ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’   : ୫୭୬ କୋଟିର ସଡ଼କ ସୁରକ୍ଷା ପ୍ରକଳ୍ପର ଶୁଭାରମ୍ଭ

 ଭୁବନେଶ୍ୱର : ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ  । ଏହାକୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି  । ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁଁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ସଠିକ୍ ଭାବେ ପାଳନ କରନ୍ତୁ ଓ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନିଶ୍ଚିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୂନ ଦୁର୍ଘଟଣା ଦିବସର ଶୁଭାରମ୍ଭ ଅବସରରେ ଉଦବୋଧନ ଦେଇ କହିଛନ୍ତି  ।
ସୂଚନାଯୋଗ୍ୟଯେ, ସଡ଼କରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷିତ ଜୀବନ ପାଇଁ ଏକ ସାମୂହିକ ପ୍ରତିବଦ୍ଧତାର ସଂକଳ୍ପ ସ୍ୱରୂପ ଆଇଆଇଟି ମାଡ୍ରାସ୍ର ସହଯୋଗରେ ଆଜିଠୁ ଆରମ୍ଭ ହୋଇଛି ଜୁନ ୨୮ ତାରିଖ ପର୍ଯ୍ୟନ୍ତ ‘ଶୂନ ଦୁର୍ଘଟଣା ଦିବସ’ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଜି ସାରା ଭାରତରେ ଦୁର୍ଘଟଣା ଜନିତ ମୃତୁ୍ୟ ବହୁତ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଆମ ଦେଶରେ ଦୁର୍ଘଟଣା ବଶତଃ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୫% କାରଣ ହେଉଛି ଦ୍ରୁତ ଗତିରେ ଗାଡ଼ି ଚାଳନା  । ଗାଡ଼ି ଚାଳନାର ଗୋଲଡେନ୍ ରୁଲକୁ ଚାଳକମାନେ ଭୁଲି ଯାଉଛନ୍ତି  । 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୪ କୋଟି ଟଙ୍କା ବିନିଯୋଗରେ ୧୧ ଟି ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ  । ଏଥିସହିତ ୨୧୫ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ଡ୍ରାଇଭିଂ ଇଲେକ୍ଟ୍ରୋନିକ ଏନଫୋର୍ସମେଣ୍ଟ ଟୁ ସେଭ ହୁ୍ୟମାନ୍ ଲାଇଭ୍ସ ବା ଦିଶା ପ୍ରକଳ୍ପର ଦ୍ୱିତୀୟ ପର୍ୟ୍ୟାୟ ଶୁଭାରମ୍ଭ କରିଥିଲେ  । ଏହାରାଜ୍ୟର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥର ୪୮୫ କିମି ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ  । ଏହାସହିତ ୧୦୦୭ କିଲୋମିଟର ଅଞ୍ଚଳରେ ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପାଇଁ ଶିଳାନ୍ୟାସ ମଧ୍ୟ କରାଯାଇଛି  । ଏହି ବ୍ୟବସ୍ଥା ଫଳରେ ସଡ଼କ ସୁରକ୍ଷା ନିୟମ ପାଳନ କରୁନଥିବା ଚାଳକଙ୍କ ବିରୁଦ୍ଧରେ ସ୍ୱୟଂକ୍ରିୟ ପ୍ରଣାଳୀରେ ଇ-ଚାଲାଣ କଟିବ  । ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ କେନ୍ଦ୍ର ମଧ୍ୟ ଉଦ୍ଘାଟିତ ହୋଇଛି  । କଟକ ଠାରେ ରାଜ୍ୟର ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ ସହିତ ଆହୁରି ୨୦ଟି ସ୍ଥାନରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଶିଳାନ୍ୟାସ କରାଯାଇଛି  । ଏଥିପାଇଁ ୨୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି  । ୧୫ ଟି ସୁପର ପ୍ରିମିୟମ୍ ଭୋଲଭୋ ବସ୍ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଥିଲେ  । ବାସୁଦେବପୁର, ଧାମରା ଏବଂ ବସ୍ତା ଠାରେ ନିର୍ମିତ ଅଟଳ ବସ୍ଷ୍ଟାଣ୍ଡକୁ ମଧ୍ୟ ଶୁଭାରମ୍ଭ କରିଥିଲେ  । ମୋଟ୍ ଉପରେ ୫୭୫.୭୭ କୋଟି ଟଙ୍କା ମୂଲ୍ୟର ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଆଜି ଶୁଭାରମ୍ଭ ହୋଇଛି  । ସଡକ ସୁରକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ  । 
ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କହିଥିଲେଯେ, ଆମେ ଯେତେବେଳେ ଓଡ଼ିଶା ବିକଶିତ କଥା କହୁଛୁ ସେତେବେଳେ କେବଳ ସୁଦୃଢ଼ ପରିବହନ ନୁହେଁ, ସୁରକ୍ଷିତ ପରିବହନ କେତେ ଗୁରୁତ୍ୱପୂର୍ଣ୍ଣ ତାଙ୍କୁ ଆମେ ଅନୁଭବ କରୁଛୁ  । ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି  । ଶୂନ ଦୁର୍ଘଟଣା ଦିବସ ପାଳନର ବ୍ରାଣ୍ଡ ଆମ୍ୱାସଡର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଡ଼କ ସୁରକ୍ଷା ସମ୍ୱନ୍ଧିତ ସଚେତନତା ବାର୍ତ୍ତା ଦେଇଥିଲେ  । କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପରିବହନ କମିଶନର ଅମିତାଭ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ  ।