ଦୁଇମାସ ନପୂରୁଣୁ ଭାଙ୍ଗିଗଲା ଜଙ୍ଗଲ ପାଶ୍ୱର୍ ରାସ୍ତା  : ପାଣିରେ ପଡ଼ିଲା କୋଟିକୋଟି ଟଙ୍କା 

ରାଜନଗର : ରାଜନଗର ବ୍ଲକ ଡାଙ୍ଗମାଳ-ତାଳଚୁଆ ଜଙ୍ଗଲ ପାଶ୍ୱର୍ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କାର ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି । ଡାଙ୍ଗମାଳ ଜୟଦୂର୍ଗା ଗେଟ ନିକଟରୁ ତାଳଚୁଆ ପୂର୍ତ୍ତ ବିଭାଗ ବଙ୍ଗଳା (ଡାଲଖାଇ ଛକ) ଯାଏଁ ଏହି ୭କି.ମି. ୫ଶହ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ସୂଚନା ଫଳକଟିଏ ଲଗାଯାଇନଥିଲା ।
 ଏହି ରାସ୍ତା ଉପରେ ଚଳପ୍ରଚଳ ପାଇଁ ନିର୍ଭର କରୁଥିବା ୬ଟି ପଞ୍ଚାୟତର ଲୋକ ବର୍ଷାଦିନ ଆସିଲେ ହିନସ୍ତା ଭୋଗ କରୁଥିଲେ । ଏହି ରାସ୍ତାର ଉନ୍ନତିକରଣ ପାଇଁ ସରକାର ୨୦୨୩ ମସିହାରେ ପ୍ରାୟ ୨୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ମଂଜୁର କରିଥିଲେ । ମାତ୍ର ଠିକାସଂସ୍ଥା ବିଳମ୍ବରେ କାମ ଆରମ୍ଭ କରି କାମ ବନ୍ଦ କରି ଦେଇଥିଲା । ଦୀର୍ଘ ଦିନ ପରେ ଚଳିତ ବର୍ଷ ପ୍ରାୟ ଦୁଇମାସ ପୂର୍ବରୁ କାମ ସଂପୂର୍ଣ୍ଣ ହୋଇଥିବା ଦର୍ଶା ଯାଇଥିଲା । ଏବେ ସାମାନ୍ୟ ବର୍ଷାରେ ପିଚୁ ରାସ୍ତା ଖଣ୍ଡ ଖଣ୍ଡ ହୋଇ ଧସି ଯାଉଛି । ଏହି ସାଢେ ସାତ କିଲୋମିଟର ରାସ୍ତାର ୨୦ରୁ ଉଦ୍ଧ୍ୱର୍ ସ୍ଥାନରେ ଖଣ୍ଡ ଖଣ୍ଡ ହୋଇ ପିଚୁ ରାସ୍ତା ଧସିଯିବା ଘଟଣା ସାଧାରଣରେ ଅସନ୍ତେ"ାଷ ପ୍ରକାଶ ପାଇଛି । ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏପରିକି ନିର୍ମାଣ ସମୟରେ ପଙ୍କୁଆ ମାଟିରେ ରାସ୍ତା ନିର୍ମାଣ ହେବା ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ବେଖାତିର କରି ଠିକାସଂସ୍ଥାକୁ ଏହି ରାସ୍ତା ଉପରେ ପିଚୁ କରିବାକୁ ଅନୁମତି ଦେବାରୁ ରାସ୍ତାର ଅବସ୍ଥା ଏବେ ଖଣ୍ଡ ଖଣ୍ଡ ହୋଇ ଧସି ଯାଉଛି । ଏସଂପର୍କରେ କେନ୍ଦ୍ରାପଡାସ୍ଥିତ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରା ଓ ରାଜନଗର ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ଧଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ କେହି ଫୋନ ଉଠାଇନଥିଲେ । ସୂଚନା ଥାଉକି, ପୂର୍ତ୍ତ ବିଭାଗ ଅଧିକାରୀ ବିନା ଟେଣ୍ଡରରେ ମେଟାଲ ମୋରମ ଖାଲଖମା ଭରିବା ନାଁରେ ୨୦୨୦ରେ ୪୦ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଥିଲା । ଡାଙ୍ଗମାଳ ଜୟଦୂର୍ଗା ମନ୍ଦିର ଗେଟ ନିକଟରୁ ତାଳଚୁଆ ଡାଲଖାଇ ଛକ(ପୂର୍ତ୍ତ ବିଭାଗ ବଙ୍ଗଳା) ଯାଏଁ ସାଢେ ୭କିଲୋମିଟର ରାସ୍ତା ଖାଲଖମାରେ ପରିଣତ ହୋଇଥିବାରୁ ୨୦୨୧ମସିହାରେ ବଡବଡ ପଥର ଖଣ୍ଡ ପକାଇ ୨୫ଲକ୍ଷ ଟଙ୍କା ବ୍ୟୟରେ ବିନା ଟେଣ୍ଡରରେ ମରାମତି କରିଥିଲେ । ଏହି ରାସ୍ତା ଦେଇ ବ୍ଲକ ସଦର ମହକୁମାକୁ ତାଳଚୁଆ, ବାଘମାରୀ, ରଙ୍ଗଣୀ, କେରୁଆଁପାଳ, କୃଷ୍ଣନଗର ଓ ଡାଙ୍ଗମାଳ ପଞ୍ଚାୟତର ଲୋକେ ବ୍ଲକ, ତହସିଲ, ସବ-ରେଜିଷ୍ଟାର କାର୍ଯ୍ୟାଳୟ, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ପୂର୍ତ୍ତ ବିଭାଗ ଗୁରୁତ୍ୱ ନଦେଇ ଖାମଖିଆଲୀ ଢଙ୍ଗରେ ପ୍ରତିବର୍ଷ ନିର୍ମାଣ ଓ ମରାମତି କରିବା ନାଁରେ ଲକ୍ଷଲକ୍ଷ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଆସୁଛି । ଏହି ରାସ୍ତା ପୂର୍ତ୍ତ ବିଭାଗର ଲେଉଟିଆ କିଆରି ସାଜିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଏହି ରାସ୍ତା ମରାମତି ଓ ନିର୍ମାଣ ନାଁରେ କୋଟି କୋଟି ଟଙ୍କା ହଡପ ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହ ରହସ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।