ବିଜୁ ଯୁବ ଛାତ୍ର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ହିଞ୍ଜିଳିକାଟୁ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରାଜ୍ୟରେ କ୍ରମାଗତ ଭାବେ ବଢି ଚାଲିଥିବା ମହିଳା ଏବଂ ଛାତ୍ରୀ ନିର୍ଯାତନା, ଧର୍ଷଣ, ଲୁଣ୍ଠନ ସହ ରାହାଜାନୀ ପ୍ରତିବାଦରେ ହିଞ୍ଜିଳିକାଟୁ ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିକ୍ଷୋଭ ପ୍ରଦର୍ଶନ ସହ ଡିଜିଙ୍କ ଉଦେ୍ଦଶ୍ୟରେ ହିଞ୍ଜିଳିକାଟୁ ଥାନା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଆଗରେ ବିଜେଡିର ଶତାଧିକ ଯୁବ ଓ ଛାତ୍ର ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ନାରାବାଜି ଦେଇ ଗର୍ଜିବା ସହ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏକ ବିଶାଳ ଶୋଭାଯାତ୍ରା ଆସି ହିଞ୍ଜିଳି ଥାନା ଅଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚି ଆଇଆଇସି ଙ୍କ ଜରିଆରେ ରାଜ୍ୟ ପୁଲିସ ଡିଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଯଦି ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ଆନେ୍ଦାଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା । ଏହି ବିକ୍ଷୋଭ ପ୍ରଦର୍ଶନ ତଥା ସ୍ମାରକପତ୍ର ପ୍ରଦାନ ବେଳେ ବିଧାୟକ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ମୁ୍ୟନିସ୍ପାଲଟି ବିଧାୟକ ପ୍ରତିନିଧି ପ୍ୟାରୀମୋହନ ପାଢି, ନିଳମଣୀ ପଟ୍ଟନାୟକ, ସରପଞ୍ଚ କୃଷ୍ଣ ଭଉଳ, ଅନିଲ କୁମାର ସ୍ୱାଇଁ, ହିଞ୍ଜିଳିକାଟୁ ବିଜେଡି ବ୍ଲକ ଛାତ୍ର ସଭାପତି ଅନିଲ ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କେଶବ ମହାରଣା, ଚନ୍ଦନ ପାତ୍ର, ଶିବାନୀ ପାତ୍ର ପ୍ରମୁଖଙ୍କ ସହ ଅନେକ ଯୁବନେତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।