ମୁକ୍ତିର ସ୍ୱାଦ ଓ ମୃତୁ୍ୟର ମୁକ୍ତି
ଡା.ଉମେଶ ଚନ୍ଦ୍ର ପାତ୍ର : ମୁକ୍ତି ହେଉଛି ମନୁଷ୍ୟର ଜନ୍ମଗତ ଅଧିକାର । ମୁକ୍ତି ହେଉଛି ସତ୍-ଚିତ୍-ଆନନ୍ଦ । ମୁକ୍ତି ହେଉଛି ଅମରତ୍ୱ । ମୁକ୍ତି ହେଉଛି ଜ୍ଞାନ, ଶାନ୍ତି ଓ ଆନନ୍ଦର ସମନ୍ୱୟ । ସଚେତନ ବା ଅଚେତନ ଅବସ୍ଥାରେ କିମ୍ବା ଜ୍ଞାତରେ ବା ଅଜ୍ଞାତରେ ପ୍ରତ୍ୟେକ ବ୍ୟକ୍ତି ଏହି ମୁକ୍ତି ଳାଭ ପାଇଁ ସତତ ପ୍ରଚେଷ୍ଟମାନ । ମୁକ୍ତି ପାଇଁ ଜାତି ଜାତି ମଧ୍ୟରେ ଯୁଦ୍ଧ ଲାଗିଛି । ମଣିଷର ପ୍ରତ୍ୟେକ ପଦକ୍ଷେପ ମୁକ୍ତି ବା ସତ୍-ଚିତ୍-ଆନନ୍ଦ ଆଡ଼କୁ ହିଁ ହୋଇଥାଏ ।
ଜନୈକ ଭକ୍ତ କଥା ପ୍ରସଙ୍ଗରେ ଜାଣିବାକୁ ଚାହିଁଲେ - ମୁକ୍ତି କାହାକୁ କୁହନ୍ତି? ମୁକ୍ତି ଆସିଥାଏ କିପରି? ଶ୍ରୀ ଶ୍ରୀ ଠାକୁର ଅନକୂଳଚନ୍ଦ୍ର ତାଙ୍କର ସ୍ୱଭାବ ସୁଲଭ ଭଙ୍ଗୀରେ କହିଲେ - ମୁକ୍ତି କହିଲେ ବୁଝିବାକୁ ହେବ ପ୍ରବୃତ୍ତି ପରାୟଣତାରୁ ମୁକ୍ତି, ସ୍ୱାର୍ଥପର କାମନା କଳୁଷ ଠାରୁ ମୁକ୍ତି । ଏହି ଦୃଷ୍ଟିକୋଣରୁ ଯିଏ ଯେତେ ପରିମାଣରେ ମୁକ୍ତ, ତାହାର ଜୀବନ ସେତେ ପରିମାଣରେ ଦୀପ୍ତ ଓ ବ୍ୟାପ୍ତ । ଏହା ନହୋଇ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଜଣକର ଜୀବନ ଯେତେ ଉଜ୍ଜ୍ୱଳ ଦେଖା ଯାଉନା କାହିଁକି ସେହି ଜ୍ୟୋତି ମଧ୍ୟରେ ରହିଥାଏ ଏକ ଅଦୃଶ୍ୟ କାଳିମା । ତେଣୁ ଜୀବର ସତ୍ତାକୁ ତାହା ସନ୍ଦୀପିତ ଓ ସମୁନ୍ନତ କରିପାରେ ନାହିଁ । ଭକ୍ତି ହିଁ ମୁକ୍ତିର ପଥ । ପ୍ରବୃତ୍ତିଗୁଡ଼ିକୁ ସମ୍ୟକ୍ ଭାବରେ ଇଷ୍ଟ ପ୍ରତିଷ୍ଠାପନ୍ନ ବା ଗୁରୁକୈନ୍ଦ୍ରିକ କରି ତୋଳିବା ହିଁ ମୁକ୍ତିର ତାତ୍ପର୍ଯ୍ୟ । ଏହି ଅବଦାନ ଯାହାର ଯେପରି ତାର ବିବର୍ତ୍ତନ ସ୍ତର ମଧ୍ୟ ସେହିପରି । ମୁକ୍ତି ସଙ୍ଗେ ମୃତୁ୍ୟର କୌଣସି ସମ୍ପର୍କ ନାହିଁ, ବରଂ ସମ୍ପର୍କ ରହିଛି ଜୀବନର ଓ ମୃତୁ୍ୟ ମଧ୍ୟ ଅବଲୁପ୍ତ ହେଇପାରେ ସ୍ମୃତିବାହୀ ଚେତନାର ଜାଗରଣ ମାଧ୍ୟମରେ ।
ପ୍ରବୃତ୍ତି ରହିଲେ ମଧ୍ୟ ବଞ୍ଚôବା ଓ ବଢ଼ିବା ବିକ୍ଷୁବ୍ଧ ହେଉ ତାହା ଆମେ ଚାହୁଁନା । ରସଗୋଲା ଖାଇବାକୁ ଚାହୁଁ କିନ୍ତୁ ଖାଇ ଅସୁସ୍ଥ ହେବାକୁ ଚାହୁଁନା, ଅସ୍ୱସ୍ତିବୋଧ କରିବାକୁ ଚାହୁଁନା । ଅସ୍ୱସ୍ତି ଠାରୁ ମୁକ୍ତି ପାଇବାକୁ ଚାହୁଁ । ରସଗୋଲା ସତ୍ତାଟାକୁ କମ୍ପିତ କରିଦିଏ - ତାହା ଚାହୁଁନା । ସ୍ତ୍ରୀ-ପିଲା, ବ୍ୟବସାୟ-ବାଣିଜ୍ୟ କିଛି ବି ଛାଡ଼ିବାକୁ ହେବ ନାହିଁ । ଏହା ଭିତର ଦେଇ ଧର୍ମ ଉପାର୍ଜ୍ଜନ କରିବାକୁ ହେବ । ଦରକାର ଇଷ୍ଟାନୁରାଗ-ଆତ୍ମ-ନିୟନ୍ତ୍ରଣ । ପ୍ରବୃତ୍ତି ଉପରେ ଆଧିପତ୍ୟ ନ ରହିଲେ ବ୍ୟକ୍ତିତ୍ୱ ବିଚ୍ଛିନ୍ନ ହୋଇଯାଏ । ସେତେବେଳେ ତୁମେ କାମନାର, ତୁମେ ନା କ୍ରୋଧର, ତୁମେ ଲୋଭର, ତୁମେ ମଦର, ତୁମେ ମୋହର, ତୁମେ ମାତ୍ସର୍ଯ୍ୟର ହୋଇଥାଅ । ସଂସାରର ପ୍ରତିଟି କର୍ମରେ ଇଷ୍ଟ ପୂଜା ଫୁଟି ଉଠିଲା ନାହିଁ, ସେଠି କିନ୍ତୁ ଧର୍ମ ହେଲା ନାହିଁ । ପରିବେଶ ସହ ନିଜର ସତ୍ତା - ସମ୍ବର୍ଦ୍ଧନାକୁ ଧରି ରଖେ ଯାହା ତାକୁ ହିଁ ଧର୍ମ କୁହାଯାଏ । ପୂଜା କରିବା ଭଲ, ଧର୍ମର ଅଭିନୟ କରିବା ବି ଭଲ, କିନ୍ତୁ ଧର୍ମକୁ କର୍ମ ଭିତର ଦେଇ ପରିପାଳନ କରିବାକୁ ହେବ ନଚେତ ତାହା ସାର୍ଥକ ହୋଇ ଉଠିବ ନାହିଁ । ସେହି ଭଦ୍ରଲୋକ ପୁନରାୟ କହିଲେ - ଶାସ୍ତ୍ରରେ ଅଛି - ‘ହରେର୍ନାମ, ହରେର୍ନାମ ହରେର୍ନାମୈବ କେବଳମ୍ ।’ ସେ କହିଲେ ଭଗବାନଙ୍କର ନାମ ସଦ୍ଗୁରୁଙ୍କ ପାଖରୁ ପାଇ ସାଧନା କରିବାକୁ ହୁଏ । ସଦ୍ଗୁରୁଙ୍କ ପ୍ରତି ଅନୁରାଗ ରଖି ସଂସାରର ସମସ୍ତ କାର୍ଯ୍ୟ ମଧ୍ୟରେ ଯଦି ଧର୍ମକୁ ମୂର୍ତ୍ତ କରି ତୋଳି ନ ପାରିଲୁ, ତେବେ କ’ଣ ହେଲା? ଗାର୍ହସ୍ଥ୍ୟ - ଆଶ୍ରମରେ ଯେଉଁଟା ହୁଏ, ସେହିଟା ପକ୍କା ପୋକ୍ତ ହୁଏ, ଶକ୍ତ ହୁଏ । ଜଟାଜୁଟ ଧରି ସନ୍ନ୍ୟାସୀ ସାଜି ଚିମୁଟା ନେଇ ବାହାରିଗଲି ଧର୍ମ ସାଧନାରେ, ସେଥିରେ ପ୍ରବୃତ୍ତିର କ’ଣ ହେଲା? ପ୍ରବୃତ୍ତି-ନିୟନ୍ତ୍ରଣ ହିଁ ତ ଅସଲ କଥା । ତା’ର କ’ଣ ହେଲା? ମନରେ ରଖିଲି ମୁଁ ଜଣେ ଖୁବ୍ ବଡ଼ ସନ୍ନ୍ୟାସୀ । ସଂସାରର ଘାତ-ପ୍ରତିଘାତ ଭିତରେ ମଣିଷ ଠିକ୍ ହୋଇଥାଏ ଯଦି ଇଷ୍ଟାନୁରାଗ ଚଳନ ଥାଏ । ପୁଣି ବୈରାଗ୍ୟବାନ ପ୍ରକୃତ ସନ୍ନ୍ୟାସୀ ମଧ୍ୟ ଅଛନ୍ତି । ସଂସାରର ସବୁକିଛି ଭିତରେ ଇଷ୍ଟମୁଖୀ ଚଳନ, ଚରିତ୍ର, ବ୍ୟବହାର ଯଦି ଫୁଟି ଉଠେ, ସେହିଟା କେତେ ଶକ୍ତ ଓ ସୁନ୍ଦର ହୁଏ, ଅବଶ୍ୟ ଚାରି ଦିଗରେ ପ୍ରଲୋଭନ, ଟଙ୍କାର ଲୋଭ, ହାମ ବଡ଼ାମି କେତେ କ’ଣ ଅଛି । ଜିଦର ତୋଡ଼ରେ କହି ଦେଲେ - ମୁଣ୍ଡଟା ତାର ନେଇ ନିଅ, ପଚାଶ ହଜାର ଦେବି । ଏହି ଭାବରେ ପ୍ରବୃତ୍ତିର ଚାକର ହୋଇ ସତ୍ତାର ପୋଷଣ ନ ଦେଇ ଯଦି ତୁମ ସତ୍ତାର ବିଲୋପ ହୁଏ ସେତେବେଳେ କେମିତି ଲାଗେ ।
ସପରିବେଶ ଆମ୍ଭେମାନେ ଯେତେ ଇଷ୍ଟସ୍ୱାର୍ଥ ପ୍ରତିଷ୍ଠାପନ୍ନ ହେବୁ, ଆମ୍ଭମାନଙ୍କ ଭିତରେ ସେତେ ଶାନ୍ତି ବିରାଜ କରିବ, ଆଉ ସପରିବେଶ ଉନ୍ନତି ମଧ୍ୟ ହୁଏ ସେହିପରି । ପନ୍ଥା ହେଲା- ଇଷ୍ଟସ୍ୱାର୍ଥୀ ଭକ୍ତି - ଆପ୍ଲୁତ ସେବା-ସଂହତି । ସବୁ ଜାଗାରେ ହିଁ ରାସ୍ତା ଏହି ଗୋଟିଏ । ଭଦ୍ରଲୋକ ପୁଣି ପ୍ରଶ୍ନ କଲେ - ଦୁନିଆରେ ଅବସ୍ଥା ଦେଖିଲେ ଭଗବାନ୍ଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ଇଚ୍ଛା ହୁଏ । ଶ୍ରୀ ଶ୍ରୀ ଠାକୁର ଦୟାପରବଶ ହୋଇ କହିଲେ - ଭଗବାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ସେଥିରେ ତାଙ୍କର କୌଣସି କ୍ଷତି ହେବ ନାହିଁ । ଭଗବାନ କୃଷ୍ଣ ଶ୍ରୀମଦ୍ ଭଗବତ ଗୀତାରେ କହିଲେ - ଯୋଗଃ କର୍ମସୁ କୌଶଳଂ । ଯୁକ୍ତି ବା ଯୋଗ ଛଡା ମୁକ୍ତି ମଳେ ନାହିଁ । ଜୀବନ୍ତ ଇଷ୍ଟଙ୍କ ଠାରେ ଯିଏ ଯେତେ ପରିମାଣରେ ପ୍ରାଣର ଟାଣ ନେଇ ଯୁକ୍ତ ହୁଏ, ପ୍ରବୃତ୍ତିର ବନ୍ଧନ ତାହାର ସେତେ ପରିମାଣରେ ଖୋଲିଯାଏ, ଦୋଷ ଦୁର୍ବଳତାର ନାଗଫାଶ ଶିଥିଳ ହୋଇ ଉଠେ କ୍ରମେ କ୍ରମେ । ତେଣୁ ସାଧ୍ୟ ବା ସାଧନୀୟ ଯାହା କିଛି ଅଛି ତାହା ହେଉଛି ଇଷ୍ଟାନୁରାଗ । ଏହାକୁ କୁହାଯାଏ ଭକ୍ତି ଓ ଭକ୍ତି ହେଉଛି ଇତିମୂଳକ । ଭକ୍ତି ଦେଖେ ଯେ ଭଗବାନଙ୍କର ଯାହା କିଛି କରଣୀୟ ସେ ସମସ୍ତ କିଛି ତାର ମଧ୍ୟ କରଣୀୟ । ଭଗବାନ ବା ଗୁରୁଙ୍କ ସଙ୍ଗରେ ଯୁକ୍ତ ହେବାକୁ ଯାଇ ସେ ସମସ୍ତଙ୍କ ସଙ୍ଗରେ ଯୁକ୍ତ ହୁଏ ଅର୍ଥାତ୍ ପ୍ରତ୍ୟେକଙ୍କର ସତ୍ତା ସମ୍ବର୍ଦ୍ଧନାରେ ସକ୍ରିୟ ଭାବରେ ଆଗ୍ରହାନ୍ୱିତ ହୋଇ ଉଠେ । ଏଠାରେ ହିଁ ଅଫୁରନ୍ତ ଜୀବନ ରହିଛି । ଆଉ ଏହିପ୍ରକାର ଜୀବନ ମଧ୍ୟରେ ଅଛି ମୁକ୍ତି - ଯଥା ପ୍ରବୃତ୍ତି ପରାୟଣତାରୁ ମୁକ୍ତି, ସଂକୀର୍ଣ୍ଣ ସ୍ୱାର୍ଥପରତାରୁ ମୁକ୍ତି, ଆଳସ୍ୟ, ଅବସାଦ ଓ ଅନନୁସନ୍ଧିତ୍ସାରୁ ମୁକ୍ତି, ଅଜ୍ଞାନରୁ ମୁକ୍ତି, ଅପ୍ରେମରୁ ମୁକ୍ତି, ଅପାରଗତାରୁ ମୁକ୍ତି, ଅସାଫଲ୍ୟରୁ ମୁକ୍ତି, ଭୀରୁତାରୁ ମୁକ୍ତି ଓ ସର୍ବୋପରି ମୃତୁ୍ୟରୁ ମୁକ୍ତି । ମରନା, ମାରନା ଯଦି ପାର ମୃତୁ୍ୟକୁ ଅବଲୁପ୍ତ କର । ସ୍ମୃତିବାହୀ ଚେତନାର ଜାଗରଣ ମାଧ୍ୟମରେ ମନୁଷ୍ୟ ମୃତୁ୍ୟରୁ ମୁକ୍ତିଲାଭ କରିବ । ଜନୈକ ବ୍ୟକ୍ତି ପ୍ରଶ୍ନ କଲେ - ତାହା ହେଲେ ଭକ୍ତ ଯିଏ ସେ ତ ସର୍ବଦିଗରୁ ଶକ୍ତିଶାଳୀ ଓ କୃତକାର୍ଯ୍ୟ ହେବାର କଥା । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତାହା ଦେଖାଯାଏ ନାହିଁ । ଅନେକ ଭକ୍ତ ଦୁଃଖ ଓ ଦୈନ୍ୟ ମଧ୍ୟରେ କାଳାତିପାତ କରନ୍ତି । ସେ କହିଲେ - ଏହାର ଅର୍ଥ ଭକ୍ତିର ଅଭାବ ରହିଛି ସେଠାରେ । ପୁଣି ଅନ୍ୟ ଭାବରେ ଦେଖାଯାଏ - ଭକ୍ତ ଯିଏ ସେ ବହୁ ଲୋକଙ୍କର ସୁଖ-ସୁବିଧା ଓ ସ୍ୱାଚ୍ଛନ୍ଦ୍ୟ ପାଇଁ ନିଜର ସୁଖ ସୁବିଧା ଓ ସ୍ୱାଚ୍ଛନ୍ଦ୍ୟକୁ ବିସର୍ଜନ ଦେଇ ଚାଲେ ହସ ହସ ମୁଖରେ । ପୁଣି ବହୁ ଲୋକଙ୍କ ମଙ୍ଗଳ ପାଇଁ ଏହି ଯେଉଁ କଷ୍ଟ ସ୍ୱୀକାର କରେ ସେଥିରୁ ସେ ତୃପ୍ତିଲାଭ କରିଥାଏ । ପ୍ରକୃତ ଭକ୍ତ ଯିଏ ସେ କଷ୍ଟରେ ରହିଲେ ମଧ୍ୟ କେବେହେଲେ ନିରାନନ୍ଦରେ ରହେ ନାହିଁ, ଅନ୍ତର ତାର ଭରପୁର ଥାଏ ଇଷ୍ଟାନନ୍ଦରେ ମସଗୁଲ ହୋଇ । ତାହାର ବ୍ୟଥା ଜାଗେ ଯେତେବେଳେ ସେ ଇଷ୍ଟଙ୍କର ଇଚ୍ଛା ପରିପୂରଣ କରିପାରେ ନାହିଁ । ସେଥିପାଇଁ ଶାନ୍ତି ଓ ସନ୍ତୋଷ ସଙ୍ଗେ ସଙ୍ଗେ ସେମାନଙ୍କ ଅନ୍ତରରେ ଜଡ଼ିତ ରହେ ଏକ ଶାଶ୍ୱତ ଭାଗବତ ଅତୃପ୍ତି । ଏହି ଅତୃପ୍ତି ହିଁ ସେମାନଙ୍କୁ ଊଦ୍ଧ୍ୱର୍ ଦିଗରେ ଟାଣି ନେଇ ଚାଲେ ଅସୀମ ଅନନ୍ତ ପଥରେ - ଏକାଗ୍ର ଇଷ୍ଟାର୍ଥୀ ଅଭିଗମନରେ ।
ସାବିତ୍ରୀ ଯମରାଜଙ୍କ ପାଖରୁ ତାଙ୍କର ସ୍ୱାମୀଙ୍କୁ ଫେରାଇ ଆଣିଲେ । ସତ୍ୟବାନ ଥିଲେ ରାଜକୁମାର ଓ ସାବିତ୍ରୀ ଥିଲେ ମହାରାଜ ଅଶ୍ୱପତିଙ୍କର କନ୍ୟା । ବିବାହର ଏକବର୍ଷ ମଧ୍ୟରେ ସତ୍ୟବାନଙ୍କର ମୃତୁ୍ୟ ଯୋଗ ଥିଲା ଓ ସାବିତ୍ରୀ ମୁନିରାଜ ନାରଦଙ୍କ ପାଖରୁ ତାହା ଜାଣିଥିଲେ । ଯମଙ୍କ ପାଖରୁ ଫେରାଇ ଆଣିଲେ ଅର୍ଥ ସଂଯମର ମାଧ୍ୟମରେ ସତ୍ୟବାନଙ୍କ୍ୁ ଫେରି ପାଇଲେ । ସାବିତ୍ରୀ ନିଜର ନୀତିରେ ଅତ୍ୟନ୍ତ କଠୋର ଥିଲେ । ସଂଯମ, ଦୟାବାନ (ଯମ୍ ଧାତୁ ମାନେ ସଂଯମ, ନିୟମନ, ନିଷ୍ଠା) ଇତ୍ୟାଦି ଗୁଣଗୁଡ଼ିକୁ ଅତ୍ୟନ୍ତ ନିଷ୍ଠା ସହକାରେ ସେ ପାଳନ କରୁଥିଲେ । ଏହି ସଂଯମ ବା ନିୟମ, ନିଷ୍ଠା, ନୀତି, ଜ୍ଞାନ, ଯୋଗ, ଧ୍ୟାନ ଓ କର୍ତ୍ତବ୍ୟ ମାଧ୍ୟମରେ ତାଙ୍କ ଦୂରଦୃଷ୍ଟି ଓ ଭବିଷ୍ୟତ ବିବରଣୀ ତାଙ୍କର କରଗତ ଥିଲା । ହୁଏତ ସତ୍ୟବାନଙ୍କୁ ସାପ (ତକ୍ଷକ) କାମୁଡ଼ି ଦେଇଥିଲା । ସାବିତ୍ରୀ ତାଙ୍କୁ ବଞ୍ଚାଇ ତୋଳି ଥିଲେ ଏହି ନିୟମନ ଓ ସଂଯମ ପ୍ରସୂତ ଜ୍ଞାନ ମାଧ୍ୟମରେ । ଏକନିଷ୍ଠ ହୋଇ ସେ ସ୍ୱାମୀଙ୍କର ପରିଚର୍ଯ୍ୟା କରିଥିଲେ । ଯମ ଆସିଲେ ଅର୍ଥ ଗୋଟିଏ ମହାଘାତୀ ବାଧା ଆସିଲା । ଅନିବାର୍ଯ୍ୟ ବିପଦ ଆସିଲା, ତାକୁ ଯେମିତି କରି ନିୟନ୍ତ୍ରଣ କରି ଯାହା ଯାହା କରିବା କଥା ତାହା ଜ୍ଞାନ, ବୁଦ୍ଧି, ପରିଚର୍ଯ୍ୟା, ଧ୍ୟାନ ଓ ନିଷ୍ଠା ମାଧ୍ୟମରେ କେନ୍ଦ୍ରମୁଖୀ ହୋଇ ମା ସାବିତ୍ରୀ ପରିପାଳନ କଲେ । ସ୍ୱାମୀ ବଞ୍ଚô ଉଠିଲେ ଓ ସତୀତ୍ୱ ତେଜର ମହିମା ପ୍ରକାଶ ଲାଭ କଲା । ମୁକ୍ତ, ସତୀ, ସାଧ୍ୱୀ ମା’ ସାବିତ୍ରୀଙ୍କର ସାଧନାର ଏହାହିଁ ଜ୍ୱଳନ୍ତ ଉଦାହରଣ ।
ମୋ:୯୪୩୭୦୫୧୯୫୭