ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ସମୀକ୍ଷା : ସମନ୍ୱୟ ଓ ସହଭାଗିତା ରହିଲେ ଉନ୍ନତି ସମ୍ଭବ
ଜଗତସିଂହପୁର : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ କହିଲେ ଯେ, ଜିଲ୍ଲା ପ୍ରଶାସନ ତଥା ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ସଠିକ୍ ସମନ୍ୱୟ ସହ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକ ଉଦ୍ୟମ ରହିଲେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରିବ । ସରକାର ଙ୍କ ପ୍ରଣୀତ ଲୋକ ହିତକାରୀ ଯୋଜନା ସଠିକ ଉପାୟରେ ସଠିକ୍ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକ ରେ ବିଧାୟକ ଡ଼ଃ ଭୋଇ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରଗତି ତଥା କାର୍ଯ୍ୟକାରିତା ବିଷୟ ରେ ସମୀକ୍ଷା କରିଥିଲେ । ବୈଠକରେ ଉପସ୍ଥିତ ରହି ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ ସମନ୍ୱୟ ଓ ସହଭାଗିତା ରହିଲେ ଉନ୍ନୟନ ସମ୍ଭବ ବୋଲି କହିଥିଲେ । ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବିଭାଗ ର କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରାଣୀ ଚିକିସôା ବିଭାଗର ପ୍ରମୁଖ ଯୋଜନା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଉପାଦେୟତା ବିଷୟରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ବିଧାୟକ ମାର୍ଗଦର୍ଶନ କରିଥିଲେ । ବୈଠକରେ ବିରିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ପାତ୍ର, ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲର ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।