ସରକାରଙ୍କ ପାଖରେ ଖବର ଅଛି କି ... ଅସୁରକ୍ଷିତ ଭାବେ ଚାଲିଛି ଜିଏସ୍ଟି କାର୍ଯ୍ୟାଳୟ

 ବ୍ୟାସନଗର : ସରକାର ସରକାରୀ କାର୍ଯ୍ୟାଳୟ ଗୁଡ଼ିକର ଭିତିଭୂମି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ସରକାରଙ୍କୁ ବାର୍ଷିକ ହଜାରେ କୋଟି ଟଙ୍କା ରାଜସ୍ୱ ଦେଉଥିବା ରାଜ ଦ୍ରବ୍ୟ ଓ ସେବା କର ଯାଜପୁର ଜିଲା କାର୍ଯ୍ୟାଳୟର ଭିିିଭିଭୂମିରେ କୌଣସି ପରିବର୍ତ୍ତନ ଘଟିପାରୁନି । ହଜାରେ କୋଟି ଟଙ୍କା ରାଜସ୍ୱ ଆଦାୟ କରି ରାଜ୍ୟ ସରକାରଙ୍କ ରାଜକୋଷକୁ ସମୃଦ୍ଧ କରୁଥିବା ଏହି କାର୍ଯ୍ୟାଳୟ ଅସୁରକ୍ଷିତ ଅବସ୍ଥାରେ ଚାଲିଛି । ଯିଏବି ଦେଖିବ ଏବଂ ଜାଣିବ ନିଶ୍ଚିନ୍ତ ବିଶ୍ମିତ ହେବ । ଆମେ କହୁଛୁ ବ୍ୟାସନଗର ପୈାରାଞ୍ଚଳ ଧବଲଗିରି ଠାରେ କାର୍ଯ୍ୟ କରୁଥିବା ଯାଜପୁର ଜିଲାର ଦ୍ରବ୍ୟ ଓ ସେବା କର ସର୍କଲ କାର୍ଯ୍ୟାଳୟର କଥା । କାର୍ଯ୍ୟାଳୟ ଘରର କାନ୍ଥ ଭାଙ୍ଗିରୁଜି ପଡ଼ିଥିବା ବେଳେ ଛାତ ଅବସ୍ଥା ସାଂଘାତିକ ହୋଇପଡ଼ିଛି । ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା ଛାତ କୈାଣସି ସମୟରେ ଯଦି ଗଳିପଡ଼େ ତେବେ କେହି ଆଶ୍ଚର୍ଯ୍ୟ ହେବେନି । କେତେ ବେଳେ ଛାତରୁ ତ କେତେ ବେଳେ କାନ୍ଥରୁ ଫଡା ଫଡା ପଲସ୍ଥରା ଖସୁଛି । ଆଉ ବର୍ଷା ହେଲେ ଛାତରୁ ପାଣି ବୋହୁଛି । ଟିକସ ଆଦାୟ କରିବା ନିମନ୍ତେ ପ୍ରତିଷ୍ଠିତ କାର୍ଯ୍ୟାଳୟଟି ସମ୍ପୁର୍ଣ୍ଣ ଅସୁରକ୍ଷିତ ଓ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଥିବାରୁ କରଦାତା ନିଜକୁ ସୁରକ୍ଷିତ ମଣୁ ନଥିବା ବେଳେ ନିଜେ ଅଧିକାରୀ ଏବଂ କର୍ମଚାରୀ ଏକ ପ୍ରକାର ଆତଙ୍କିତ ଭାବେ କାର୍ଯ୍ୟ କରୁଛନ୍ତି । ଖବର ଥାଉକି ବେପାର ବଣିଜର ଖର୍ଦି ବିକ୍ରି ଉପରେ ଟିକସ ଆଦାୟ କରିବା ନିମନ୍ତେ ୧୯୪୭ ମସିହାରେ ଓଡ଼ିଶା ବିକ୍ରିକର ଆଇନ ପ୍ରଚଳିତ ହୋଇଥିବା ବେଳେ ୧୯୫୦ ମସିହା ବେଳକୁ ଧବଳଗିରିରେ ଏହି ଘରଟି ନିର୍ମାଣ ହୋଇଥିଲା  ସେତେ ବେଳେ ଯାଜପୁର ଜିଲା ସହିତ କେନ୍ଦୁଝର ଜିଲା ମଧ୍ୟ ଏହି ଯାଜପୁର ସର୍କଲ ଅଫିସ୍ ଅଧିନରେ ରହିଥିଲା । ବିଜେଡ଼ି ଶାସନ କାଳରେ କେନ୍ଦୁଝର ଏବଂ ବଡବିଲରେ ନୂଆ ସର୍କଲ କାର୍ଯ୍ୟାଳୟ ସ୍ଥାପନ ହେଲା । ଏଣୁ ବର୍ତମାନ ସମ୍ପୂର୍ଣ୍ଣ ଯାଜପୁର ଜିଲା ଏହି କାର୍ଯ୍ୟାଳୟ ଅଧିନରେ ଆସୁଥିଲେ ହେଁ ଧବଳଗିରିରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ପ୍ରଚେଷ୍ଟାରେ ଏକ ନୂତନ ରେଞ୍ଜ ଅଫିସ ୨୦୦୭ରେ ସ୍ଥାପିତ ହେଲା । ଯାହା ଅଧିନରେ କେନ୍ଦୁଝର ଓ ବଡ୍ବିଲ ସର୍କଲ କାମ କରୁଛି । ଟିକସ ଆଦାୟ କ୍ଷେତ୍ରରେ ଖାଲି ଯାଜପୁର ସର୍କଲରୁ ବାର୍ଷିକ ହଜାର କୋଟିରୁ ଉର୍ଦ୍ଧ ଆଦାୟ ହୋଇଥିଲା ବେଳେ ଯାଜପୁର ରେଞ୍ଜର ବାର୍ଷିକ ଆଦାୟ ୩ ହଜାର କୋଟିରୁ ଅଧିକ ହେବ । ଗୋଟିଏ ଜିଲ୍ଲାରୁ ହଜାରେ ଏବଂ ରେଞ୍ଜରୁ ୩ହଜାରରୁ ଅଧିକ କୋଟି ଟଙ୍କା ରାଜସ୍ୱ ଆଦାୟ କରି ରାଜକୋଷକୁ ସମୃଦ୍ଧ କରୁଥିବା କାର୍ଯ୍ୟାଳୟ ନିର୍ମାଣ କି ମରାମତି ଦିଗରେ କିନ୍ତୁ କୈାଣସି ପଦକ୍ଷେପ ନିଆଯାଉନି । ଦୀଘ ୭୫ବର୍ଷ ପୂର୍ବେ ନିର୍ମାଣ ଘରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ପାଞ୍ଚ ବର୍ଷ ପୂର୍ବରୁ ନିରାପତ୍ତାକୁ ଅନୁଭବ କରି ଏକ ନୂତନ କାର୍ଯ୍ୟାଳୟ କରିବା ନିମନ୍ତେ ପ୍ରସ୍ତୁତି ହେଇ ଏହାର ରୂପ ରେଖ ଦିଆହେଲା । ଟେଣ୍ଡର ପର୍ଯ୍ୟନ୍ତ କଥା ଯାଇଥିଲା । ଏପରିକି ନୂତନ କାର୍ଯ୍ୟାଳୟ ଦୁଇ ବର୍ଷରେ ସମ୍ପୂର୍ଣ୍ଣ ହବ ବୋଲି ଆକଳନ କରାଯାଇଥିଲା । ଏହାକୁ ହିଁ ଦୃଷ୍ଟିରେ ରଖି ସର୍କଲ କାର୍ଯ୍ୟାଳୟଟି ରେଞ୍ଜ ଅଫିସକୁ ସ୍ଥାନାନ୍ତରିତ ହୋଇଥିଲା । ହେଲେ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତାରୁ ନା ହେଲା ସଠିକ୍ ଏଷ୍ଟିମେଟ ନା ହେଲା ଟେଣ୍ଡର ନା ହେଇ ପାରିଲା ନୂତନଗୃହ । ଭୁଆଁ ବୁଲେଇଲା ଭଳିଆ ଏବେ ପୁଣି ସେଇ ପୁରୁଣା ବିପଦ ସଙ୍କୁଳ ଗୃହରେ ଚାଲିଛି କାର୍ଯ୍ୟାଳୟ । ବହୁ ବର୍ଷ ଧରି ଟିକସ ଓକିଲ ସଂଘ ଏବଂ ବିଭିନ୍ନ ବେପାର ଓ ବଣିଜ ସଂଗଠନ ତରଫରୁ ବିଭାଗୀୟ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ହେଉନାହିଁ । ନିକଟରେ ଅନୁଷ୍ଟିତ ହୋଇଥିବା ରେଞ୍ଜ ଲେବୁଲ ପରାମର୍ଶଦାତା ବୈଠକରେ ବରିଷ୍ଠ ସଭ୍ୟ ତଥା ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ର ସଭାପତି ବିବେକାନନ୍ଦ ମହାନ୍ତି ଏପ୍ରସଙ୍ଗ ଉଠାଇ ଉପସ୍ଥିତ ଦ୍ରବ୍ୟ ଓ ସେବା କରର ଓଡ଼ିଶା  ସ୍ୱତନ୍ତ୍ର କମିଶନର ଝରାଶ୍ରୀ ଖୁଣ୍ଟିଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନୂତନ କାର୍ଯ୍ୟଳୟ ତୁରନ୍ତ ଚୁଡାନ୍ତ କରିବାକୁ ଦୁଢ଼ ଦାବି ଜଣାଇଥିଲେ । ହେଲେ ଦାବି କେବଳ ଶୁଣିବାରେ ରହିଗଲା । ଯୋଉ କାର୍ଯ୍ୟାଳୟକୁ ପ୍ରତିଷ୍ଠିତ କାରଖାନାଙ୍କ ପ୍ରତିନିଧି ସହିତ ଅନେକ ପ୍ରତିଷ୍ଠିତ ଓକିଲ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଛନ୍ତି ସେଭଳି କାର୍ଯ୍ୟାଳୟ ଅବସ୍ଥା ହାଟରେ ପଡ଼ି ଦାଣ୍ଡରେ ଗଡୁଛି । କାର୍ଯ୍ୟାଳୟରେ ନା ଅଛି ଭିଜିଟରସ ହଲ୍ ନା ଅଛି ଶୌଚାଳୟ । ତଥାପି କାର୍ଯ୍ୟାଳୟ ଆଦାୟ କରୁଛି ବାର୍ଷିକ ହଜାର ହଜାର କୋଟି । କାର୍ଯ୍ୟାଳୟର ଦୟନିୟ ଅବସ୍ଥାରେ କେବେ ପରିବର୍ତନ ଘଟୁଛି ତାହାତ ଦେଖିବାର ଅଛି କିନ୍ତୁ ତୁରନ୍ତ ଟେଣ୍ଡର କରି ନୂତନ କାର୍ଯ୍ୟାଳୟ କରିବାକୁ ଶ୍ରୀଯୁକ୍ତ ମହାନ୍ତି ଦୂଢ଼ ଦାବି କରିଛନ୍ତି ।