ଡାକସେବା ଠପ୍, ହନ୍ତସନ୍ତ ଲୋକେ

 ନବରଙ୍ଗପୁର :  ଗତ ଶନିବାର ଠାରୁ ଜିଲ୍ଲାରେ ଡାକସେବା ଠପ୍ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଡାକଘର ସହ ଜିଲ୍ଲାର ସମସ୍ତ ୧୦ଟି ବ୍ଲକ ସଦର ମହକୁମା ସହ ଅନ୍ୟାନ୍ୟ ଶାଖା ଡାକଘରରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି । ଡାକ ବିଭାଗ ସମସ୍ତ ପ୍ରକ୍ରିୟାକୁ ନୂଆ ଆପ୍ ଦ୍ୱାରା ଆଗାମୀ ଦିନରେ ପରିଚାଳିତ କରିବ । ଏହା ସଠିକ୍ ଭାବେ କାର୍ଯ୍ୟକ୍ଷମ ହେଉନଥିବାରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଥିବା ସୂଚନା ମିଳିଛି । ନବରଙ୍ଗପୁର ଜିଲ୍ଲାରୁ ପ୍ରତିଦିନ ୧୦ହଜାର ଚିଠି ଯାଉଥିବା ବେଳେ ୫ରୁ ୬ହଜାର ଚିଠି ଆସୁଛି । ତେବେ ଗତ ଶନିବାର ଠାରୁ ଏହି ସମସ୍ୟା ଦେଖାଦେଇଛି । ସ୍ପିଡ଼ ପୋଷ୍ଟ କିମ୍ବା କୌଣସି ଡାକ ପ୍ରେରଣ କାମ ନୂଆ ଆପ୍ ଜରିଆରେ ହୋଇପାରୁନି । ଫଳରେ ଗତ ତିନିଦିନ ଠାରୁ ୩ ହଜାରରୁ ଊଦ୍ଧ୍ୱର୍ ରାକ୍ଷୀ ଦେଶର କୋଣ ଅନୁକୋଣକୁ ଯାଇ ପାରୁନାହିଁ । ସେଭଳି ଚିଠି ବି ଯାଇପାରିନି । ଅପରପକ୍ଷେ ମଙ୍ଗଳବାର ଜିଲ୍ଲା ବାହାରୁ ଆସିଥିବା ରାକ୍ଷୀ ଓ ଚିଠିକୁ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାରେ ବିତରଣ ହୋଇଛି । ପ୍ରତିବର୍ଷ ପରି ଭଉଣୀମାନେ ଦୂରଦୂରାନ୍ତରେ ରହୁଥିବା ଭାଇମାନଙ୍କୁ ଡାକ ଯୋଗେ ରାକ୍ଷୀ ପଠାଇବାକୁ ଆସି ନିରାଶ ହୋଇ ଫେରୁଛନ୍ତି । କିଛି ଭଉଣୀ କୋରିଅର ମାଧ୍ୟମରେ ଅଧିକା ଟଙ୍କା ଦେଇ ପଠାଉଥିବା ଦେଖିବାକୁ ମିଳିଛି । ଆପ୍ ସମସ୍ୟା ଯୋଗୁଁ ଡାକଘର ଗୁଡିକର କୌଣସି କାମ ହୋଇପାରୁନଥିବା କହିଛନ୍ତି କର୍ମଚାରୀ । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା କହିଛନ୍ତି ପୋଷ୍ଟ ମାଷ୍ଟର ।  ଅନ୍ୟପଟେ ଏହି ସମସ୍ୟାର ସମାଧାନ କେବେ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।