ହବିଷ୍ୟାଳିଙ୍କ ରାଇ ଦାମୋଦର ପୂଜା
ଯାଜପୁର : ସନାତନ ସଂସ୍କୃତିରେ କାର୍ତ୍ତିକ ହେଉଛି ଶ୍ରେଷ୍ଠ ମାସ । କାର୍ତ୍ତିକ ମାସରେ ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣି ପାଳିତ ହୁଏ । ସେଥିମଧ୍ୟରୁ ପଞ୍ଚୁକ ହେଉଛି ଅନ୍ୟତମ । ମାସର ଶେଷ ୫ ଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ବା ମହା ପଞ୍ଚକ କୁହାଯାଏ । ଏବେ ଆରମ୍ଭ ହୋଇସାରିଛି ପଞ୍ଚୁକ । ବିଶେଷକରି ହବିଷ୍ୟାଳୀଙ୍କ ପାଇଁ ଏହି ପଞ୍ଚୁକ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପଞ୍ଚୁକ ପାଇଁ ଯାଜପୁର ଜଗନ୍ନାଥ ମନ୍ଦିର ପରିସର ହୋଇ ଉଠିଛି ଚଳଚଞ୍ଚଳ । ଜିଲାର ବିଭିନ୍ନ ସ୍ଥାନରୁ ପାଖାପାଖି ୧୫୦ରୁ ଉଦ୍ଧ୍ୱର୍ ହବିଷ୍ୟାଳୀ ଜଗନ୍ନାଥ ମନ୍ଦିର ପରିସରରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଶିବିରରେ ୭ ଦିନ ପର୍ଯ୍ୟନ୍ତ ରହି ପୂଜାର୍ଚ୍ଚନା କରୁଛନ୍ତି ।
ପ୍ରତ୍ୟୁଷରୁ ହବିଷ୍ୟାଳୀମାନେ ବୈତରଣୀ ନଦୀରେ ସ୍ନାନ ସାରି ନଦୀ କୂଳରେ ବାଲୁଙ୍କା ପୂଜା କରି ସାରିବା ପରେ ମନ୍ଦିର ପରିସରରେ ରାଇ ଦାମୋଦରଙ୍କ ପୂଜା କରିଥାନ୍ତି । ପୂଜା ସମୟରେ ହବିଷ୍ୟାଳୀ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ସଂକୀର୍ତନ ଓ ଭଜନ ଗାଇ ଭଗବାନଙ୍କୁ ସମର୍ପଣ କରିଥାନ୍ତି । ରାଇ ଦାମୋଦରଙ୍କ ପୂଜା ସମୟରେ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ଜଗନ୍ନାଥ ମନ୍ଦିର ପରିସର । ହବିଷ୍ୟାଳୀମାନେ ରାଇ ଦାମୋଦରଙ୍କୁ ପୂଜା କରିସାରିବା ପରେ ନିଜକୁ କୃଷ୍ଣ ଓ ରାଧା ବେଶରେ ସଜ୍ଜିତ କରି ବିଭିନ୍ନ ଭଜନ କୀର୍ତନ ଗାଇ ଜଗନ୍ନାଥ ମନ୍ଦିର ପରିକ୍ରମା କରିବାର ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ଆକାଶ ଦୀପ ଉଠିବା ପରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବିଭିନ୍ନ ଆଧ୍ୟାତ୍ମିକ ପ୍ରବଚନ, ଭଜନ ପରିବେଶଣ ହେଉଛି । ଏହିପରି ଭାବେ ହବିଷ୍ୟାଳୀମାନେ କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଇ ଦାମୋଦରଙ୍କୁ ପୂଜା କରି ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ନିଜକୁ ସମର୍ପଣ କରିଥାନ୍ତି ।