ନିଦାବିଷ୍ଣୁ ସାଜିଛି ବିଭାଗ : ୬ରୁ ଆନେ୍ଦାଳନକୁ ଓହ୍ଲାଇବ ଓଡିଶା ଶିଳ୍ପୀ ମହାସଂଘ


 ଯାଜପୁର :  କୃଷି ପରେ ଏକ ପ୍ରମୁଖ ସ୍ୱାବଲମ୍ବୀ କ୍ଷେତ୍ର ଭାବେ ୧୦ଲକ୍ଷରୁ ଊର୍ଦ୍ଧ ଲୋକ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଓଡିଶା ଅସ୍ମିତାର ପରିଚୟ ଆମ ଶିଳ୍ପୀ ଓ ବୁଣାକାର ଜାତି ଆମ ପାରମ୍ପରିକ କଳାକାରିଗରୀକୁ ବଂଚାଇ ଆସିବା ସହ ଆମ ରାଜ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କାରିଗର ଓ ବୁଣାକାରଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ, ହେଲେ ଆନ୍ତରିକତା ଅଭାବରୁ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚି ପାରୁନି । ଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିିବାଦରେ ଆସନ୍ତା ଅଗଷ୍ଟ ୬ ତାରିଖରୁ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନେ୍ଦାଳନ ଗଢି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତ୍ତି ନେଇଛି । ରାଜ୍ୟ କାର୍ଯ୍ୟକାରୀ ସମିତି ବୈଠକର ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ଜିଲାର ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ । ଆମର ଯେତେ ପ୍ରକାରର ହସ୍ତ ଓ ବୟନ କଳା, ସେତେ ପ୍ରକାରର ସମସ୍ୟା । ଏଥର କିନ୍ତୁ ଆମ ସ୍ମାରକ ପତ୍ରରେ ମାତ୍ର ଦୁଇଟି ଦାବୀ ରହିବ । ଗୋଟିଏ ହେଲା ପୂର୍ବ ସରକାର ସମୟରୁ  ଲାଗୁ କରା ଯାଇଥିବା ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ମାସିକ ଆର୍ଥିକ ସହାୟତା ଯୋଜନାର ନିୟମାନୁଯାୟୀ ଯୋଗ୍ୟ ଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ପ୍ରଦାନ କରିବା । 
ସୂଚନା ଥାଉକି, ଏବେ ଏହି ଯୋଜନା ଅଧିନରେ ରାଜ୍ୟର ୧୫୦୦ରୁ ଉର୍ଦ୍ଧ ବରିଷ୍ଠ ବୁଣାକାର ମାସିକ ୨ହଜାର ଟଙ୍କା ପାଉଛନ୍ତି । ପରିତାପର ବିଷୟ ଜଣେ ହେଲେ ବି ହସ୍ତଶିଳ୍ପୀ ଏହି ଯୋଜନାରୁ ଉପକୃତ ହୋଇନାହାନ୍ତି । ଯୋଜନାରେ କିନ୍ତୁ ୪୦ବର୍ଷର ମହିଳା ଓ ୫୦ବର୍ଷର ପୁରୁଷ ବୁଣାକାର ଓ ହସ୍ତଶିଳ୍ପୀ ଏହି ଯୋଜନାର ଲାଭାର୍ଥୀ ହୋଇପାରିବେ ବୋଲି ନିୟମ ରହିଛି । ବାରମ୍ବାର ଦାବି ସତ୍ତ୍ୱେ ରାଜ୍ୟ ସରକାର ଆଦୈା କର୍ଣ୍ଣପାତ କରୁନାହାନ୍ତି । ଠିକ ସେହିଭଳି ଓଡିଶା ଶିଳ୍ପୀ ମହାସଂଘର ପ୍ରଗାଢ ଉଦ୍ୟମ ବଳରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ରାଜ୍ୟ ସରକାର ଗଠନ କରୁନାହାନ୍ତି । ଇତି ମଧ୍ୟରେ ନୂତନ ସରକାରକୁ ବର୍ଷେ ପୁରି ସାରିଥିବା ବେଳେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଦାବିଷ୍ଣୁ ସାଜିଛି । କୁହାଯାଇପାରେ କିଏହି ପରିଷଦ ରାଜ୍ୟ ସରକାର ଏବଂ କାରିଗର ଓ ବୁଣାକାରଙ୍କ ମଧ୍ୟରେ ସଂପର୍କର ସେତୁ ପାଲଟିଥିବା ବେଳେ ପୂର୍ବ ପାଳିରେ ନିପୁଣ ଶିଳ୍ପୀ/ବୁଣାକାରଙ୍କ ଦରମା ବୃଦ୍ଧି, ପ୍ରଶିକ୍ଷାର୍ଥୀଙ୍କ ଭତା ବୃଦ୍ଧି, ଦେଢଶହରୁ ଊଦ୍ଧ୍ୱର୍ ହସ୍ତଶିଳ୍ପ ଗ୍ରାମ ବା ପୁଞ୍ଜର ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସ୍ଥା, ଶିଳ୍ପୀ ଓ ବୁଣାକାରଙ୍କ ପାଇଁ କର୍ମଶାଳା, ଉକ୍ରଳିକା ମାଧ୍ୟମରେ ସାହାଣ ପଥର ଯୋଗାଣ ଓ ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ପ୍ରତିଷ୍ଠା ଆଦି ଅନେକ ନିଷ୍ପତି ନେଇ ପାରିଥିଲା । ଏହି ପରିଷଦର ପରିଚାଳନା ବୋର୍ଡରେ ହସ୍ତଶିଳ୍ପୀ ଓ ବୁଣାକାର ରହିବାର ବ୍ୟବସ୍ଥା ଥିବାରୁ, ଏହା ସକ୍ରିୟ ହେବା ଅତ୍ୟନ୍ତ ଜରୁରୀ ଅଟେ ।  ଆସନ୍ତା ଅଗଷ୍ଟ ୬ ତାରିଖରୁ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅଗଷ୍ଟ ୧୪ ତାରିଖ ସୁଦ୍ଧା ଶେଷ ହେବ । ପ୍ରଥମ ପାଳିରେ ଅଗଷ୍ଟ ୬ ତାରିଖରେ ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଯାଜପୁର ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ । ପଶ୍ଚିମ ଓଡିଶା ତଥା ଅନ୍ୟ ଜିଲାମାନଙ୍କରେ ଆସନ୍ତା ୧୧ତାରିଖରୁ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ ଶିଳ୍ପୀ ଓ ବୁଣାକାରଙ୍କୁ ଓଡିଶା ଶିଳ୍ପୀ ମହାସଂଘ  ନିବେଦନ କରାଯାଇଥିବା ମହାସଂଘର ସଂପାଦକ ପ୍ରିୟରଂଜନ କର ସୂଚନା ଦେଇଛନ୍ତି ।