କାର୍ଯ୍ୟରେ ଯୋଗ ଦେଇଥିଲି । ଦେବୋତ୍ତର ଜମି ସବୁ କପିଳାସ ପର୍ବତର ପାଦଦେଶସ୍ଥ ଦେଓଗାଁ, ମହୁଲଖକି, ଦୁର୍ଗାପ୍ରସାଦ, ଗୋପାଳପୁର, ସାନ୍ଦାପଶି, ଯାଆଳାପଶି, ବିଶ୍ୱନାଥପୁର, ବଣିଆ, ମଠତେନ୍ତୁଳିଆ ପ୍ରଭୃତି ଗ୍ରାମରେ ଅବସ୍ଥିତି ଥିଲା । ଏହି ଚାଷ ଜମି ଗୁଡିକ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା । ଠାକୁରଙ୍କର ପ୍ରାୟ ଚାରିଶହ ଏକର ଚାଷଜମି ସଂପୂର୍ଣ୍ଣ ଭାବେ ଓ ତିନିଶହ ଏକର ଚାଷଜମି ଆଂଶିକ ଭାବେ ନଷ୍ଟ ହୋଇଯାଇଥିଲା । ଖମାରମାନଙ୍କରେ ଥିବା ଚାଳଘର ଓ ଗୁହାଳ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା ।
ସେତେବେଳେ ରାଜକିଶୋର ଭୂଜବଳ ଢେଙ୍କାନାଳର ଜିଲାପାଳ, ମଦନମୋହନ ମହାନ୍ତି ଉପଜିଲାପାଳ ଓ ଉପେନ୍ଦ୍ରନାଥ ମଲ୍ଲିକ ଗଁଦିଆର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଥିଲେ । ୩୦ ତାରିଖ ସକାଳୁ ଜିଲାପାଳ, ଉପଜିଲାପାଳ ତଥା ଜିଲା କାର୍ଯ୍ୟାଳୟ ସମସ୍ତ ପଦାଧିକାରୀ ଓ କର୍ମଚାରୀ ରିଲିଫ ସାମଗ୍ରୀ ଧରି ଗଁଦିଆ ବ୍ଲକରେ ପହଞ୍ଚôଗଲେ । ସଡଙ୍ଗୀ ଠାରେ ବେସ କ୍ୟାମ୍ପ କରାଯାଇ ରିଲିଫ ବଣ୍ଟନ କରାଗଲା । ବନ ବନେ୍ଦାବସ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ମିଶ୍ର ବେସ କ୍ୟାମ୍ପ ଅଫିସର ଥିଲେ । ପ୍ରଥମେ ବାତ୍ୟାଗ୍ରସ୍ତ ଲୋକମାନଙ୍କୁ ଚୁଡା, ଗୁଡ, ବିସ୍କୁଟ ପ୍ରଭୃତି ବଣ୍ଟାଗଲା । ତାପରେ ଚାଉଳ ବଣ୍ଟାଗଲା । ଜଣକୁ ଦିନକୁ ଅଧିକିଲୋ ଲେଖାଏଁ ଚାଉଳ ସାତଦିନ ପର୍ଯ୍ୟନ୍ତ ପ୍ରଥମେ, ଦ୍ୱିତୀୟରେ ଆଉ ସାତଦିନ ପର୍ଯ୍ୟନ୍ତ ଏବଂ ତୃତୀୟରେ ଆଉ ସାତଦିନ ପର୍ଯ୍ୟନ୍ତ ବଣ୍ଟାଗଲା । ତା ମଧ୍ୟରେ ପ୍ରତ୍ୟେକ ପରିବାରର କ୍ଷୟକ୍ଷତି ଆକଳନ କରାଯାଇ ଟଙ୍କା ବଣ୍ଟାଗଲା । ଦେଢମାସ ପର୍ଯ୍ୟନ୍ତ ବଣ୍ଟନ କାର୍ଯ୍ୟ ଚାଲୁ ରହିଲା । ମୁଁ ଦେବୋତ୍ତର ଦାୟିତ୍ୱରେ ଥିବାରୁ ମୋତେ କପିଳାସ ପାଦଦେଶ ବିଧାରପୁର ଗ୍ରାମ ପଞ୍ଚାୟତର ରିଲିଫ ବଣ୍ଟନ କାର୍ଯ୍ୟରେ ନ୍ୟସ୍ତ କରାଯାଇଥିଲା । ମୋତେ ସାହାଯ୍ୟ କରିବା ନିମିତ୍ତ ଜଣେ ଗ୍ରାମସେବକ ଓ ଚାରିଜଣ ପ୍ରାଥମିକ ଶିକ୍ଷକ ଦିଆଯାଇଥାଏ । ଗ୍ରାମର ଚୋ÷କୀଦାରମାନେ ମଧ୍ୟ ରିଲିଫ ବଣ୍ଟନରେ ସାହାଯ୍ୟ କରୁଥିଲେ । ବିଧାରପୁର ଗ୍ରାମ ପଞ୍ଚାୟତର ବିଧାରପୁର, ଅନ୍ନ୍ପୁର, ବନବାସପୁର ଓ ଗୁଣ୍ଡୁରାପଶି ଗ୍ରାମ ଢେଙ୍କାନାଳ ମନ୍ଦାର ମୁଖ୍ୟରାସ୍ତା ନିକଟରେ ଅବସ୍ଥିତ ଥିଲେ ହେଁ ସୋରିଷିଆପଦା, ସିମିଳିଆ, ବଣିଆ, ରାମେଇ, କୋହ୍ଲ୍ନା ଓ ଚଟିଘର ପ୍ରଭୃତି ଛଅଖଣ୍ଡ ଗ୍ରାମ ଜଙ୍ଗଲ ଭିତରେ ଅବସ୍ଥିତ ଥିଲା । ଏହି ଛଅଖଣ୍ଡ ଗ୍ରାମ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ବିଧାରପୁରରୁ ସେହି ଗ୍ରାମମାନଙ୍କୁ ସିଧା ରାସ୍ତା ନଥିଲା । ବିଧାରପୁରରୁ ଦେଓଗାଁ ଆସି ସେଠାରୁ ଟାଙ୍ଗୀ ରାସ୍ତାରେ ଏହିସବୁ ଗ୍ରାମକୁ ଯିବାକୁ ପଡିଥାଏ । ମୁଁ ବିଧାରପୁର, ଅନ୍ନପୁର, ବନବାସପୁର ଓ ଗୁଣ୍ଡରାପଶି ଗ୍ରାମର ରିଲିଫ ବଣ୍ଟନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କଲି । ସରପଞ୍ଚ ଓ ୱାର୍ଡମେମ୍ବରମାନେ ରିଲିଫ ବଣ୍ଟନରେ ସାହାଯ୍ୟ କଲେ । ଜଙ୍ଗଲ ଭିତରେ ଥିବା ଛଅ ଖଣ୍ଡି ଗ୍ରାମର ରିଲିଫ ସାମଗ୍ରୀ ସୋରଷିଆପଦା ଫରେଷ୍ଟ କାର୍ଯ୍ୟାଳୟଠାରେ ରଖି ବଣ୍ଟନ କଲି । ସେତେବେଳେ ଶରତ ଚନ୍ଦ୍ର ମିଶ୍ର ସୋରିଷିଆପଦା ଫରେଷ୍ଟର ଥିଲେ । ସେ ଓ ତାଙ୍କର ସହକର୍ମୀ ତଥା ସୋରିଷିଆପଦା ଆଦିବାସୀ ଓ ହରିଜନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ (ସେବକ)ମାନେ ରିଲିଫ ବଣ୍ଟନରେ ମୋତେ ସାହାଯ୍ୟ କରିଥିଲେ । ବିଶେଷତଃ ସନ୍ଧ୍ୟା ହେଲେ ହାତୀମାନେ ଉପଦ୍ରବ କରୁଥିଲେ । ନିକଟରେ ବାଘହେଣ୍ଟାଳ ମଧ୍ୟ ମୁଁ ଶୁଣିଛି । ରିଲିଫ ସାମଗ୍ରୀ ଚୋରି ହେବା ଭୟରେ ମୁଁ ସେହି ଫରେଷ୍ଟ କାର୍ଯ୍ୟାଳୟରେ ରାତ୍ରିଯାପନ କରୁଥିଲି । ପ୍ରଥମେ ସେହି ଅଞ୍ଚଳକୁ ଯାଇ ଲୋକମାନଙ୍କ ଦୁରବସ୍ଥା ଦେଖି ମୁଁ କାନ୍ଦି ପକାଇଲି । ଘର ଭାଙ୍ଗି ଯାଇଥାଏ । ଶୀତକାକରରେ ପିଲାଛୁଆଙ୍କୁ ଧରି ଲୋକମାନେ ରାସ୍ତାକଡରେ ରହୁଥାନ୍ତି । ସେମାନଙ୍କୁ ଚୁଡା, ଗୁଡ, ବିସ୍କୁଟ, ଚାଉଳ, ଲୁଗା ଓ କମ୍ବଳ ଦେବା ପରେ ସେମାନେ ଆଶ୍ୱସ୍ତ ହେଲେ । ଜିଲାପାଳଙ୍କ ଠାରୁ ଆଦେଶ ଆଣି ସେମାନଙ୍କୁ ୨୧ ଦିନ ପରିବର୍ତ୍ତେ ମାସେ ନିମିତ୍ତ ଚାଉଳ ଦେଲି । ଘର ସଂପୂର୍ଣ୍ଣ ଭାଙ୍ଗିଥିବାରୁ ନୂତନ ଗୃହନିର୍ମାଣ ନିମିତ୍ତ ଟଙ୍କା ବଣ୍ଟନ ହେଲା । ତଥାପି ମୋ ମନ ବୋଧ ହେଉନଥାଏ । ସେମାନଙ୍କୁ ଅଧିକ ସରକାରୀ ସାହାଯ୍ୟ ଦେବାକୁ ଇଛା ଥିଲେ ହେଁ ରିଲିଫକୋଡର ଉଲ୍ଲିଖିତ ନିୟମ ମୁଁ ମାନିବାକୁ ବାଧ୍ୟ ହୋଇଥିଲି । କାନ୍ଥ ପଡି ବାପା ଓ ମାଆଙ୍କୁ ହରାଇଥିବା ଦୁଇଟି ଅନାଥ ବାଳକଙ୍କୁ ଜିଲାପାଳଙ୍କ ଆଦେଶ ମତେ କେନ୍ଦୁଝର ମନୋଜ ମଞ୍ଜରୀ ଶିଶୁ ଭବନରେ ନେଇ ରଖାଇଲି ।
ରିଲିଫ କାର୍ଯ୍ୟ ଚାଲୁଥିଲା ବେଳେ ହଠାତ୍ ରିଲିଫ କମିଶନର ଭି.ଏସ. ମାଥୁ୍ୟସ ଜିଲାପାଳ ଓ ଉପଜିଲାପାଳଙ୍କ ସହ ସେଠାରେ ପହଞ୍ଚôଲେ । ସେ ଜଣେ କଡ଼ା ପଦାଧିକାରୀ ଓ କାର୍ଯ୍ୟରେ ଅବହେଳା ସହ୍ୟ କରିପାରନ୍ତି ନାହିଁ ବୋଲି ଶୁଣିଥିଲି । ମୋତେ ଦେଖି ଜିଲାପାଳଙ୍କୁ ସେ ପଚାରିଲେ, ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଏହି ଦୁର୍ଗମ ଅଞ୍ଚଳରେ ଆପଣ ଜଣେ ଅଭିଜ୍ଞ ପଦାଧିକାରୀଙ୍କୁ ଦାୟିତ୍ୱରେ ନରଖି ମାତ୍ର ପନ୍ଦର ଦିନ ଚାକିରି କରିଥିବା ଏହି ଯୁବକଙ୍କୁ କାହିଁକି ଦାୟିତ୍ୱରେ ରଖିଲେ । ଜିଲାପାଳ ଉତ୍ତରରେ କହିଲେ, “ମୋର ବିଶ୍ୱାସ ରହିଛି ଜଣେ ଅଭିଜ୍ଞ ପଦାଧିକାରୀ ଅପେକ୍ଷା ଏହି ଯୁବକ ଦାୟିତ୍ୱବାନ । ମୁଁ ଚାରିଥର ତାର କାମ ତନଖି କଲିଣି । ସେ ଜଣେ ଅଭିଜ୍ଞ ସଦୃଶ କାମ କରୁଛି ।” ତାପରେ ରିଲିଫ କମିଶନର ପ୍ରାୟ ପଚାଶଜଣ ଲୋକଙ୍କୁ କଣ କଣ ବାବୁ ଦେଇଛନ୍ତି ବୋଲି ପଚାରିଲେ ଓ ସେମାନଙ୍କ କହିବା ଅନୁସାରେ କାଗଜପତ୍ର ତନଖି କଲେ । ତାପରେ ରାମେଇ ଓ ସିମିଳିଆ ଗାଁର ଦୁରବସ୍ଥା ଦେଖି ତାଙ୍କ କଠିନ ହୃଦୟ ତରଳିଗଲେ । ସେହି ଗ୍ରାମ ଅପେକ୍ଷା କୋହ୍ଲା, ଓ ଚଟିଘର ବେଶୀ କ୍ଷତିଗ୍ରସ୍ତ ବୋଲି ଦର୍ଶାଇଲି ଏବଂ ସେହିସବୁ ଗ୍ରାମ ପରିଦର୍ଶନ କରିବାକୁ କମିଶନରଙ୍କୁ ଅନୁରୋଧ କଲି । ସମୟ ଅଭାବରୁ ସେ ଯାଇପାରିଲେ ନାହିଁ ଓ ମୋତେ ‘ସାବାସ ଯୁବକ’ କହି ବିଦାୟ ନେଲେ । ଦୀର୍ଘ ଦୁଇମାସ କାଳ ମୁଁ ରିଲିଫ କାର୍ଯ୍ୟରେ ବ୍ୟସ୍ତ ରହିଲେ ମଧ୍ୟ ମଠ ଓ ମନ୍ଦିର କଥା ବୁଝୁଥାଏ । ସମୟ ପାଇଲେ କପିଳାସ ଓ ଢେଙ୍କାନାଳ ଆସି ମନ୍ଦିର ଓ କାର୍ଯ୍ୟାଳୟର ଯାବତୀୟ ସମସ୍ୟା ସମାଧାନ କରୁଥାଏ । ଏହି ସମୟ ମଧ୍ୟରେ ଦେବୋତ୍ତର ପରିଚାଳନାରେ କିଛି ତ୍ରୁଟି ହୋଇନାହିଁ । କାରଣ ଦେବୋତ୍ତର ପରିଦର୍ଶନ ଓ ଜମାଦାରମାନେ ଅଭିଜ୍ଞ ବ୍ୟକ୍ତି ଥିଲେ । ମୋ ଅପେକ୍ଷା ସେମାନଙ୍କର ଅଭିଜ୍ଞତା ଅଧିକ ଥିଲା । ସେମାନେ ଉପୁଜୁଥିବା ସକଳ ସମସ୍ୟାର ସମାଧାନ କରି ଦେଉଥିଲେ । କେବଳ ଜଟିଳ ସମସ୍ୟାର ନିଷ୍ପତ୍ତି ଓ ସମାଧାନ ମୋ ଉପରେ ନ୍ୟସ୍ତ କରୁଥିଲେ । ମୁଁ ଜିଲାପାଳଙ୍କୁ ସେହି ସବୁ ସମସ୍ୟା ଦର୍ଶାଇ ତାଙ୍କ ପରାମର୍ଶ ଲୋଡୁଥିଲି । ଦେବୋତ୍ତରରେ କୃଷି ସୁପରଭାଇଜର ଭାବରେ ଯୋଗ ଦେଇଥିବା ହରେକୃଷ୍ଣ ପଟ୍ଟନାୟକ (ହରିବାବା) ଜଣେ ଧର୍ମପ୍ରାଣ ବ୍ୟକ୍ତି ଥିଲେ । ସେ ଲୋକଙ୍କ ଠାରୁ ସାହାଯ୍ୟ ଆଣି ୧୯୪୮ ଠାରୁ ୧୯୫୦ ମଧ୍ୟରେ କପିଳାସର ୧୩୫୨ ଗୋଟି ପାବଚ୍ଛ ନିର୍ମାଣ କରାଇଥିଲେ । ସେ ମଧ୍ୟ ଉକ୍ରଳ ସତ୍ୟ ସମାଜ ନାମରେ ଗୋଟିଏ ଧର୍ମାନୁଷ୍ଠାନ ଗଢିଥିଲେ । ଜଣେ ଅଭିଜ୍ଞ ଧର୍ମପ୍ରାଣ ବ୍ୟକ୍ତି ଭାବରେ ଯଜ୍ଞର ସୁଖ୍ୟାତି ରହିଥିଲା । ଦେବୋତ୍ତରର କୃଷିକାର୍ଯ୍ୟ ତଦାରଖ କରିବା ସହ ସେ ମଠ ମନ୍ଦିର ପରିଚାଳନାରେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ଇତ୍ୟବସରେ ମୋର ଜଣେ ମାମୁଁ ବସନ୍ତ କୁମାର ମିଶ୍ର ଆସି ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବରେ ଯୋଗଦେଲେ । ତାଙ୍କୁ ମଧ୍ୟ ଜିଲାପାଳ କାମ ସହିତ ଦେବୋତ୍ତର ପରିଚାଳନା କରିବାର ଦାୟିତ୍ୱ ଦେଲେ । ତେଣୁ ମୋତେ ସୁବିଧା ହେଲା ।
୧୯୭୧ ମହାବାତ୍ୟାରେ ଢେଙ୍କାନାଳ ଦେବୋତ୍ତରର ବହୁତ କ୍ଷତି ହୋଇଥିବା କପିଳାସ ପାଦ ଦେଶରେ ୧୫ଗୋଟି ରାଜସ୍ୱ ଗ୍ରାମରେ ଥିବା ଶ୍ରୀ ଚନ୍ଦ୍ରଶେଖର, ପାର୍ବତୀ ଓ ନାରାୟଣଙ୍କର ଚାଷଜମି ବହୁ ପରିମାଣରେ ନଷ୍ଟ ହୋଇଥିଲା । ୧୯୦୦ ମସିହାରେ ମହୁଲିଖଳି, ଦୁର୍ଗାପ୍ରସାଦ, ବାଇଁଶିଆ ଓ ସାନ୍ଦାପଶି ଖମାରରୁ ୩୯୨ ଭରଣ ଧାନ ଅମଲ ହୋଇଥିଲେ ହେଁ ୧୯୭୧ ରେ ମାତ୍ର ୪୬ଭରଣ ଧାନ ଅମଲ ହୋଇଥିଲା । ଧାନକ୍ଷେତ ହୋଇଯାଇଥିବାରୁ ପ୍ରଜାମାନେ ନିର୍ଦ୍ଧାରିତ ସଞ୍ଜା ଦେବାକୁ ସକ୍ଷମ ହେଲେ ନାହିଁ । ସରକାର ପ୍ରଜାମାନଙ୍କୁ ବିପୁଳ ଟଙ୍କା ସାହାଯ୍ୟ ଦେଲେ ହେଁ ଦେବୋତ୍ତର କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ଓ ଦେବୋତ୍ତର କମିଶନରଙ୍କୁ ରିପୋର୍ଟ ଦିଆଯାଇଥିଲା, ଅଥଚ କିଛି ସାହାଯ୍ୟ ମିଳିଲା ନାହିଁ । ମୁଁ ବ୍ୟକ୍ତିଗତ ଭାବେ ଗଁଦିଆ ବିଧାୟକ ହଳଧର ମିଶ୍ର ଓ ଢେଙ୍କାନାଳ ସାଂସଦ ରାଜା କାମାକ୍ଷାପ୍ରସାଦ ସିଂହଦେଓଙ୍କୁ ସକଳ ବିଷୟ ଅବଗତ କରାଇଥିଲି । ରାଜା କୋ÷ଣସି ବଦାନ୍ୟ ବ୍ୟକ୍ତି ବା କମ୍ପାନୀ ଠାରୁ କିଛି ସାହାଯ୍ୟ ଆଣିବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛି ସାହାଯ୍ୟ ମିଳିଲା ନାହିଁ । ତଥାପି ଜମାଦାର, ହଳିଆ ଓ ଶ୍ରମିକଙ୍କୁ କାମରେ ଲଗାଇ ମୁଁ ଖମାରମାନଙ୍କରେ ଭାଙ୍ଗି ଯାଇଥିବା ଚାଳଘର ଓ ଗୁହାଳ ନିର୍ମାଣ କରାଇଲି । ଗଁଦିଆ ଠାରେ ଶହେ ଗାଈ ରହିବା ନିମିତ୍ତ ଗୋଟିଏ ବଡ ଗୋଶାଳା ଥିଲା, ଯାହାକି ବାତ୍ୟାରେ ସଂପୂର୍ଣ୍ଣ ଧୂଳିସାତ୍ ହୋଇଥିଲା । ତାହା ଆଉ ପୁନନିର୍ମାଣ ହୋଇପାରିଲା ନାହିଁ ।
ପ୍ରଳୟଙ୍କରୀ ବାତ୍ୟାରେ ଦେବୋତ୍ତର ଧାନକ୍ଷେତ ଉଜୁଡି ଯାଇଥିଲେ ହେଁ ମଠ ତେନ୍ତୁଳିଆ ଖମାରରେ ୨୫୦ ଭରଣ ପୁରାତନ ବର୍ଷର ଧାନ ମହଜୁଦ ଥିଲା । ସେତେବେଳେ ମଠ ତେନ୍ତୁଳିଆ ଗ୍ରାମକୁ ସଡକ ପଥ ନଥିଲା । ତେଣୁ ଧାନ ଦେଓଗାଁ ପର୍ଯ୍ୟନ୍ତ ଆସିପାରୁନଥିଲା । ମୁଁ ଏହି ପ୍ରସଙ୍ଗ ଜିଲାପାଳଙ୍କୁ ଜଣାଇଲି ତଥା ଢେଙ୍କାନାଳ ମନ୍ଦାର ରାସ୍ତାର ରାମଚନ୍ଦ୍ରପୁର ଶାସନ (ବରପଦା) ଠାରୁ ମଠ ତେନ୍ତୁଳିଆକୁ ୫ କି.ମି. ସଡକ ନିର୍ମାଣ କରାଇବାକୁ ଅନୁରୋଧ କଲି । ଜିଲାପାଳ, ଗଁଦିଆ ବ୍ଲକ ଚେୟାରମ୍ୟାନଙ୍କ ବିଡିଓ ସରଜମିନ ତଦନ୍ତ କଲେ । ସଡକ ନିର୍ମାଣ ହେଲେ ଭାଲିଆଚକରେ ଥିବା ପ୍ରାୟ କୋଡିଏ ଏକର ଦେବୋତ୍ତର ତଇଳାଜମି ନଷ୍ଟ ହେବ ବୋଲି ମୁଁ ଦର୍ଶାଇଲି । ତଥାପି ଜିଲାପାଳ ସଡକ ନିର୍ମାଣ ପାଇଁ ଆଦେଶ ଦେଲେ ଏବଂ ବିଡିଓ ଏକମାସ ମଧ୍ୟରେ ସଡକ ନିର୍ମାଣ କରାଇଲେ । ଏହାପରେ ଟ୍ରକ ଯୋଗେ ସେହି ୨୫୦ ଭରଣ ଧାନ ମଠତେନ୍ତୁଳିଆରୁ ଦେଓଗାଁକୁ ଆସିପାରିଲା ଏବଂ ସେହି ଧାନରେ କପିଳାସର ଭୋଗ ନିମିତ୍ତ ଅରୁଆ ଚାଉଳ ପ୍ରସ୍ତୁତ ହେଲା । ମହାବାତ୍ୟା ଯୋଗୁ ଧାନ କମ ଅମଳ ହୋଇଥିଲା । ଏହି ଦୁଃସମୟରେ ମଠତେନ୍ତୁଳିଆରେ ମହଜୁଦ ଥିବା ଧାନରେ କିଛି ମାସ ନିମିତ୍ତ କପିଳାସର ଭୋଗରେ ଲାଗିପାରିଲା । ସେହି ୨୫୦ଭରଣ ଓ ଅମଳ ହୋଇଥିବା ୪୬ ଭରଣ ଏ ରୂପ ମୋଟ ୨୯୬ ଭରଣ ଧାନ ସେହି ବର୍ଷ ନିମିତ୍ତ ଥିଲା । କିନ୍ତୁ ଠାକୁରଙ୍କ ବର୍ଷକର ନୀତି ନିଯୋଗ ନିମିତ୍ତ ୬୦୦ ଭରଣ ଧାନର ଆବଶ୍ୟକତା ଥିଲା । ଆବଶ୍ୟକତା ଅନୁଯାୟୀ ଆଉ ୩୦୪ଭରଣ ଧାନ କେଉଁଠାରୁ ଆସିବ ସେହି ଚିନ୍ତା ମୋତେ ବ୍ୟତିବ୍ୟସ୍ତ କରିଦେଲା । କୃଷି ସୁପରଭାଇଜର ହରିବାବା ମୋତେ ସାଙ୍ଗରେ ନେଇ ଢେଙ୍କାନାଳ ସହରର ବଦାନ୍ୟ ବ୍ୟକ୍ତିଙ୍କୁ କପିଳାସ ଠାକୁରଙ୍କ ନୀତି ନିଯୋଗ ନିମିତ୍ତ ସାହାଯ୍ୟ ମାଗିଲେ । ଢେଙ୍କାନାଳରେ ବିଶିଷ୍ଟ ବ୍ୟବସାୟୀମାନେ ଅକୁଣ୍ଠ ଚିତ୍ତରେ ସାହାଯ୍ୟ ଦେଲେ । ଠାକୁରଙ୍କ କୃପାରୁ ସେହିବର୍ଷ ନୀତି ନିଯୋଗ ସୁରୁଖୁରୁରେ ସଂପାଦିତ ହୋଇପାରିଲା ।
ବାତ୍ୟାରେ ଦେଓଗାଁରେ ଥିବା ଠାକୁରଙ୍କ ସରଘରଟି ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ଏହି ସରଘରଟି ୧୯୧୦ ମସିହାରେ ରାଜା ସୁରପ୍ରତାପଙ୍କ ଦ୍ୱାରା ନିର୍ମାଣ ହୋଇଥିଲା । ତେଣୁ ସରଘରଟିର ଆବଶ୍ୟକୀୟ ମରାମତି ପରେ ଜିଲାପାଳଙ୍କ ଆଦେଶ ମତେ ସେହି ସରଘରେ ଚନ୍ଦ୍ରଶେଖର ବହୁମୁଖୀ ଶିକ୍ଷାୟତନ କରାଇଲି । ଦେଓଗାଁରେ ଗୋଟିଏ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଆବଶ୍ୟକତା ଥିଲା । ଏହି ପୁରୁଣାକୋଠା ଯେତେବେଳେ ଅସୁରକ୍ଷିତ ମନେହେଲା ସେତେବେଳେ ସଡକ ପାଖ ଦେବୋତ୍ତର ଜାଗାରେ ହାଇସ୍କୁଲ ନିମିତ୍ତ ନୂଆଘର ନିର୍ମାଣ ହେଲା । ବର୍ତ୍ତମାନ ସେହି ନୂଆ ଘରେ ଚନ୍ଦ୍ରଶେଖର ବହୁମୁଖୀ ଶିକ୍ଷାୟତନ ହେଉଅଛି । ପ୍ରଥମେ କିଛି ବର୍ଷ ଦେବୋତ୍ତର ଏହି ବିଦ୍ୟାଳୟଟି ପରିଚାଳନା କରୁଥିଲା । ବର୍ତ୍ତମାନ ଏହା ଓଡ଼ିଶା ସରକାରଙ୍କ ଗଣଶିକ୍ଷାବିଭାଗ ଦ୍ୱାରା ପରିଚାଳିତ ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨