ପ୍ରଶାସନକୁ ବିସ୍ଥାପିତ ପରିବାରର ଚେତାବନୀ, ସମାଧାନ ନହେଲେ ନୀଳାଚଳ ଫାଟକ ବନ୍ଦ କରିବୁ
ଯାଜପୁର: ନୀଳାଚଳ କାରଖାନାକୁ ନେଇ ବିସ୍ଥାପିତ ପରିବାର ମଧ୍ୟରେ ଉପୁଜିଥିବା ଅସନ୍ତୋଷ ଥମିବାର ନାଁ ଧରୁନି । ବିଗତଦିନରେ ମାସମାସ ଧରି ବିସ୍ଥାପିତ ପରିବାର ସେମାନଙ୍କ ଦାବି ହାସଲ ପାଇଁ କାରଖାନ ଫାଟକ ଆଗରେ ଖରା-ବର୍ଷାରେ ଅହୋରାତ୍ର ଧାରଣାରେ ବସିଥିôଲେ । ନିର୍ବାଚନ ଆସିବାରୁ ପ୍ରଶାସନ ପକ୍ଷରୁ ଦାବି ଉପରେ ଆଲୋଚନା କରାଯାଇ ସମାଧାନ କରାଯିବାର ପ୍ରତିଶ୍ରୁତିରେ ଧାରଣାରୁ ଓହରିଥିଲେ ବିସ୍ଥାପିତ ପରିବାର । ପ୍ରତିଶ୍ରୁତି ମତେ ପ୍ରଶାସନ ସହ ଆଲୋଚନା ହୋଇଥିଲା । ହେଲେ ବିସ୍ଥାପିତ ପରିବାର ପକ୍ଷରୁ ରଖାଯାଇଥିବା ଦାବି ପୂରଣ କରିବାକୁ ଅସମର୍ଥ ହୋଇଥିଲା ପ୍ରଶାସନ । ଗୋଟେ ପଟେ ପ୍ରଶାସନ ଦାବି ପୂରଣ କରିବାକୁ ସମର୍ଥ ହୋଇନଥିବା ବେଳେ ଅନ୍ୟପଟେ ବିସ୍ଥାପିତ ସେମାନଙ୍କ ଦାବି ହାସଲ ପାଇଁ ବାରମ୍ବାର ଆନେ୍ଦାଳନକୁ ଓହ୍ଲାଉଛନ୍ତି । ସବୁଠାରୁ ବଡ଼କଥା ହେଲା ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଆରପିଡ଼ିଏସି ବୈଠକରୁ କିଛି ନିର୍ଯ୍ୟାଶ ବାହାରିବାର ଆଶା କରାଯାଉଥିଲେ ହେଁ ତାହାବି ହୋଇନଥିଲା । ପ୍ରଶାସନ ଉପରେ ଭରସା କରି ଆନେ୍ଦାଳନରୁ ଓହରି ଯାଇଥିବା ବିସ୍ଥାପିତ ପରିବାର ପୁଣି ରଣହୁଙ୍କାର ଦେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅବଗତି ନିମନ୍ତେ ନକଲ କପି ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ ବା ମନ୍ତ୍ରୀ, ପରିଚାଳନା ନିଦେ୍ର୍ଦଶକ ନୀଳାଚଳ ଇସ୍ପାତ ନିଗମ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ଏସପି, ଅତିରିକ୍ତ ଏସପି କଳିଙ୍ଗନଗର, ଥାନା ଏବଂ ତହସିଲଦାରକୁ ପ୍ରଦାନ କରାଯାଇଛି । ବିସ୍ଥାପିତ ପରିବାର ପକ୍ଷରୁ ପ୍ରଦାନ କରାଯାଇଥିବା ଦାବି ପତ୍ରରେ ଦର୍ଶାଯାଇଛି କି ବିସ୍ଥାପିତ ମୃତକ ପରିବାରର ସଦସ୍ୟଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି, ଯେବେ ଠାରୁ ନୀଳାଚଳ ଇସ୍ପାତକୁ ଟାଟା ଲଙ୍ଗ ପ୍ରଡ଼କ ଅଧିଗ୍ରହଣ କରିଛି ସେହି ଦିନ ଠାରୁ ବିସ୍ଥାପିତ ପରିବାରର ୧୮ବର୍ଷର ଅଧିକ ଥିବା ସଦସ୍ୟଙ୍କୁ ସ୍ଥାୟୀ ଚାକିରୀର ବ୍ୟବସ୍ଥା, ବିସ୍ଥାପିତ ସମୟରେ ଯେଉଁ ମାନେ ଚାକିରୀ ବଦଳରେ ଅର୍ଥ ନେଇଥିଲେ ସେମାନଙ୍କ ଅର୍ଥକୁ ମୂଲ୍ୟାଙ୍କନ କରି ନିଯୁକ୍ତି ପ୍ରଦାନ ଓ ସମସ୍ତ ବିସ୍ଥାପିତ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରାଯାଉ । ଯଦି ଉପରୋକ୍ତ ଦାବୀ ଗୁଡିକ ସପ୍ତାହକ ମଧ୍ୟରେ ପୂରଣ ନ ହୁଏ ତାହାଲେ ଚଳିତ ମାସ ୨୫ ତାରିଖ ଠାରୁ ନୀଳାଚଳ ଇସ୍ପାତର ସମସ୍ତ ଫାଟକ ବନ୍ଦ କରିବାକୁ ବାଧ୍ୟ ହେବୁ । ଯେଉଁ ଅପ୍ରିତିକର ପରିସ୍ଥିତି ଉପୁଜିବ ସେଥିପାଇଁ ଜିଲା ପ୍ରଶାସନ ଏବଂ କାରଖାନା କର୍ତ୍ତୃପକ୍ଷ ଦାୟୀ ରହିବେ । ବିସ୍ଥାପିତଙ୍କ ପକ୍ଷରୁ ରଖାଯାଇଥିବା ଦାବି ପୂରଣ କରିବା ପ୍ରଶାସନ ପାଇଁ ଏତେ ସହଜ ବ୍ୟାପାର ହୋଇନଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏଦିଗରେ କୌଣସି ତ୍ୱରିତ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯାହା କାରଖାନା କର୍ତ୍ତୃପକ୍ଷଙ୍କୁ ସୁହାଉଛି ।