ଅଦ୍ଭୂତ ଘଟଣା : ଆଇଏଫଏସ ସଂଜୀବଙ୍କ ମାମଲାରୁ ଓହରିଲେଣି ୧୫ ବିଚାରପତି
ନୈନୀତାଲ: ଦେଶର ବିଚାରବିଭାଗୀୟ ଇତିହାସରେ ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡ କ୍ୟାଡରର ଆଇଏଫଏସ୍ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କ ସମ୍ପର୍କିତ ଏକ ମାମଲା ଶୁଣାଣିରୁ ଆଉ ଜଣେ ବିଚାରପତି ଓହରି ଯାଇଛନ୍ତି । ସଂଜୀବଙ୍କ ମାମଲା ଶୁଣାଣିରୁ ଏଯାବତ୍ ୧୫ ଜଣ ବିଚାରପତି ଓହରି ସାରିଛନ୍ତି । ଏଯାବତ୍ ଦେଶର ନ୍ୟାୟିକ ଇତିହାସରେ ଜଣେ ବ୍ୟକ୍ତିଙ୍କ ମାମଲାରୁ ଏତେ ବିଚାରପତି ଓହରିଯିବା ଦେଖିବାକୁ ମିଳିନାହିଁ ।
ଉତ୍ତରାଖଣ୍ଡ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ରବିନ୍ଦ୍ର ମୈଥାନୀ ସଂଜୀବଙ୍କ ଦ୍ୱାରା ରୁଜୁ ଅବମାନନା ପିଟିସନ ଶୁଣାଣିରୁ ନିଜକୁ ଅଲଗା କରିନେଇଛନ୍ତି । ହରିୟାଣାର ତକôାଳୀନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା, ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ଓ ସଞ୍ଜୀବ ଚତୁର୍ବେଦୀଙ୍କ କେନ୍ଦ୍ରୀୟ ଡେପୁଟେସନ ଅଟକାଇବାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି (ଏସିସି) ସମ୍ପର୍କିତ ବିବାଦୀୟ ମାମଲା ରହିଥିବା ଜାଣିବାକୁ ମିଳିଛି । ୨୦୧୩ରୁ ଏହି ମାମଲା ଜାରି ରହିଛି ।
ଓହରି ଯାଇଥିବା ବିଚାରପତିଙ୍କ ମଧ୍ୟରେ ଦୁଇ ଜଣ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ରହିଛନ୍ତି । ୨୦୧୩ରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ୨୦୧୬ରେ ଜଷ୍ଟିସ୍ ୟୁୟୁ ଲଳିତ ମଧ୍ୟ ମାମଲାରୁ ଓହରି ଯାଇଥିଲେ । ସେହିପରି ୩ ହାଇକୋର୍ଟ ବିଚାରପତି, ଦୁଇ ନିମ୍ନ ଅଦାଲତ ବିଚାରପତି, ୮ କ୍ୟାଟ୍ ସଭ୍ୟ ଓହରି ସାରିଲେଣି । ହରିୟାଣାର ହାଇପ୍ରୋଫାଇଲ ଦୁର୍ନୀତି ସଂକ୍ରାନ୍ତୀୟ ମାମଲା ହୋଇଥିବାରୁ ବିଚାରପତି ଓହରି ଯାଉଥିବା ଚର୍ଚ୍ଚା ହେଉଛି । ତେବେ କ’ଣ ପାଇଁ ସେମାନେ ଓହରୁଛନ୍ତି ସେନେଇ ବିଚାରପତିମାନେ ସ୍ପଷ୍ଟ କରୁନାହାନ୍ତି । କେବଳ ଚଳିତ ବର୍ଷ ୪ ବିଚାରପତି ମାମଲା ଶୁଣାଣି ପୂର୍ବରୁ ଓହରି ଯାଇଥିବା ଜାଣିବାକୁ ମିଳିଛି ।