ଅଧପନ୍ତରିଆ କେନ୍ଦ୍ରୀୟ ପ୍ରକଳ୍ପକୁ ନେଇ ପ୍ରଫୁଲଙ୍କ ଚିନ୍ତା ପ୍ରକଟ
ାା ପ୍ରଭାନୁ୍ୟଜ ।ା ଯାଜପୁର: ବିଭିନ୍ନ କେନ୍ଦ୍ରୀୟ ଯୋଜନା ଅର୍ଥନୈତିକ ପ୍ରଗତି ପାଇଁ ଉପକୂଳ ହେବ । କିନ୍ତୁ ଯେଉଁ ପ୍ରକଳ୍ପ ଆରମ୍ଭ କରାଯାଉଛି, ତାହା ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିଲେ ଯାଇ ସମ୍ଭବ ହେବ । ହେଲେ ଦେଖାଯାଉଛି, ବହୁ କେନ୍ଦ୍ରୀୟ ପ୍ରକଳ୍ପ ଆରମ୍ଭ ହେଉଥିଲେ ହେଁ ଅଧପନ୍ତରିଆ ଭାବେ ପଡ଼ି ରହୁଛି । ଏଦିଗରେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ବିଭିନ୍ନ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ କିଛି ପ୍ରସ୍ତାବ ମଧ୍ୟ ରଖିଛନ୍ତି । ଶ୍ରୀ ଘଡ଼ାଇ ବଡବିଲ-ଚଣ୍ଡିଖୋଲ-ପାରାଦ୍ୱୀପ ରାସ୍ତାକୁ ୮ଟିକିଆ ବିଶିଷ୍ଟ କରାଯିବା ସହିତ ଭୁବନେଶ୍ୱର-ପୁରୀ ୬ଟିକିଆ ସବୁଜ ରାସ୍ତା ନିର୍ମାଣ ପାଇଁ ଏନଏଚଏଆଇକୁ ଡିପିଆର ପ୍ରସ୍ତୁତ କରିବା ପାଇଁ ରାଜ୍ୟ ପୂର୍ତ ବିଭାଗ ଚିଠି ଲେଖିଛନ୍ତି ।
କେନ୍ଦ୍ର ସରକାରଙ୍କ ରେଲୱେ ବିଭାଗ ୬ଟି ପ୍ରକଳ୍ପ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ନିର୍ମାଣ ହେବା ଫଳରେ ରାଜ୍ୟରେ ଭିତ୍ତିଭୂମି ଓ ଶିଳ୍ପର ବିକାଶ ସର୍ବୋପରି ରାଜ୍ୟର ଅର୍ଥନୈତିକ ପ୍ରଗତି ଦିଗରେ ସହାୟକ ହେବ ବୋଲି ମତ ରଖିବା ସହ ପ୍ରକଳ୍ପ ଗୁଡିକ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନେକ ଗୁଡିଏ ପ୍ରକଳ୍ପ ବର୍ଷବର୍ଷ ଧରି ଅଧପନ୍ତରିଆ ହୋଇ ପଡି ରହିଥିଲେ ମଧ୍ୟ ତାହାର ପୂର୍ଣ୍ଣାଙ୍ଗ କରିବା ଦିଗରେ କୌଣସି ସୂଚନା ନଥିବା କଥା ଦର୍ଶାଇଛନ୍ତି । ଦୀର୍ଘ ୧୦ବର୍ଷ ହେବ ୫୩-ନଂ ଜାତୀୟ ରାଜପଥର ତାଳଚେର ଠାରୁ ଚଣ୍ଡୀଖୋଲ ରାସ୍ତାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହି ରାସ୍ତା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ । ଚଣ୍ଡିଖୋଲ ଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବରେ ପଡିଥିଲା ବେଳେ ତାଳଚେର ଠାରୁ ଡୁବୁରୀ ରାସ୍ତା ନିର୍ବାଚନ ପୂର୍ବରୁ ଉଦ୍ଘାଟିତ ହୋଇଥିଲେ ମଧ୍ୟ ଏହି ରାସ୍ତାର ସୁକିନ୍ଦାଗଡ ଠାରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇ ପାରିଲା ନାହିଁ । ଫଳରେ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । କବାଟବନ୍ଧ ନିକଟରେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ ନିର୍ମାଣ କଥା ନକହିବା ଭଲ । ସେହିପରି ସୁକିନ୍ଦା-ଅନୁଗୁଳ ରେଲୱେରେ ମାଲବାହି ଟ୍ରେନ୍ ଚଳାଚଳ କରୁଥିବା ବେଳେ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇନାହିଁ । ୩୩୧୫ କୋଟିଟଙ୍କା ବ୍ୟୟ ଅଟକଳରେ ୧୦୧ କିଲୋମିଟର ଦୀର୍ଘ ଯାଜପୁର ରୋଡ-ଧାମରା ରେଳପଥ ଦ୍ୱାରା ରେଳବାଇକୁ ୧୪.୫୧ପ୍ରତିଶତ ଲାଭ ମିଳିବା ସହିତ ବିରଜାକ୍ଷେତ୍ର, ଆରଡିର ଶୈବପୀଠ, ଭିତରକନିକାର ଜାତୀୟ ଉଦ୍ୟାନ ଏବଂ ଧାମରା ବନ୍ଦରକୁ ସଂଯୋଗ କରିବାକୁ ଥିବାବେଳେ ଏହି ପ୍ରକଳ୍ପ ପାଇଁ କୌଣସି ଘୋଷଣା ନହେବା ଦୁର୍ଭାଗ୍ୟର ବିଷୟ । ତେଣୁ ଚଣ୍ଡିଖୋଲ-ଡୁବୁରୀ ରାସ୍ତା ପୂର୍ଣ୍ଣାଙ୍ଗ କରିବା ସହିତ ସୁକିନ୍ଦାଗଡ ଫ୍ଲାଏ ଓଭର ବ୍ରିଜ ଏବଂ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଏନଏଚଏଆଇ କର୍ତ୍ତୃପକ୍ଷ ପଦକ୍ଷେପ ନେବା ସହିତ ରେଳୱେ ବିଭାଗ ଅନୁଗୁଳ ଠାରୁ ସୁକିନ୍ଦା ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ ଏବଂ ଯାଜପୁର ରୋଡ-ଧାମରା ରେଳପଥ ନିର୍ମାଣ ପାଇଁ ବ୍ୟୟବରାଦ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଡ.ଘଡାଇ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।