ଖଣିଜ ପଥର ମାନ ନିର୍ଦ୍ଧାରଣରେ ଅନିୟମିତତା
କେନ୍ଦୁଝର : ଖଣିଜ ପଥର ମାନ ହେରଫେର ଯୋଗୁଁ ଖଣି ରାଜସ୍ୱ କମୁଛି । ଯୋଡା ସ୍ଥିତ ଡେପୁଟି ଡାଇରେକ୍ଟର କେମିକାଲ ଆନାଲିସସରେ ଖଣିଜ ପଥର ମାନ ହେରଫେର ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ପୂର୍ବ ସରକାର ସମୟରେ ଗ୍ରେଡ ହେରଫେର ଖୁଲମଖୁଲା ଚାଲିଥିବାବେଳେ ଏବେବି ଏହା ଉପରେ ଅଙ୍କୁଶ ଲାଗିପାରିନାହିଁ । ବର୍ଷ ବର୍ଷ ଧରି ଚାଲିଥିବା ଏହି କାରବାର ରୋକିବାକୁ ଖଣି ବିଭାଗ ଫେଲ ମାରିଛି । ଯୋଡା, କୋଇଡା ଖଣିମଣ୍ଡଳରେ ଲୁହାପଥର ଓ ମାଙ୍ଗାନିଜ ଖଣିରେ ଖନନ କରାଯାଉଥିବା ଉଚ୍ଚ ମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଯାଉଛି । ଫଳରେ ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ ହେଉଛି । ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଖଣି ନିଦେ୍ର୍ଦଶକ ରୋହିତ ଲେଙ୍କା ତଦନ୍ତ କରିବାକୁ ରାଜ୍ୟ ଖଣି ନିଦେ୍ର୍ଦଶାଳୟର ଅତିରିକ୍ତ ଖଣି ନିଦେ୍ର୍ଦଶକ ସଲିଲ ବେହେରାଙ୍କ୍ୁ ଆଦେଶ କରିଥିଲେ । ସେ ଗତ ୫ ତାରିଖ ଦିନ ଯୋଡା ସ୍ଥିତ ଡେପୁଟି ଡାଇରେକ୍ଟର କେମିକାଲ ଆନାଲିସସ (ଡିଡିସିଏ)ରେ ତଦନ୍ତ କରିଥିଲେ । ସୂଚନା ଯୋଗ୍ୟଯେ, ଖଣି ବିଭାଗର ଉପଯୁକ୍ତ ତଦାରଖ ଅଭାବରୁ ଖଣିଜ ପଦାର୍ଥର ମାନ ହେରଫେର ଏବଂ ଖଣି ଚୋରି ବଢିବାରେ ଲାଗିଛି । ଫଳରେ ସରକାରଙ୍କ ବ୍ୟାପକ ରାଜସ୍ୱହାନୀ ହେବା ସହ ଲିଜ୍ଧାରୀମାନେ ଲାଭବାନ ହେଉଛନ୍ତି । ବିଶେଷ କରି କ୍ୟାପଟିଭ ମାଇନ୍ସରେ ଅଧିକ ଗ୍ରେଡ ହେରଫେର ହେଉଛି । ନିଜ ଲିଜ୍ ମାଇନ୍ସରୁ ନିଜ କାରଖାନାକୁ ଉଚ୍ଚମାନର ଲୁହାପଥରକୁ ନିମ୍ନ ଗ୍ରେଡର ଅନୁମତି କରି ବେଧଡକ ଖଣିଜ ପଦାର୍ଥ ଚାଲାଣ ହେଉଛି । କେନ୍ଦୁଝର ଜିଲ୍ଲାରେ ଗତ ୩ ବର୍ଷ ମଧ୍ୟରେ ରାସ୍ତାରେ ଯାଂଚ ବେଳେ, ଅନେକ ଟ୍ରକରେ ନିମ୍ନମାନର ଗ୍ରେଡ ପରମିଶନ ହୋଇ ଉଚ୍ଚମାନର ଲୁହାପଥର ଏବଂ ମାଙ୍ଗାନିଜ ପରିିବହନ ହେଉଥିବା ନମୁନା ଯାଂଚ ପରେ ଜଣାପଡିଥିଲେ ମଧ୍ୟ ତକ୍ରାଳୀନ ଖଣି ନିଦେ୍ର୍ଦଶକ ଜି. ରାଜେଶ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ଯୋଡା ଏବଂ କୋଇଡା ସର୍କଲରୁ ଦୈନନ୍ଦିନ ଟ୍ରକ ଏବଂ ଟ୍ରେନ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଲକ୍ଷ ଲକ୍ଷ ଟନ୍ ଲୁହାପଥର ପରିବହନ ହେଉଥିବା ଖଣିଜପଥର ମାନ ଯାଜପୁରରୋଡ କିମ୍ବା ଭୁବନେଶ୍ୱର ପରୀକ୍ଷାଗାରରେ ଯାଂଚ କଲେ ଲିଜ୍ଧାରୀ, ଖଣି ବିଭାଗ ଏବଂ ଯୋଡାସ୍ଥିତ ଡେପୁଟି ଡାଇରେକ୍ଟର କେମିକାଲ ଆନାଲିସସର କର୍ମଚାରୀଙ୍କ ମଧ୍ୟରେ ଥିବା ଅସାଧୁ ମେଂଟ ପଦାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି । ଷ୍ଟାକରୁ ଖଣି ବିଭାଗର ଅଧିକାରୀମାନେ ୩ଟି ସାମ୍ପୁଲ ଆଣିଥାନ୍ତି । ପ୍ରାଇମୋରୀ ସାମ୍ପୁଲ ଲିଜ୍ଧାରୀ ନିକଟରେ, ସେକେଣ୍ଡାରୀ ସାମ୍ପୁଲ ପରୀକ୍ଷାଗାରକୁ ଯାଇଥାଏ ଏବଂ ଅମ୍ପାୟାର ସାମ୍ପୁଲ ପରୀକ୍ଷାଗାରରେ ରହିଥାଏ । ଗ୍ରେଡ ହେର ଫେର ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାରୁ ଯୋଡା ସ୍ଥିତ ଡେପୁଟି ଡାଇରେକ୍ଟର କେମିକାଲ ଆନାଲିସସ (ଡିଡିସିଏ)ରେ ଥିବା ଅମ୍ପାୟାର ସାମ୍ପୁଲକୁ ଯାଜପୁରରୋଡ କିମ୍ବା ଭୁବନେଶ୍ୱର ଲ୍ୟାବରେ ପରୀକ୍ଷା କରାଗଲେ ଗ୍ରେଡ ହେରଫେର ପଦାକୁ ଆସିପାରିବ ବୋଲି ମତ ପ୍ରକାଶ ପାଇଛି । ବିଶେଷ କରି ନିଲାମ ହୋଇଥିବା ଖଣିରେ ଗ୍ରେଡ ହେର ଫେର ଅଧିକ ହେଉଛି । ଯୋଡା, କୋଇଡା ଏବଂ ବାରିପଦା ଖଣି ମଣ୍ଡଳରେ ଲୁହାପଥର ଏବଂ ମାଙ୍ଗାନିଜ ସର୍ବାଧିକ ଗ୍ରେଡ ହେରଫେର ଏବଂ ଚୋରି ହେଉଥିଲେ ହେଁ, ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଚୋରି ଧରାପଡିଲେ ଗ୍ରେଡ ହେର ଫେର କରୁଥିବା ଲିଜ୍ଧାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ବେଳେ ପରିବହନ କରୁଥିବା ଟ୍ରକ ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଗତ ୩ ବର୍ଷରେ ରାସ୍ତାରେ (ଏନ୍ରୁଟ) ଚେକିଂ ବେଳେ ହେରଫେର ହୋଇଥିବା ଲିଜ୍ଧାରୀଙ୍କ ବିରୁଦ୍ଧରେ ଅଦ୍ୟାବଧି କାରଣ ଦର୍ଶାଅ ନୋଟିସ ମଧ୍ୟ ହୋଇନଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଖଣି ଚୋରୀ ରୋକିବା ପାଇଁ ଜିଲ୍ଲା ଏବଂ ରାଜ୍ୟସ୍ତରରେ ଗଠିତ କରିଥିବା ଏନଫୋର୍ସମେଣ୍ଟସ୍କ୍ୱାର୍ଡ ସଠିକ ଭାବେ କାମ କରୁନଥିବାରୁ ଗ୍ରେଡ ହେରଫେର ବଢୁଛି ।