ମହାକାର୍ତ୍ତିକ- ଏକ ବିଶ୍ଳେଷଣ

ପ୍ରବାସିନୀ ମହାନ୍ତି : ଦ୍ୱାପର ଯୁଗର କଥା । ଦ୍ୱାରିକାରେ ଭଗବାନ୍‌ ଶ୍ରୀକୃଷ୍ଣ ରାଜୁତି ·ଲୁଥାଏ । ଦିନେ ସେ ତାଙ୍କ ପତ୍ନୀ ସତ୍ୟଭାମାଙ୍କୁ ସାଂଗରେ ଆଣି, ତାଙ୍କ ରାଜ ଉପବନରେ ଭ୍ରମଣ  କରୁଥାନ୍ତି । କଥପୋକଥନ କରିବା ସମୟରେ ସତ୍ୟଭାମା,ଶ୍ରୀକୃଷ୍ଣଙ୍କୁ ପଚାରିଲେ, ସ୍ୱାମୀ, ଏହି ମର୍ତ୍ତ୍ୟଭୂମିରେ ସବୁଠାରୁ ଶ୍ରେଷ୍ଠବ୍ରତ କାହାକୁ କୁହାଯାଏ? ଏହା କେଉଁ ମାସରେ ପାଳନ କରାଯାଏ? ଏହାଦ୍ୱାରା କ’ଣ ସୁଫଳ ମିଳେ ? କୃଷ୍ଣ କହିଲେ, ସବୁଠାରୁ ଶ୍ରେଷ୍ଠବ୍ରତ  କାର୍ତ୍ତିକ ବ୍ରତ । ବ୍ରତର ମହତ୍ତ୍ୱ କ’ଣ, ବିସ୍ତାର ଭାବେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ ଶୁଣାଇଲେ ।
 
   କାର୍ତ୍ତିକ ମାସର ବ୍ରତକୁ କାର୍ତ୍ତିକ  ବ୍ରତ କୁହାଯାଏ । ବର୍ଷକ ବାର ମାସ ମଧ୍ୟରୁ କାର୍ତ୍ତିକ, ମାଘ ଓ ବୈଶାଖ ମାସକୁ ଧର୍ମ ଓ ପୁଣ୍ୟମାସ ଭାବେ ବିବେଚନା କରାଯାଏ । ଶାସ୍ତ୍ରରେ କଥିତ ଅଛି, କାର୍ତ୍ତିକ ମାସ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ । ବେଦ ସମ କୌଣସି ଶାସ୍ତ୍ର ନାହିଁ, ଗଙ୍ଗା ନଦୀ ତୁଲ୍ୟ ପବିତ୍ର ନଦୀ ନାହିଁ । ତେଣୁ କାର୍ତ୍ତିକ ପରି ପୁଣ୍ୟ ମାସ ଓ ଶ୍ରେଷ୍ଠ ଧର୍ମ ମାସ ଆଉ ନାହିଁ । ଏହି ପାବନ ମାସରେ ମନୁଷ୍ୟ ଧର୍ମ ପାଳନ ପୂର୍ବକ ଭୋଗ ଓ ମୋକ୍ଷ ପ୍ରାପ୍ତ ହୁଏ । ଭଗବାନ୍‌  ବିଷ୍ଣୁଙ୍କର ଏହା ଅତି ପ୍ରିୟ ମାସ । ପଦ୍ମପୁରାଣରେ ଲେଖାଅଛି, ଜଣେ ବ୍ରତଧାରୀ ବ୍ୟକ୍ତି ଯଦି ରାତ୍ରୀ ଜାଗରଣ ରହି ବିଷ୍ଣୁଙ୍କୁ ସ୍ମରଣ କରେ, ସୂର୍ଯୋ୍ୟଦୟ ପୂର୍ବରୁ ସ୍ନାନ, ତୁଳସୀ ପୂଜନ, ଦୀପଦାନ, ନାମ ସଂକୀର୍ତ୍ତନ, ଉଦାପନ, ଏହି ପାଞ୍ଚୋଟି  ନିୟମ ବିଧି ଅନୁସାରେ  କରେ ତେବେ ସେ ଅଶେଷ ପୁଣ୍ୟ ଲାଭ କରେ । ମୋକ୍ଷଲାଭ କରି ଗୋଲକଧାମ ବୈକୁଣ୍ଠରେ ଶ୍ରୀହରିଙ୍କୁ ପ୍ରାପ୍ତ ହୁଏ । ମର୍ତ୍ତ୍ୟର ମନୁଷ୍ୟମାନେ, ଜପ, ଧ୍ୟାନ, ଦାନ, କୀର୍ତ୍ତନ କରିବା ହେତୁ ମର୍ତ୍ତ୍ୟମଣ୍ଡଳ ସ୍ୱର୍ଗର ଦିବ୍ୟ ମାଧୁରିମାରେ ଭରିଯାଏ । ଆଧ୍ୟାତ୍ମିକ ବାତାବରଣରେ ନୂତନ ଉତ୍ସାହ ଉଦ୍ଦୀପନା, ଆସି ଧର୍ମୀୟ ଚେତନାକୁ ଜାଗ୍ରତ କରାଏ ।
 
    ଏହି ଧର୍ମମାସ କାର୍ତ୍ତିକରେ ପ୍ରାତଃ ସ୍ନାନ କଲେ ବହୁ ଜନ୍ମର ପାପ କ୍ଷୟ ହୁଏ । ଜଳରେ ରହି, ସ୍ନାନ ସାରି ଆଦିତ୍ୟଙ୍କୁ ଜଳ ଅଞ୍ଜୁଳିରେ ଅର୍ପଣ କରି, “ହେ ପରମ ପିତା ମୋତେ ରକ୍ଷାକର” ବୋଲି ସୂର୍ଯ୍ୟଙ୍କୁ ନିବେଦନ କରାଯାଏ । ପୁଷ୍କରିଣୀରେ ସ୍ନାନ କଲେ ପାଞ୍ଚଗୁଣ, ନଦୀସ୍ନାନ ଦଶ ଗୁଣ ଓ ତୀର୍ଥସ୍ଥାନରେ ସ୍ନାନକଲେ ସମସ୍ତ ବିଘ୍ନ ଦୂର ହୁଏ, ମନସ୍କାମନା ପୂର୍ଣ୍ଣ ହୁଏ ଓ ଲକ୍ଷେଗୁଣ ପୁଣ୍ୟଫଳ ପ୍ରାପ୍ତ ହୁଏ । ବ୍ରତଧାରୀମାନେ  ଶୁକ୍ଳ କିମ୍ବା ପୀତବର୍ଣ୍ଣର ବସ୍ତ୍ର ପିନ୍ଧି ସ୍ନାନାନ୍ତେ, ଦେବାଳୟକୁ ଯାଇ ଶ୍ରୀ ହରିଙ୍କୁ ଦର୍ଶନ କରିବା ହେବେ। ତତ୍ପରେ ତୁଳସୀ ପୂଜନ  ବିଧି  ଆଚରଣ କରିବେ । ତୁଳସୀ ବୃକ୍ଷ ମୂଳରେ ଲିପାପୋଛା କରି ପଞ୍ଚମୁରୁଜରେ ଚିତା ପକାଇ  ଆରାଧନା କରି ଦୀପ ଓ ନୈବେଦ୍ୟ ଅର୍ପଣ କରାଯାଏ । ତୁଳସୀ ବୃକ୍ଷରେ ସ୍ୱୟଂ  ବିଷ୍ଣୁ ବିରାଜ କରିଥାନ୍ତି । ଯେହେତୁ  ବିଷ୍ଣୁଙ୍କର ପ୍ରିୟ ତୁଳସୀ ବ୍ରହ୍ମା ମହେଶ୍ୱର ମଧ୍ୟ ସେଠାରେ ବାସ କରନ୍ତି, ଆଉ ଚଉଁରାର ମାଟିରେ ବୃନ୍ଦାବତୀଙ୍କ ପାଖରେ ଜଳ ଅର୍ପଣ ଫଳ ଗଙ୍ଗାଜଳ ସହ ତୁଲ୍ୟ ହୋଇଥାଏ । ଅର୍ଥାତ ତାଙ୍କ ପାଦରେ ଗଙ୍ଗା ମଧ୍ୟ ରହିଥାଆନ୍ତି । ସଂଧ୍ୟାଦୀପ ଦେଇ, ତୃଣ ଆସନରେ ଶୟନ କରିବେ । ଶାସ୍ତ୍ର, ପୁରାଣ ଭାଗବତ ପଠନ ଆଦି ଗ୍ରନ୍ଥ ପାଠ କରିବେ । ମହାନ୍‌ ପୁଣ୍ୟଦାୟୀ ତୁଳସୀ ପୂଜା, ପ୍ରୟାଗରେ ସ୍ନାନକଲେ, ଭାଗବତ ସ୍ୱାଧ୍ୟାୟ କଲେ, କାଶୀରେ ମୃତ୍ୟୁ ହେଲେ, ଯେଉଁ ପୁଣ୍ୟଫଳ  ପ୍ରାପ୍ତ ହୁଏ, ସେହି  ପୁଣ୍ୟଫଳ କେବଳ, ତୁଳସୀପୂଜନରେ ଲାଭ ହୋଇଥାଏ ।
    ଦୀପଦାନର ମହତ୍ତ୍ୱ ମଧ୍ୟ ଏହି ମାସରେ ଏକବିଧି । ସଂଧ୍ୟା ସମୟରେ ବିଷ୍ଣୁଭଗବାନ୍‌ଙ୍କୁ ଆବାହନ କରି, ରାଶିତେଲ ଦୀପଦାନ କଲେ, ସେ ବ୍ୟକ୍ତି ଅତୁଳ ଲକ୍ଷ୍ମୀ, ଯଶ ସୌଭାଗ୍ୟ, ରୂପ ସମ୍ଭାରର  ଅଧିକାରୀ  ହୋଇଥାନ୍ତି । ବିଶେଷ କରି କାର୍ତ୍ତିକ ମାସରେ, ନଦୀସ୍ନାନ, ରାଶିଦାନ, ସାଧୁ ଦର୍ଶନ, ହବିଷ୍ୟ ଅନ୍ନ, ଖଲିଭୋଜନ, ମୌନବ୍ରତ ପାଳନ ଭୂମି ଶୟନ, ଏସବୁ ନିୟମ ପାଳିଲେ, ସମସ୍ତ ପାପ କଳୁଷରୁ ବ୍ୟକ୍ତି ମୁକ୍ତ ହୋଇଥାଏ । ମନୁଷ୍ୟ ଧର୍ମାଚରଣ କରିବାଦ୍ୱାରା, ବ୍ୟକ୍ତିଗତ, ସାମାଜିକ, ଜୀବନରେ ଶ୍ରେଷ୍ଠତା ଓ ଦିବ୍ୟତା ପ୍ରାପ୍ତ କରେ । ଧର୍ମକୁ ଛାଡ଼ି ବିଜ୍ଞାନର ସ୍ଥିତି ନାହିଁ, କିମ୍ବା ବିଜ୍ଞାନକୁ ଛାଡ଼ି ଧର୍ମର ସ୍ଥିତି ନାହିଁ । ପରସ୍ପର ପରିପୂରକ । ଲୋକା·ରରେ ବିଜ୍ଞାନକୁ ଯେତେ ପ୍ରାଧାନ୍ୟ ଦେବାକଥା, ତାହା ଧର୍ମା·ରରେ ବେଶୀ ଉପଲବ୍ଧି କରାଯାଏ । ତେଣୁ ଧର୍ମର ପାଳନରେ ସବୁ ଗ୍ରହଣଯୋଗ୍ୟ ହୋଇଯାଏ । ଯାହାବି ହେଉ, ମନୁଷ୍ୟ ସମାଜ ଦୁର୍ଗତିରୁ ରକ୍ଷାପାଉ, ଅୟୁଷ୍ମାନ, ନୀରୋଗ ରହି ସେବାବ୍ରତ ପାଳନ କରୁ ।
     ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ପ୍ରାତଃସ୍ନାନର ବିଶେଷ ମହତ୍ତ୍ୱ ରହିଛି । କାର୍ତ୍ତିକମାସ ଋତୁ ପରିବର୍ତ୍ତନର ସମୟ । ବର୍ଷାଋତୁ ସରିଥାଏ । ଶୀତ ଋତୁରେ ମଣିଷ ଅଳସୁଆ ହୋଇଯାଏ । ଶରୀର ପରିବେଶ ଅନୁଯାୟୀ ଖାପ ଖାଇ ନଥାଏ । ସକାଳ ସ୍ନାନକଲେ, ଶରୀରରେ ଉର୍ଜ୍ଜା, ଶକ୍ତି ସୃଷ୍ଟି ହୋଇଥାଏ । ଫଳରେ ଦେହ କ୍ଲାନ୍ତ ବା ଅବଶ ହୁଏ ନାହିଁ । କର୍ମ ତତ୍ପର ହୁଏ । ବୃନ୍ଦାବତୀ ପୂଜା ବିଜ୍ଞାନ ସମ୍ମତ । ଋତୁ ପରିବର୍ତ୍ତନ ସମୟରେ ଶରତ ଋତୁ ଓ ଶୀତ ଋତୁ ପ୍ରାରମ୍ଭରେ ସର୍ଦ୍ଦି, ଥଣ୍ଡାଜ୍ୱର ଆଦି ରୋଗ ବିସ୍ତାର କରେ । ପ୍ରାତଃସ୍ନାନ ପରେ ତୁଳସୀ ସେବନ ଦ୍ୱାରା, ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ତୁଳସୀ ପତ୍ରରେ କଫ, କାଶ, ବାତ, ପିତ୍ତ ରୋଗର,  ଔଷଧୀୟ ଗୁଣଥାଏ ।
   
     ହବିଷ୍ୟାନ୍ନ ମଧ୍ୟ କାର୍ତ୍ତିକ ମାସର ଏକ ବିଧି । ଶୀତ ଦିନରେ ଦିନ ସମୟ ଅବଧି ଛୋଟ ହୁଏ ଓ ରାତ୍ରୀ ବଡ଼ ହୁଏ । ଖାଦ୍ୟରୁ ହିଁ ରୋଗ ହୁଏ । ଏହି ସମୟରେ ପାଚନ ଶକ୍ତି କମ୍‌ ଥାଏ । ଗରିଷ୍ଠ ତଥା, ଯେଉଁ ଖାଦ୍ୟ, ରାଗ, ଅମ୍ଳ, କଟୁ, ତିକ୍ତ, ତୈଳାକ୍ତ ଆମିଷଦ୍ରବ୍ୟ ସ୍ୱାସ୍ଥ୍ୟକୁ ନଷ୍ଟକରେ, ରୋଗ ଆଣେ, ଦୁଃଖ ଦିଏ । ତେଣୁ ଏହାକୁ ବର୍ଜ୍ଜନ କରି ସାତ୍ତ୍ୱିକ ଆହାର କରିବା ଉଚିତ୍‌ । ଗୋଟିଏ ମାସ, ଗରିଷ୍ଠ ଭୋଜନକୁ ତ୍ୟାଗ କରି, ଖାଦ୍ୟରେ ସଂଯମତା ଆଣିଲେ ସୁସ୍ଥ ସହ ନୀରୋଗୀ ଜୀବନ ଯାପନ କରିବା । ଭାରତ ଓ ଓଡ଼ିଶା ଏକ କୃଷି ପ୍ରଧାନ ଦେଶ ଓ ରାଜ୍ୟ । ପ୍ରାୟତଃ ବର୍ଷାଋତୁରେ ପନି ପରିବା ଓ ଶସ୍ୟ ଅମଳ ସରିଆସୁଥାଏ । ପନିପରିବା ଚଢ଼ା ଦାମ୍‌ରେ  ବିକ୍ରି  ହୁଏ । ଆଜିକାଲି ସିନା ଶୀତଳଭଣ୍ଡାରରେ ବର୍ଷକଯାକର ପରିବା ବଜାରକୁ ଆସୁଛି । କିନ୍ତୁ ତାହା ଉତ୍ତମ ପରିବାରେ ଗଣାହେବ ନାହିଁ । ଯେଉଁ ସମୟରେ ଯେଉଁ ଖାଦ୍ୟ ଦରକାର ଈଶ୍ୱର ତାହା ପ୍ରଦାନ କରିଛନ୍ତି । ଜଠରାଗ୍ନି, କେଉଁଥିରେ ପ୍ରଶମିତ ହେବ, ତାହା ଆଗରୁ ପ୍ରାମାଣିତ ହୋଇ ପୁରୁଖା ଲୋକମାନେ, ଶିକ୍ଷାଦେଇଯାଇଛନ୍ତି । ବର୍ଷାଋତୁ ପରେ ପରେ ଯେଉଁ ପରିବା ମିଳେ, ଯଥା, ଓଉ, ଦେଶୀଆଳୁ, କଞ୍ଚାକଦଳୀ, ସାରୁ, କଇଥ, ଖଟା କମଳା, ଓ ଶସ୍ୟ ମୁଗ- ଏହାସବୁ, ସୁପାଚ୍ୟ, ଅତ୍ୟନ୍ତ ଶକ୍ତି ବର୍ଦ୍ଧକ ଓ ପୌଷ୍ଟିକତତ୍ତ୍ୱରେ ଭରପୁର । କାର୍ତ୍ତିକରେ ସ୍ନାନ ଯୋଗୁଁ, ଥଣ୍ଡା ଶର୍ଦ୍ଦିର ପ୍ରାବଲ୍ୟ ଦେଖାଯାଏ । ଓଉ, କଇଥ, କମଳା ଭିଟାମିନ୍‌ ସି ରେ ଭରପୁର । ଯାହାକି ଆମ ଶରୀରର ଥଣ୍ଡା, ସର୍ଦ୍ଦିକୁ ପ୍ରଶମିତ କରିଥାଏ । ଆକାଶ ଦୀପ କାର୍ତ୍ତିକ ମାସରେ ଜଳାଯାଏ । ଏହା ଏକ ପରମ୍ପରା ରହିଆସିଛି । ମନ୍ଦିର ମାନଙ୍କ ପାଖରେ ଓ ଗ୍ରାମେ ଗ୍ରାମେ ଏହା ଜଳାଯାଇଥାଏ । ବାଉଁଶ ଦ୍ୱାରା ଏହି ଦୀପକୁ ଉପରକୁ ଉଠାହୋଇଥାଏ । ମାଟି ହାଣ୍ଡି ଭିତରେ ଦୀପ ରଖି ଜଳାଯାଇଥାଏ । କଥିତ ଅଛି ଏହାଦ୍ୱାରା ମଣିଷ ସୌଭାଗ୍ୟପ୍ରାପ୍ତି ହୋଇଥାଏ ଓ ପୁଣ୍ୟପ୍ରାପ୍ତ କରିଥାଏ । କିନ୍ତୁ ଆଗେ ଜଳପଥରେ ନୌବାଣିଜ୍ୟ ହେଉଥିଲା । ସଡ଼କ ପଥର ସୁବିଧା ନଥିଲା । ପ୍ରାଚୀନ ଓଡ଼ିଶା ନୌବାଣିଜ୍ୟରେ ସମୃଦ୍ଧ ଥିଲା । ଦୂରରୁ ଆକାଶଦୀପର ଆଲୁଅକୁ ଦେଖି ବଣିକମାନେ ସ୍ଥାନ ନିରୂପଣ କରିପାରୁଥିଲେ । ସେତେବେଳେ ବିଜୁଳିବତି ବା ଲାଇଟ୍‌ ହାଉସ ନଥିଲା । ନିଜ ଗ୍ରାମକୁ ବାଣିଜ୍ୟସାରି ବ୍ୟବସାୟୀମାନେ ଫେରିଆସୁଥିଲେ । ତେଣୁ ଆକାଶ ଦୀପର ଉପଯୋଗିତା ମଧ୍ୟ ଥିଲା ।
    ମୁକ୍ତିକାରୀ, ପାପାହାରୀ କାର୍ତ୍ତିକ ମାସର ମାହାତ୍ମ୍ୟ ଅତ୍ୟନ୍ତ ଯୁକ୍ତିଯୁକ୍ତ, ଏହି ମାସରେ ଗୀତା ପାଠ, ସର୍ବପାପହର । ଏହାଦ୍ୱାରା ବ୍ରହ୍ମଲୋକ ପ୍ରାପ୍ତି ହୋଇଥାଏ । କାର୍ତ୍ତିକ ମାସର ଧର୍ମଧାରାକୁ ଅନୁସରଣ କଲେ ଆମ୍ଭେମାନେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ  କରିବା ସହ ତ୍ୟାଗ, ସଂଯମ ଓ ସଂକଳ୍ପର ଶିକ୍ଷା ପ୍ରାପ୍ତ କରିଥାଉ । ଶରୀରକୁ ବିଗାଡୁଥିବା ଭୋଜନ ଓ ମନକୁ ବିଗାଡୁଥିବା ଚିନ୍ତନ ଠାରୁ ଦୂରେଇ ରହି ପ୍ରଭୁଙ୍କ ଚିନ୍ତନରେ ରହି ସୁକର୍ମ ସଂପନ୍ନ କଲେ ତାହା ମାନବ ଧର୍ମରେ ପରିଣତ ହୁଏ । ଫଳରେ ନିଃସନ୍ଦେହ ଭଗବତ୍‌ପ୍ରାପ୍ତି ହୋଇଥାଏ, ଯାହା ମନୁଷ୍ୟର ଚିର କାମ୍ୟ । 
ଭୁବନେଶ୍ୱର
ମୋ:୮୯୨୬୧୪୭୦୩୪