ଅଲିଭ୍ ରିଡ଼ଲେଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବୈଠକ :କଇଁଛଙ୍କ ଗତିବିଧି ଉପରେ ରଖାଯିବ ନଜର
ଭୁବନେଶ୍ୱର : ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଆଜି ଏକ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି । ଅଲିଭ୍ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ । ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକ କଇଁଛମାନଙ୍କର ଗତିବିଧି ଉପରେ ନଜର ରଖାଯିବ, ସମୂହ ଅଣ୍ଡାଦାନ ଋତୁରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ଓ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍ଫୋର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସେ ନିଦେ୍ର୍ଦଶ ଦେଇଛନ୍ତି । ଏହି ବିରଳ ସାମୁଦ୍ରିକ ପ୍ରାଣୀ ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଣ୍ଡା ଦେବାକୁ ଆସିଥାନ୍ତି । ବୈଠକରେ ସ୍ୱରାଷ୍ଟ୍ର (ଗୃହ) ତଥା ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମସô୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟଙ୍କ ସମେତ କମିଟିର ସଦସ୍ୟ ଥିବା ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନର ଉଚ୍ଚ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ ।
୨୦୨୪-୨୫ ବର୍ଷ ନିମନ୍ତେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗତ ନଭେମ୍ବର ପହିଲାରୁ ଋତୁକାଳୀନ କାର୍ଯ୍ୟ ଆରମ୍ଭ ହୋଇସାରିଛି । କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି । ଏଥିପାଇଁ ସମ୍ପୃକ୍ତ ଉପକୂଳ ବନ ବିଭାଗ ଡିଭିଜନକୁ ପାଣ୍ଠି ଆବଣ୍ଟନ କରାଯାଇଛି । ଗତ ନଭେମ୍ବର ୮ ତାରିଖରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ବିଭିନ୍ନ ଗୋଷ୍ଠୀଭିତ୍ତିକ ସଂସ୍ଥାମାନଙ୍କ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏ ସଂପର୍କରେ ସଚେତନ କରାଯାଇଛି । ନଭେମ୍ବର, ୨୦୨୪ରୁ ଆଗାମୀ ମେ୨୦୨୫ ପର୍ଯ୍ୟନ୍ତ ସମ୍ପୃକ୍ତ ଉପକୂଳ ବନଖଣ୍ଡ ଅଧିକାରୀଙ୍କୁ ଆବଶ୍ୟକ ପୁଲିସ ଫୋର୍ସ ମୁତୟନ ପାଇଁ ସହଯୋଗ ନିମନ୍ତେ ଗୃହ ବିଭାଗକୁ ଅନୁରୋଧ କରାଯାଇଛି । ଏଥିପାଇଁ ସମୁଦ୍ରକୂଳ ପୁଲିସ୍ ଥାନାକୁ ମଧ୍ୟ ସହଯୋଗ ପାଇଁ ନିଦେ୍ର୍ଦଶ ପାଇଁ ପରାମର୍ଶ ଦିଆଯାଇଛି ।
ପ୍ରତିବର୍ଷ ନଭେମ୍ବର ପହିଲାରୁ ପରବର୍ତ୍ତୀ ବର୍ଷ ମେ' ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣ ନିକଟବର୍ତ୍ତୀ ୨୦ କିଲୋମିଟର ମଧ୍ୟରେ ମୋଟର ଚାଳିତ ଜାହାଜ, ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା ବ୍ୟବସ୍ଥାରେ ମାଛ ଧରିବା ନିଷେଧ କରିବାକୁ ମସô୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ରହିଛି ।