କଫି ଚାଷୀଙ୍କ ସମସ୍ୟା ବୁଝିଲେ ଉପମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର/କୋରାପୁଟ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କୋରାପୁଟଗସ୍ତର ଦ୍ୱିତୀୟ ଦିନରେ ପଣ୍ଡିଘାଟ ପରିଦର୍ଶନ କରି କୋଲାବ ଜଳଭଣ୍ଡାରରେ ନୌବିହାର କରିବା ସହ ସିମିଲିଗୁଡା ବ୍ଲକ୍ର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ପରେ ଦେଓମାଳି ଏବଂ ଇକୋ-ରିଟ୍ରିଟ୍ ପଟୁସିଲ ଗସ୍ତ କରିଥିଲେ । ଗୁରୁବାର ସକାଳେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୋରାପୁଟ ବ୍ଲକ୍ ଅନ୍ତର୍ଗତ ପଣ୍ଡିଘାଟ ଏବଂ କୋଲାବ ଜଳଭଣ୍ଡାର ପରିଦର୍ଶନ କରିଥିଲେ । ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ ଏବଂ ହୃଦୟସ୍ପର୍ଶୀ । ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଅପାର ସଂଭାବନା ଅଛି ଏବଂ ଏଥିପାଇଁ ବିଭାଗ ତରଫରୁ ଖୁବ୍ ଶୀଘ୍ର ଯୋଜନା ପ୍ରସ୍ତୁତ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ । ପରେ କୋରାପୁଟରୁ ପୁଟସିଲ ଯିବା ରାସ୍ତାରେ ସ୍ଥାନୀୟ ଜନ ସାଧାରଣମାନଙ୍କ ଦ୍ୱାରା ସୁନାବେଡ଼ା ଏବଂ ପାକଝୁଲା ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ ସେ ଲୋକ ମାନଙ୍କର ସମସ୍ୟା ସହ ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ବିଷୟରେ ପଚାରି ବୁଝିଥିଲେ । ଏଥି ସହ ନୂଆପୁଟ ଠାରେ କଫି ପ୍ଲାଣ୍ଟେସନ ବୁଲି ଦେଖିଥିଲେ ଏବଂ କଫି ଚାଷକ୍ଷେତ୍ରରେ କିପରି ଆହୁରି ଅଗ୍ରଗତି ହୋଇପାରିବ ସେ ସମ୍ପର୍କରେ ଚାଷୀ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ଅପରାହ୍ନରେ କୋରାପୁଟରୁ ସେ ଦେଓମାଳି ଯାଇଥିଲେ । ଆଗାମୀ ଦିନରେ ଦେଓମାଳିକୁ ଅଧିକ ସରସ ଓ ସୁନ୍ଦର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସାଧାରଣ ଜନତାଙ୍କ ନିମନ୍ତେ ରୋଜଗାର ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଯୋଜନା ପ୍ରସ୍ତୁତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ସନ୍ଧ୍ୟାରେ ବିଧାୟକ ଏବଂ କୋଟପାଡଙ୍କ ଉପସ୍ଥିତିରେ ପ୍ରଦକ୍ଷଣ ଗୃହ, କୋରାପୁଟଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ସମସ୍ତ ଯୋଜନାର ସମୀକ୍ଷା କରିଥିଲେ ।