ହିରୋସୀମା ଦିବସ ପାଳିତ
ପୁରୀ : ଆଜିନୁ ଠିକ୍ ୭୯ବର୍ଷ ତଳେ ୧୯୪୫ ମସିହା ଅଗଷ୍ଟ ୬ତାରିଖ ସକାଳ ୮ଟା ୧୩ମିନିଟ୍ରେ ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା ଯୁକ୍ତରାଷ୍ଟ୍ର ଆମେରିକା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଶକ୍ତିଶାଳୀ ପରମାଣୁ ବୋମା ନିକ୍ଷେପ ଫଳରେ ଘଟିଥିଲା ବ୍ୟାପକ କ୍ଷୟକ୍ଷତି । ସହସ୍ରାଧିକ ଲୋକ ମୃତାହତ ହୋଇଥିବା ବେଳେ ହିରୋସୀମା ସହର ବିଧ୍ୱସ୍ତ ହୋଇଯାଇଥିଲା । ଆଜି ଅଗଷ୍ଟ ୬ତାରିଖ ସକାଳେ ଇଣ୍ଟର ନ୍ୟାସ୍ନାଲ ଆସୋସିଏସନ ଫର ଦି ଫୁ୍ୟଚର ଅଫ ହୁ୍ୟମାନିଟି ପକ୍ଷରୁ ଷ୍ଟେସନ ରୋଡ଼୍ ସ୍ଥିତ ବୁଦ୍ଧ ମନ୍ଦିର ଠାରେ ପାଳିତହୋଇଯାଇଛି ହିରୋସୀମା ଦିବସ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଫେସର ଡ଼ାକ୍ତର ସଦାନନ୍ଦ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଡ଼କ୍ଟର ବିଶ୍ୱନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱାଗତ ଭାଷଣ ଦେବା ସହ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଉପସ୍ଥାପନ କରିଥିଲେ ଅନୁଷ୍ଠାନର ସଂପାଦକ ପ୍ରଫେସର ଅଳକାନନ୍ଦା ମିଶ୍ର । ବିଶିଷ୍ଟ ସମାଜସେବୀ ତଥା ସଂଗଠନ ଅନାମ ଚନ୍ଦ୍ର ସାହୁ ୨୮ବର୍ଷ ଧରି ନିରବଚ୍ଛିନ୍ନ ଭାବେ ହିରୋସୀମା ଦିବସ ପାଳନ କରାଯାଇ ଆସୁଛି ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ପୁରୀର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଥିଲେ ଯେ, ସଂପ୍ରତି ସମଗ୍ର ପୃଥିବୀରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି । ଏ ପରିପ୍ରେକ୍ଷୀରେ ସବୁ ସମୟରେ ଶାନ୍ତି ସଭା ଜାରି ରହୁ । ମୁଖ୍ୟ ବକ୍ତା ସଦାଶିବ ସଂସ୍କୃତ ସଂସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନିଦେ୍ର୍ଦଶକ ପ୍ରଫେସର ପ୍ରଭାତ ମହାପାତ୍ର ଭାରତ କିପରି ଯୁଗ ଯୁଗ ଧରି ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇ ଆସିଛି ସେ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସୁଦୂର ଜାପାନର ୮ଜଣ ଯୋଗ ଦେଇଥିଲେଃ ଫାଦର ବାପ୍ଟିଷ୍ଟ ଡ଼ିସୁଜା, ସମାଜସେବୀ ଉଦୟନାଥ ପ୍ରତିହାରୀ, ବୋଧୀ ପ୍ରିୟ ରବି ସାହୁ, ଅଶୋକ ପାତ୍ର, ଧବଳେଶ ମହାପାତ୍ର, ଶିବସୁନ୍ଦର ମିଶ୍ର, ବଳରାମ ଦାସ, ଡ଼ା. ନରହରି ମିଶ୍ର, ସ୍ୱାଧୀନ ପଣ୍ଡା, ମନୋଜ ରଥ, ଡ଼ା. ରାଧେଶ୍ୟାମ ରଥ, ରୋଟାରିଆନ କୃଷ୍ଣଚନ୍ଦ୍ର ସାହୁ, ବ୍ୟୋମକେଶ ପ୍ରସାଦ, ଦୟାନିଧି ପଣ୍ଡା ପ୍ରମୁଖ ଯେଗାଦେଇଥିଲେ ।