ରିଲିଜ୍ ପୂର୍ବରୁ ଭାଇରାଲ୍ ହେଲା ରଜନୀକାନ୍ତ ଙ୍କ'କୁଲି' କ୍ରେଜ୍

ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ 'କୁଲି'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଲୋକେଶ କନଗରାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଆଶା ରହିଛି । କୁହାଯାଉଛି ଯେ ଏଥିରେ ରଜନୀକାନ୍ତଙ୍କ ଏକ ଏପରି ଅବତାର ଦେଖିବାକୁ ମିଳିବ ଯାହା ପୂର୍ବରୁ କେହି କେବେ ଦେଖିନଥିବେ । ଫିଲ୍ମଟି ଅଗଷ୍ଟ ୧୪ରେ ମୁକ୍ତିଲାଭ କରିବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ଏହାର ପ୍ରଥମ ରିଭ୍ୟୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦର୍ଶକଙ୍କ ମଧ୍ୟରେ ଆହୁରି କ୍ରେଜ୍ ବଢାଇ ଦେଇଛି ।ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ପୋଷ୍ଟକୁ 'କୁଲି'ର ପ୍ରଥମ ରିଭ୍ୟୁ ବୋଲି ଦାବି କରାଯାଉଛି । ଏହି ପୋଷ୍ଟରେ ଲେଖାଅଛି, "ରଜନୀକାନ୍ତଙ୍କର ଏହା 'କାବିଲ' ପରଠାରୁ ଶ୍ରେଷ୍ଠ ଅଭିନୟ । ଶ୍ରୁତି ହାସନ ଫିଲ୍ମର ମୁଖ୍ୟ ଆକର୍ଷଣ । ନାଗାର୍ଜୁନ ଫିଲ୍ମର ମେରୁଦଣ୍ଡ । ଆମିର ଖାନଙ୍କ କ୍ୟାମିଓ ଥିଏଟରକୁ ଷ୍ଟାଡିୟମରେ ପରିଣତ କରିଦେବ । ଏକ ବହୁତ ବଡ଼ ସରପ୍ରାଇଜ୍ ଅଛି।" ଏହି ରିଭ୍ୟୁ ଫିଲ୍ମକୁ ନେଇ ଉତ୍କଣ୍ଠାକୁ ଆହୁରି ବଢାଇ ଦେଇଛି ଏବଂ ପ୍ରଶଂସକମାନେ ରିଲିଜ୍ ପାଇଁ ଅପେକ୍ଷା କରିପାରୁ ନାହାନ୍ତି ।
'କୁଲି'ରେ ରଜନୀକାନ୍ତଙ୍କ ସହ ଶ୍ରୁତି ହାସନ ଓ ନାଗାର୍ଜୁନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏଥିସହିତ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କର ମଧ୍ୟ ଏକ ଜବରଦସ୍ତ କ୍ୟାମିଓ ରହିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ, ଆମିର ଖାନଙ୍କ ପ୍ରଡକ୍ସନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଆମିର ଫିଲ୍ମର ବିତରଣରେ ସାମିଲ ନାହାନ୍ତି । ତାଙ୍କ ଟିମ୍ କହିଛି ଯେ ନିର୍ଦ୍ଦେଶକ ଲୋକେଶ କନଗରାଜ ଏବଂ ରଜନୀକାନ୍ତଙ୍କ ସହ ତାଙ୍କ ସମ୍ପର୍କ କାରଣରୁ ସେ ଏହି କ୍ୟାମିଓ ପାଇଁ ରାଜି ହୋଇଛନ୍ତି । ଭାରତରେ 'କୁଲି'ର ଆଡଭାନ୍ସ ବୁକିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିଲେ ମଧ୍ୟ ବିଦେଶରେ ଏହି ଫିଲ୍ମ ଧମାକାଦାର ଆୟ କରୁଛି । ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଓଭରସିଜ୍ ଆଡଭାନ୍ସ ବୁକିଂରୁ ବର୍ତ୍ତମାନ ସୁଦ୍ଧା ୨ ମିଲିୟନ ଡଲାର (ପ୍ରାୟ ୧୬.୫ କୋଟି ଟଙ୍କା)ରୁ ଅଧିକ ଆୟ କରିସାରିଲାଣି, ଯାହା ଏକ ବଡ଼ କଲେକ୍ସନ । ଆମେରିକା ଭଳି ଦେଶରେ 'କୁଲି'ର ଆଡଭାନ୍ସ ବୁକିଂ ହ୍ରିତିକ ରୋଶନଙ୍କ 'ୱାର୍ ୨'କୁ ପଛରେ ପକାଇ ଦେଇଛି । ରଜନୀକାନ୍ତଙ୍କ 'କୁଲି'ର ବକ୍ସ ଅଫିସରେ ସିଧାସଳଖ ମୁକାବିଲା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ୱାର୍ ୨' ସହିତ ହେବ, ଯାହା ଅଗଷ୍ଟ ୧୪ରେ ମୁକ୍ତିଲାଭ କରୁଛି । ଉଭୟ ବଡ଼ ଫିଲ୍ମ ହୋଇଥିବାରୁ କେଉଁ ଫିଲ୍ମ ବକ୍ସ ଅଫିସରେ ବାଜି ମାରିବ ତାହା ଦେଖିବାକୁ ବାକି ରହିଲା ।