ସବୁଜସ୍ୱର୍ଣ୍ଣର ଦୁର୍ଲଭ ସମ୍ପଦ
ଅଭିମନୁ୍ୟ ଧଳ : ଗଛକୁଛୋଟ, ଘାସକୁମୋଟ” ନାମ ଧାରଣ କରିଥିବା ସବୁଜ ସ୍ୱର୍ଣ୍ଣ ହଜାର ହଜାର ବର୍ଷ ହେବ ମାନବ ସେବାରେ ଲାଗିଛି । ନୂତନ ଉଦ୍ଭାବନ ଫଳରେ ଏହି ସବୁଜସ୍ୱର୍ଣ୍ଣ ବର୍ତ୍ତମାନ ଅବହେଳିତ । ସବୁଜସ୍ୱର୍ଣ୍ଣ ବା ବାଉଁଶ ଅନେକ ଇତିହାସ ବହନ କରି ଏବେ ବି ମାନବ , ପଶୁପକ୍ଷୀଙ୍କ ସେବାରେ ନିୟୋଜିତ । ଜୈନକ ଇଂରେଜ ସାହେବ ଦଶପଲ୍ଲାର ସବୁଜସ୍ୱର୍ଣ୍ଣ ଜଂଗଲକୁ ଦେଖି ଭାବବିହ୍ୱୋଳ ହୋଇ କହିଥିଲେ, “ମୋ ଦେଶରେଏପରି ଦୁର୍ଲ୍ଲଭ ସଂପଦ ଥାଆନ୍ତି କି ?” ବେଜେଲ୍ ଗେଟ୍ ଦୁର୍ଦ୍ଧର୍ଷ ବ୍ରିଟିଶ୍ ପୋଲିସ୍ ମୁଖିଆ । ଯିଏକି ଓଡ଼ିଶାର ପ୍ରଜାମେଳିକୁ ଦମନ କରିବାକୁ ନିଯୁକ୍ତି ପାଇଥିଲେ । ହାତରେ ବଂଧୁକ ଓ କିଛି ପୁଲିସ୍ ସାଥିରେ ନେଇ ଅଶ୍ୱ ଉପରେ ବସି ଯିବାବେଳେ ରାସ୍ତା ଜନଶୂନ୍ୟ ହୋଇ ଯାଉଥିଲା । ନୟାଗଡ଼ର ପ୍ରଜାମେଳି ଖବର ପାଇ ବେଜେଲ୍ ଗେଟ୍ ଅଶ୍ୱ ଉପରେ ବସି ଓ କିଛି ଇଂରେଜ ପୁଲିସ୍ଙ୍କୁ ସାଥିରେ ଯାଉଥିଲେ । ଏ ଖବର ଲୋକଙ୍କ ପାଖରେ ପାଖରେ ତଡ଼ିତ୍ ବେଗରେ ପହଞ୍ଚିଗଲା । ତାଙ୍କ ଯିବା ରାସ୍ତାର ରେଢ଼ାଚୁଆ ପାଖରେ ଦଳେ ବିପ୍ଲବୀ ଶଗଡ଼ ରଖି ରାସ୍ତାରୋକ କରିଥିଲେ । ଗେଟ୍ ସେଠାରେ ପହଞ୍ଚି କିଛି ବୁଝିବା ପୂର୍ବରୁ ଠେଙ୍ଗାର ଏକ ଶକ୍ତ ପ୍ରହାର ତାଙ୍କୁ ଅଶ୍ୱ ଉପରୁ ଖସାଇ ଦେଇଥିଲା ଓ ତାଙ୍କର ମୃତୁ୍ୟ ହୋଇଥିଲା । ତାଙ୍କ ହାତରେ ବଂଧୁକ ଥାଇ ମଧ୍ୟ ତାକୁ ବ୍ୟବହାର କରିପାରିଲାନି । ଓଡ଼ିଶାରୁ ପାଛଟାଠେଙ୍ଗା ଇଂଲଣ୍ଡ ଗଲା ଓ ସେଠାରେ ତାହା ସଂସଦରେ ପ୍ରଦର୍ଶିତ ହେଲା । ଏହି ଘଟଣା ପାଇଁ ଆମ ଓଡ଼ିଶାର ବୀରପୁତ୍ର ରଘୁ-ଦିବାକର ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଲେ । ଏହି ଦୁଇ ସହିଦ୍ଙ୍କୁ ଉକ୍ରଳମାଟି କାହିଁକି ଭାରତ ଏବେ ବି ଝୁରୁଛି । ସାଧାରଣରେ କୁହାଯାଏ ଏ ଠେଙ୍ଗା ଜଣେ ବୟସ୍କଲୋକର ଆଶ୍ରାବାଡ଼ି ହୋଇଥିବା ବେଳେ, ଜଣେ କ୍ରୋଦ୍ଧିତ ଯୁବକ ପ୍ରତିଶୋଧ ନେଇପାରେ ।
ବାଉଁଶର ବ୍ୟବହାର କମିଥିଲେ ମଧ୍ୟ ଆଧୁନିକ ଶୈଳୀରେ ବିଭିନ୍ନ ୍ନରୂପ ଦେଇ ଏହା ଆମର ସେବା କରୁଛି । ବର୍ତ୍ତମାନ ଏହି ବାଉଁଶରେ ପଶୁପକ୍ଷୀଙ୍କ ଆକୃତି, କପ୍, ପ୍ଲେଟ, ବ୍ରଶ୍, ଗିନା, ପେନ୍ଷ୍ଟାଣ୍ଡ, ପାଣିବୋତଲ, ଚାମଚ ଫୁଲକୁଣ୍ଡ, ବୁକ୍ସେଲଫ୍, ଫଟୋଚିତ୍ର, ପ୍ରଭୃତି ସାମଗ୍ରୀ ତିଆରି କରାଯାଉଛି । ଫ୍ୟାସନ୍ରେ ବାଉଁଶ ତିଆରି ଝୁମୁକା, ହାର, ହେୟାର କ୍ଲିପ୍, ପିନ୍, ଚୁଡ଼ି, ପାଉଁଜି, କଂକଣ ଆଦି ଅଳଂକାର ତିଆରି ହେଉଛି । ବାଉଁଶରୁ କୁଲା, ଗଲା, ଗାଣ୍ଡୁଆ, ଝୁଡି ÿିକେଉଁକାଳରୁ ଲୋକେ ତିଆରି କରୁଛନ୍ତି । ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ବ୍ୟବହାର ରହିଛି । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଓଠରେ ବଂଶୀର ମଧୁର ମୂର୍ଚ୍ଛନାରେ ବିମୋହିତ ବୃକ୍ଷଲତା, ଝରଣା, ପଶୁପକ୍ଷୀ ପରସ୍ପର ଶତ୍ରୁତା ଭୁଲି ଶୁଣୁଥିଲେ । “ବୃନ୍ଦାବନେ ବଂଶୀ କେ ବଜାଇଲା, ବ୍ୟାଘ୍ର ପଛେ କୁରଙ୍ଗୀ ଗୋଡ଼ାଇଲା” । ବର୍ତ୍ତମାନ ଏହି ବଂଶୀର ଆଦର ବଢ଼ିଛି । ବଂଶୀ ବିଷାରଦ, ପଦ୍ମଶ୍ରୀ, ପଦ୍ମଭୂଷଣ, ଭାରତରତ୍ନ ପରିସର୍ବୋଚ ସମ୍ମାନରେ ସମ୍ମାନିତ ହେଉଛନ୍ତି । ଗରିବ ଠାର ୁ ବିତ୍ତଶାଳୀ ଲୋକଙ୍କ ଘରେଏହା ଦେଖାଯାଏ । ଚାଷୀଭାଇର ଏହା ଅତି ନିଜର । ଲଂଗଳରେ ଖିଲ, ମଇ, ଧାନ ବାଡ଼େଇବା ପାଇଁ ଆଗଡ଼ ବାଉଁଶରେ ତିଆରି । ଏବେ ଘର କୋଠା ହେଲେ ମଧ୍ୟ ଗୁହାଳର ନଡ଼ାଛପର ବାଉଁଶରେ ତିଆରି । ଏହାକୁ ଛପରବନ୍ଦୀ କଲେ ବତାର ଆବଶ୍ୟକତା ଅଛି । ଗୁହାଳ କବାଟ ବାଉଁଶରେ ତିଆରି ତାହାକୁ ତାଟିକବାଟ କହନ୍ତି “ବିପର୍ଯ୍ୟୟ ବେଳେ ବାତ୍ୟା, ଘରପୋଡ଼ି, ବନ୍ୟାରେ ତଲେଇ ବାଉଁଶରେ ତିଆରି । ମାଛଧରିବା ପାଇଁ ବଜା, ଶାଳୁଆ, ମୁଗୁରା, ଝଇରି, ଦଣ୍ଡୁରୀ ସବୁ ବାଉଁଶରେ ନିର୍ମିତ । ଯାହାବାଡ଼ିରେ ଯେତେ ବାଉଁଶବୁଦା ଥାଏ, ତାର ଆର୍ଥôକ ସ୍ୱଚ୍ଛଳତା ସେତେ ଅଧିକ । ବାଉଁଶର ଶୁଖିଲାପତ୍ର ବର୍ଷସାରା ଜାଳେଣି ରୂପେ ବ୍ୟବହାର ହୁଏ । ବାଉଁଶ ଗଛ ଛାଇରେ ସପୁରୀ ଭଲ ହୁଏ । ପାହାନ୍ତିଆରେ ବାଉଁଶବୁଦାରୁ ବିଲୁଆର ହୁ-କେ-ହୋ ରଡ଼ି ଦେହରେ ଶିହରଣ ତୋଳେ । ଜଂଗଲରେ ବାଉଁଶ ଥିଲେ ହାତୀକବଳରୁ ରକ୍ଷା ମିଳେ । ହାତୀମାନେ ପତ୍ର ଓ କରଡି ଖାଇବାକୁ ଭଲ ପାଆନ୍ତି । ଆଦିବାସୀ ଅଂଚଳରେ ଏହି ବାଉଁଶ କରଡ଼ି ବଜାରରେ ଅଧିକ ଦାମ୍ରେ ବିକ୍ରିହୁଏ । ସହରର ତାରକା ହୋଟେଲରେ ଏହିକରଡ଼ିର ବେଶ୍ ଚାହିଦା ରହିଛି । ବାଉଁଶର କଣିକୁ କାଟି ଦାନ୍ତକାଠି ରୂପେ ବ୍ୟବହାର କରିବା ଓ ଜିଭ ଚିରିବା ଆଦି ଏବେବି ଚାଲିଛି । ବାଉଁଶ କରଡ଼ି ନାନା ଖାଦ୍ୟ ପ୍ରାଣର ଭଣ୍ଡାର । ଆମ ରାଜ୍ୟ କାହିଁକି ଦେଶର ଗୌରବ ପଠାଣି ସାମନ୍ତ ଦୁଇଖଣ୍ଡ ବାଉଁଶ ନଳୀ ସାହାଯ୍ୟରେ ଗ୍ରହ ନକ୍ଷତ୍ରର ଦୂରତା ଗଣନା କରୁଥିଲେ । ପାହାଡ଼, ପର୍ବତର ସଠିକ୍ ଉଚ୍ଚତା ଗଣନା କରି କହୁଥିଲେ । ଆଜିବି ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକମାନେ ତାଙ୍କ ଦକ୍ଷତା ନିକଟରେ ମଥାନତ କରୁଛନ୍ତି । “ସବୁଜ ଜୀବନର ପ୍ରତୀକ” ହେଉଛି ବାଉଁଶ । ଏହା ପରିବେଶ ଅନୁକୂଳ ହୋଇଥିବାରୁ ବାୟୁରୁ ଅଂଗାରକାମ୍ଳ ଗ୍ୟାସ ଶୋଷଣ କରେ । ଏହା ଏକ ଘାସଜାତୀୟ ଉଦ୍ଭିତ ହୋଇଥିବାରୁ ଶିଘ୍ର ବଢ଼ିଥାଏ । ଏହା ଅଧିକ ପରିମାଣରେ ଅମ୍ଳଯାନ ଦେଇଥାଏ । କଥାରେ ଅଛି ନୂତନ ଗୃହ ନିର୍ମାଣ ବେଳେ ଚାରିଦିଗକୁ ଦୃଷ୍ଟି ଦେବାକୁ ପଡ଼େ । ପୂର୍ବରେ ହଂସ (ପୋଖରୀ) ପଶ୍ଚିମେ ବାଂଶ, ଭଲରେ ବାଡ଼, ଦକ୍ଷିଣ ଛାଡ଼ । ଅପରାହ୍ନ ଖରା ଦେହପ୍ରତି କୁ-ପ୍ରଭାବ ପକାଏ । ସେଥିପାଇଁ ଘରର ପଶ୍ଚିମ ପାଶ୍ୱର୍ରେ ବାଉଁଶବୁଦାଏ ଥିଲେଏହିଖରାକୁ ସେ ଅବରୋଧ କରେ । “ଛ’ଖଣ୍ଡ କାଠହେବ ତୋ ପାଇଁ ଲୋଡ଼ା” ଆମର ଶବ ଛ’ଖଣ୍ଡ ବାଉଁଶରେ ତିଆରି କୋକେଇରେ ମଶାଣିକୁ ଯାଏ । ସମଗ୍ର ବିଶ୍ୱରେ ୧୫୦୦ରୁ ଅଧିକ ପ୍ରକାରର ବାଉଁଶ ଅଛି । ପୃଥିବୀର ଅନେକ ସ୍ଥାନରେ ବିଶେଷ କରି ଏସିଆ ମହାଦେଶରେଏହା ଭଲ ବଢ଼ିଥାଏ । କେତେକ ପ୍ରକାର ବାଉଁଶ କେବଳ ଗୋଟିଏ ଦିନରେ କେତୋଟି ଫୁଟ ପର୍ଯ୍ୟନ୍ତ ବଢ଼ିଯାଏ । ଏହା ଶକ୍ତିଶାଳୀ ଓ ନମନୀୟ ଉଦ୍ଭିଦକୁ କ୍ଷତି ନ ପହଂଚାଇ ଅମଳ କରାଯାଇପାରିବ । ଆସାମ ବାଉଁଶ ଓଡ଼ିଶା ବାଉଁଶଠାରୁ ନମନୀୟ ଥିବାରୁ ସେଠାକାର ଲୋକ ବେଶ୍ ଦି’ପଇସା ରୋଜଗାର କରୁଛନ୍ତି । ସ୍କୁଲ ଛୁଟିପରେ ଦି’ଟା ତରବରରେ ଖାଇଦେଇ କେତେଜଣ ସାଂଗ ଗାଁମୁଣ୍ଡ ବଡ଼ପୋଖରୀ ପାଖରେ ଜେନା ପରିବାର ବାଉଁଶ ତିଆରି ଜିନିଷ ଦେଖିବାକୁ ଚାଲିଯାଉ । ଆମ ପ୍ରଶ୍ନର ଉତ୍ତର ଦେବାବେଳେ ସେମାନଂକ ହାତ ବନ୍ଦ ନଥାଏ । ଏ ସବୁ ଜିନିଷ ତିଆରି ଦେଖିବାରେ ମନ ଲାଖିଯାଏ । କଣିରୁ ଗଣ୍ଠି ମାରିବା, ଚିରିବା, ଦାଢ଼ିଆଛୁରୀକୁ ଚଳେଇବା, ହାତ ନୁହେଁ ତ ମେସିନ୍ । ଆଦିକନ୍ଦ ମଉସା, ଆତଙ୍କ ମଉସା, ଝରଭାଇ, ଚଣ୍ଡିଭାଇଙ୍କ କାମ ବେଶ୍ ଆକର୍ଷଣୀୟ । ବର୍ଷ ଦୁଇମାସରେ ଧାନଚାଷରେ ଲାଗିଯାନ୍ତି । ଦ୍ୱିପ୍ରହରେ ବାଉଁଶ ତିଆରି ଜିନିଷ ତିଆରି କରନ୍ତି । ତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଘରର ମହିଳା ବି କାମରେ ଲାଗିଯାନ୍ତି । ସକାଳୁ ତିଆରି ଜିନିଷ ବିକ୍ରି ପାଇଁ ପାଖ ଗାଁକୁ ଚାଲିଯାନ୍ତି । ଟଂକା ସହିତ ବାଉଁଶକଣି ମଧ୍ୟ ଆଣିଥାନ୍ତି । ବେଶ୍ ଶାନ୍ତିରେ ଥିଲେ ସେମାନେ । କେବଳ ସେମାନେ କାହିଁକି ସମଗ୍ର ଓଡ଼ିଶାରେ ବାଉଁଶ କାରିଗରଙ୍କ ଅବସ୍ଥା ଖରାପ । ପ୍ଲାଷ୍ଟିକ୍ ଏମାନଂକ ବୃତ୍ତିରେ ବାଧା ସାଜିଛି । ଏମାନଂକ ପିଲା ଅନ୍ୟ କାର୍ଯ୍ୟରେ ନିବେଶ ହେଲେଣି ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ : ୯୮୬୧୦୪୮୦୫୨