ଡ୍ରାଫ୍ଟମ୍ୟାନ ନଥିବାରୁ ହୋଇପାରୁନି ଜମି ଖର୍ଦ୍ଦି ବିକ୍ରି

 କେନ୍ଦ୍ରାପଡ଼ା:  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ତହସିଲରେ ଦୀର୍ଘ ୪ ବର୍ଷ ହେଲା ଡ୍ରାଫ୍ଟମ୍ୟାନ ନଥିବାରୁ ପ୍ରାୟ ୧୦ଟି ରାଜସ୍ୱ ଗ୍ରାମର ଜମି ଖର୍ଦ୍ଦି ବିକ୍ରି ହୋଇପାରୁ ନଥିବାରୁ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସମାଜସେବୀ ନଳିନୀକାନ୍ତ ପୃଷ୍ଟି ଜିଲ୍ଲାପାଳଙ୍କୁ ଭେଟି ଡ୍ରାଫ୍ଟମ୍ୟାନ ନିଯୁକ୍ତି ଦେବାପାଇଁ ଦାବି କରିଛନ୍ତି । ଦାବି ମୁତାବକ ୨୦୨୨ ମସିହାରୁ ବଳରାମ ପୁର ସମେତ ୧୦ଟି ରାଜସ୍ୱ ଗ୍ରାମ ର ଜମି ବିକା କିଣା ବନ୍ଦ ଥିବାରୁ ଶ୍ରୀ ପୃଷ୍ଟି ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି । ଏହି ୧୦ଟି ମୈାଜାରେ ବିକା କିଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସାଧାରଣ ଲୋକେ ମେଡିକାଲ୍ ଖର୍ଚ୍ଚ, ପିଲାଙ୍କ ଉଚ୍ଚ ଶିକ୍ଷା, କନ୍ୟା ବିବାହ ଆଦି ପାଇଁ ନିଜର ସ୍ଥାବର ସମ୍ପତି ବିକ୍ରି ଜରୁରୀ ଥିବା ବେଳେ ସୀମା ନିର୍ଦ୍ଧାରଣ ସଂଶୋଧନ ଜନିତ ଅହେତୁକ ବିଳମ୍ବ ହେବାରୁ ସାଧାରଣରେ ଚିନ୍ତାର କାରଣ ହୋଇଛି । ଜିଲ୍ଲପାଳ ତୁରନ୍ତ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସାରିବାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର ମଲ୍ଲିକଙ୍କୁ ଏହାର ବ୍ୟବସ୍ଥା କରିବାପାଇଁ ନିଦେ୍ର୍ଦଶ ଦେଇଛନ୍ତି ।