ପଳାୟନପନ୍ଥୀ ନୁହଁ ଆହ୍ୱାନ ଆଗରେ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା 'ପଳାୟନପନ୍ଥୀ ନୁହଁ ଆହ୍ୱାନ ଆଗରେ'ର ମହତ୍ତ୍ୱ କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ବ୍ୟକ୍ତି ଯଦି ପଳାୟନପନ୍ଥୀ ହେଇଯାଏ, ତେବେ ମଧ୍ୟ ସମାଜ ତାକୁ ଛାଡେ ନାହିଁ । କୌଣସି ପରିସ୍ଥିତିରେ ପଡି ପଳାୟନପନ୍ଥୀ ହେଇଯିବ ବୋଲି ଭାବୁ ଥିବା ବ୍ୟକ୍ତି ଦିନେ ନା ଦିନେ ସମାଜର ବାସ୍ତବତା ନିକଟକୁ ଫେରି ଆସିବାକୁ ବାଧ୍ୟ । ସମାଜରୁ ପଳାୟନପନ୍ଥୀ ଯିଏ ବି ହୋଇଛି, ସିଏ ଦିନେ ନା ଦିନେ ପୁଣି ଫେରିଆସି ସମାଜରେ ଆତ୍ମପ୍ରକାଶ କରିଛନ୍ତି । ତେଣୁ ପଳାୟନପନ୍ଥୀ ହେବା ବୁଦ୍ଧିମାନ ବ୍ୟକ୍ତିର କର୍ତ୍ତବ୍ୟ ନୁହେଁ । ମନୁଷ୍ୟ ଝଡଝଞ୍ଜାକୁ ସହିବା ପାଇ ଧୈର୍ଯ୍ୟ ଧରିବା ଦରକାର । ଝଡଝଞ୍ଜାର ଜୀବନ ଭିତରେ ଧୈର୍ଯ୍ୟର ସହିତ ବଞ୍ଚିଲେ ମନୁଷ୍ୟ ଜୀବନର ମାଧୁର୍ଯ୍ୟକୁ ଉପଭୋଗ କରିଥାଏ । ଯେମିତି ଅନ୍ଧାର ନ ଥିଲେ ଆଲୋକର ମହତ୍ତ୍ୱ ବୁଝିବା ସମ୍ଭବ ନୁହେଁ, ଠିକ୍ ସେହିପରି ଦୁଃଖ ନ ଥିଲେ ସୁଖର ମହତ୍ତ୍ୱ ମଧ୍ୟ ବୁଝି ହୁଏ ନାହିଁ । ଜୀବନ ଜୀଇଁବାକୁ ହେଲେ ଧୈର୍ଯ୍ୟ ହିଁ ମନୁଷ୍ୟର ପରିଚୟ । ଅଧୈର୍ଯ୍ୟ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ବିଫଳତା, ପରାଜୟର ଗ୍ଲାନିରେ ଅସଂଖ୍ୟ ପ୍ରକାରେ ଜର୍ଜରିତ ହୁଏ । ଧୈର୍ଯ୍ୟଶୀଳ ମଣିଷ, ନିଶ୍ଚିତ ପରାଜୟରେ ବି ପରିସ୍ଥିତିକୁ ଓଲଟାଇ ବିଜୟ ହାସଲ କରେ । ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ନମସ୍କାର ।