ଧର୍ମକୁ ନେଇ ରାଜନୀତିର ପରିଣତି
ବର୍ତ୍ତମାନ ଅନେକ ରାଷ୍ଟ୍ରରେ ରାଜନୀତିକୁ ଧର୍ମ ସହିତ ଯୋଡ଼ି ରାଜନୀତିର ଧର୍ମୀକରଣ କରାଯାଇସାରିଲାଣି । ଶାସକ, ପ୍ରଶାସକ ଯେଉଁ ଧର୍ମର ହୋଇଥାନ୍ତି ରାଷ୍ଟ୍ର ସେହି ଧର୍ମକୁ ପ୍ରଶାସନିକ ଧର୍ମ ଭାବରେ ଗ୍ରହଣ କରୁଛି । ପ୍ରଶାସନର ନୀତି ଦୃଷ୍ଟିରୁ ଏ ପ୍ରକାରର ପ୍ରଶାସନିକ ବ୍ୟବସ୍ଥା ଆଦୌ ଯୁକ୍ତିସଙ୍ଗତ ନୁହେଁ । କାରଣ ଶାସକ ଯେଉଁ ଧର୍ମକୁ ଗ୍ରହଣ କରିବ ନାଗରିକର ସେହି ଧର୍ମକୁ ଗ୍ରହଣ କରିବ-ଏହା ଏକ ଦୀର୍ଘସ୍ଥାୟୀ ବ୍ୟବସ୍ଥା ନୁହେଁ ।
କୌଣସି ଏକ ରାଷ୍ଟ୍ରରେ ନିର୍ଦ୍ଦିଷ୍ଟ କିଛି ସଂଖ୍ୟାଧିକ ଥିବା ଧର୍ମର ଲୋକମାନେ ସଂଖ୍ୟାନୁ୍ୟନମାନଙ୍କ ଉପରେ ଅତ୍ୟାଚାର କରିବା ବର୍ତ୍ତମାନ ସାରା ବିଶ୍ୱରେ ଦେଖିବାକୁ ମିଳିଲାଣି । ଏଭଳି ବ୍ୟବସ୍ଥା କେବଳ ଗୋଟିଏ ଦେଶ ଭିତରେ ସମସ୍ୟାକୁ ସୀମାବଦ୍ଧ କରି ରଖୁନାହିଁ । ଏହାର କାରଣ ହେଲା ଗୋଟିଏ ଦେଶରେ ଯେଉଁ ଧର୍ମ ସଂଖ୍ୟା ନୁ୍ୟନ, ଅନ୍ୟ ଦେଶରେ ସେହି ଧର୍ମ ସଂଖ୍ୟାଗରିଷ୍ଠ । ତେଣୁ ଆର୍ନ୍ତଜାତିକ ସମ୍ପର୍କ କ୍ଷେତ୍ରରେ ରାଜନୀତି ଏବଂ ଧର୍ମର ସମ୍ପର୍କ ଅସୁବିଧା ସୃଷ୍ଟି କରୁଛି । ବର୍ତ୍ତମାନ ସମୟରେ ବିଶ୍ୱ ଏକ ମାନବ ପରିବାର ଦିଗକୁ ଗତି କରୁଛି । ଏ କ୍ଷେତ୍ରରେ ମିଳିତ ଜାତିସଂଘର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମିଳିତ ଜାତିସଂଘର ଆଭୁମୁଖ୍ୟ ବଦଳିଲେ କିମ୍ବା ବିଶ୍ୱର ଆବଶ୍ୟକତାକୁ ନେଇ ଏହାର ନୀତିରେ ପରିବର୍ତ୍ତନ ହେଲେ ଏକ ବିଶ୍ୱ ଏକ ସରକାର ନୀତି ଅସମ୍ଭବ ନୁହେଁ ।
ଏବେ ଯେକୌଣସି ଦୁଇଟି ରାଷ୍ଟ୍ର ମଧ୍ୟରେ ଲାଗି ଯାଇଥିବା ଯୁଦ୍ଧର ବିଭୀଷିକା କେବଳ ସେହି ଦୁଇ ରାଷ୍ଟ୍ରର ପ୍ରସଙ୍ଗ ନୁହେଁ । ଏହା ସମଗ୍ର ବିଶ୍ୱର ଜଳବାୟୁ, ଅର୍ଥନୀତି, ନିଯୁକ୍ତି ପ୍ରାକୃତିକ ସମ୍ପଦ, ଆର୍ନ୍ତଜାତିକ ସମ୍ପର୍କ, କୁଟନୀତିକ ସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଧାରିତ । ତେଣୁ ଯେତେ ଦୂରରେ ହେଲେ ମଧ୍ୟ ଯଦି ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ଲାଗୁଛି, ତାହା ହେଲେ ଏହାର କୁପରିଣାମର ବିଭିନ୍ନ ଦିଗ ସମଗ୍ର ବିଶ୍ୱରେ ସମସ୍ତ ରାଷ୍ଟ୍ର ଅନୁଭବ କରୁଛନ୍ତି । ଏ ପ୍ରକାରର ଏକ ପରିସ୍ଥିତି ହୁଏତ ପୃଥିବୀ ଗ୍ରହ ଉପରୁ ଜୀବଜଗତର ବିଲୋପ ପାଇଁ ଦାୟୀ ହୋଇପାରେ!
ବର୍ତ୍ତମାନ ୠଷ୍-ୟୁକ୍ରେନ୍ ଯୁଦ୍ଧ ଆଣବିକ ଯୁଦ୍ଧରେ ପରିଣତ ହୁଏ, ତେବେ ଏହା ସମସ୍ତ ରାଷ୍ଟ୍ର କୌଣସି ନା କୌଣସି ପ୍ରକାରର କୁପରିଣାମ ଭୋଗ କରିବେ । କିଛି ନହେଲେ ବି ପରିବେଶଜନିତ କୁପରିଣାମରୁ କୌଣସି ରାଷ୍ଟ୍ର ବର୍ତ୍ତି ଯାଇପାରିବେ ନାହିଁ । ଆଉ ମାତ୍ର ଦୁଇ ସପ୍ତାହ ତଳେ ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ହୋଇଥିବା ଘମାଘୋଟ ଲଢ଼େଇ ମୂଳରେ ଥିଲା କେବଳ ଆଉ ଧର୍ମ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଧର୍ମ ସହିତ ରାଜନୀତିର ମିଶ୍ରଣ ସାମଗି୍ରକ ଭାବରେ ମାନବ ସମାଜ ପ୍ରତି ନିକଟ ଭବିଷ୍ୟତରେ ନ ହେଲେ ମଧ୍ୟ ଦୂର ଭବିଷ୍ୟତରେ ବିପଦକୁ ଡ଼ାକିଆଣିବ ।
ରାଜନୀତିକୁ ଲୋକମାନଙ୍କ ଉଦେ୍ଦଶ୍ୟରେ ସମର୍ପିତ କରି ଧର୍ମକୁ ବ୍ୟକ୍ତି ଏବଂ ଗୋଷ୍ଠୀ ମଧ୍ୟରେ ସୀମିତ ରଖିବା ଉଚିତ୍ । ଏହା ନହେଲେ କୌଣସି ଏକ କ୍ଷୁଦ୍ର ରାଷ୍ଟ୍ର ଠାରୁ ଆରମ୍ଭ ହେଉଥିବା ଯୁଦ୍ଧ ବିଶ୍ୱଯୁଦ୍ଧରେ ପରିଣତ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ଏବଂ ବର୍ତ୍ତମାନର ବିଶ୍ୱଯୁଦ୍ଧ କେବଳ ଆଣବିକ ଏବଂ ଜୈବିକ ଅସ୍ତ୍ରରେ ହିଁ ହେବ । ଏହାର ଶେଷ ପରିଣତି ପୃଥିବୀ ପୃଷ୍ଠରୁ ଜୀବଜଗତର ବିଲୋପ । ତେଣୁ ସ୍ଥାନୀୟ ଭାବରେ ପରିବେଶ ଯେତେ କ୍ଷୁଦ୍ର ହେଲେ ମଧ୍ୟ ଧର୍ମ ସହିତ ରାଜନୀତିକୁ ଯୋଡ଼ିବାର ଉଦ୍ୟମ ସମଗ୍ର ମାନବ ସମାଜ ପ୍ରତି ବିପଜ୍ଜନକ । ଏହା ଏଭଳି ଏକ ପ୍ରସଙ୍ଗ ଯେ ଅନ୍ୟ କୌଣସି ଏକ ରାଷ୍ଟ୍ରର ରାଜନୀତିକ ବ୍ୟବସ୍ଥା ସହିତ ଆଉ ଗୋଟିଏ ଦେଶର ରାଜନୀତିକ ବ୍ୟବସ୍ଥାକୁ ତୁଳନା କରାଯାଇନପାରେ । ଏ ଦୁଇଟି ଦିଗ ପ୍ରତି ମନୁଷ୍ୟ ସମାଜ ସତର୍କ ନ ହେଲେ, ଏ ମନୁଷ୍ୟ ହିଁ ଏ ସୁନ୍ଦର ପୃଥିବୀର ଧ୍ୱଂସକର୍ତ୍ତା ହେବା ଆଦୌ ଅସମ୍ଭବ ନୁହେଁ ।