ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧନ ପାଇଁ ପ୍ରସ୍ତାବ


ପୁରୀ: ଶ୍ରୀମନ୍ଦିର ଭିତରକୁ କ୍ୟାମେରାର ଓ ବିଭିନ୍ନ ଅତ୍ୟାଧୁନିକ ଚିତ୍ର ଉତ୍ତୋଳନ ସରଞ୍ଜାମ ନେବା ଏବଂ ମନ୍ଦିରର ଫଟୋ ଭାଇରାଲ କରିବା ଉପରେ ଅଙ୍କୁଶ ପାଇଁ ଶ୍ରୀମନ୍ଦିର ପକ୍ଷରୁ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫ର ସଂଶୋଧନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ଆଇନ ବିଭାଗ ନିକଟରେ ବିଧିବଦ୍ଧ ପ୍ରସ୍ତାବ ଦାଖଲ କରାଯାଇଛି । ଶ୍ରୀମନ୍ଦିର ଭିତରେ ତଥା ପରିସର ଉପରେ ମୋବାଇଲ ଫଟୋ, ଭିଡ଼ିଓ ଚିତ୍ର ଉତ୍ତୋଳନ ଏବଂ ଡ଼୍ରୋନ୍ ବ୍ୟବହାର ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ କରାଯାଇଛି । ବୁଧବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ ଆଇନ ବିଭାଗକୁ ସେ ବିଷୟରେ ପତ୍ର ଲେଖି ଜଣାଇଛନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫ର ୩୦(କ)ର ଉପଧାରା ୬ରୁ ୯ ପର୍ଯ୍ୟନ୍ତ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି । ଶ୍ରୀମନ୍ଦିର ଭିତର ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ ପାଇଁ ମୋବାଇଲ କିମ୍ବା କୌଣସି ଇଲେକ୍ଟୋନିକ ସାମଗ୍ରୀ ନିଆଗଲେ ସେଥିପାଇଁ ୩ବର୍ଷ ଜେଲ୍ ଦଣ୍ଡ କିମ୍ବା ୨୦ହଜାର ଟଙ୍କା ଜୋରିମାନା କିମ୍ବା ଉଭୟ ଜେଲ୍ ଓ ଜୋରିମାନା ପାଇଁ ବ୍ୟବସ୍ଥା ରହିପାରେ । ସେହିପରି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତମାନଙ୍କ ଧାର୍ମିକ ଓ ଭାବନାକୁ ଆହତ କରୁଥିବା ଭଳି ଭିଡ଼ିଓ ଚିତ୍ର କିମ୍ବା ମହାପ୍ରଭୁଙ୍କ ପ୍ରତିଛବି ଆଦି ସୋସିଆଲ ମିଡ଼ିଆ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆ ମାଧ୍ୟମରେ ପ୍ରସାରଣ କରିବା କିମ୍ବା ଏହା ପ୍ରସ୍ତୁତ କରିବା ପାଇଁ ୭ବର୍ଷ ଜେଲ୍ ଦଣ୍ଡର ପ୍ରାବଧାନ ରହିବ । ଏଥିପାଇଁ ଜାମିନ ବିହିନ ଗିରଫଦାରୀ ଓ ୫୦ହଜାର ଟଙ୍କା ଜୋରିମାନା ପାଇଁ ପ୍ରସ୍ତାବ ରହିଛି । ଏଥିସହିତ ଶ୍ରୀମନ୍ଦିର ତଥା ଏହାର ପରିସର ଉପରେ ବିନାନୁମତିରେ ଡ଼୍ରୋନ୍ ବ୍ୟବହାର ପାଇଁ ସମାନ ଦଣ୍ଡଭାବେ ୭ବର୍ଷ ଜେଲ୍ ଓ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ପ୍ରସ୍ତାବ ରହିଛି । ଏହି ସଂଶୋଧନ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିବଦେନ କରିଛନ୍ତି ।