ବସନ୍ତ ପଞ୍ଚମୀ
ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା'ସରସ୍ୱତୀଙ୍କର ଆବାହନ ତଥା ପୂଜା-ବନ୍ଦନା କରାଯାଇଥାଏ । ବସନ୍ତର ଅୟମାରମ୍ଭରେ ଧରଣୀରାଣୀ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୂତ କରି ସକଳ ପରିପୂର୍ଣ୍ଣତାରେ ଅଭିସିକ୍ତ ହୋଇ, ମଙ୍ଗଳମୟୀ ଆଦ୍ୟାଶକ୍ତିର ପଦପ୍ରାନ୍ତରେ ପୂଜା ଅର୍ଚ୍ଚନା ବାଢ଼େ ଏହି ପୁଣ୍ୟ ଦିବସରେ । ଏଣୁ ଏହି ପଞ୍ଚମୀ, ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ନାମରେ ମଧ୍ୟ ସୁବିଦିତ । ବସନ୍ତ ଋତି ପରିବର୍ତ୍ତନର ଆରମ୍ଭ । ଏହାର ଆଗମନରେ ପ୍ରକୃତି ମନମୋହକ ରୂପ ଧାରଣ କରେ । ଯାହା ମାନସିକ ଓ ଶାରୀରିକ ସ୍ତରରେ ଶାନ୍ତି ପ୍ରଦାନ କରେ । ଏହି ଋତୁରେ ବସନ୍ତ ପଞ୍ଚମୀ ପର୍ବ ପାଳନ କରାଯାଏ । ବିଦ୍ୟାଦାତ୍ରୀ ମା'ସରସ୍ୱତୀଙ୍କ ଜନ୍ମ ଏହି ବସନ୍ତ ପଞ୍ଚମୀରେ ହୋଇଥିଲା । ଏଣୁ ବିଦ୍ୟାରମ୍ଭ ପୂର୍ବରୁ ତାଙ୍କ ଆରାଧନା ଆବଶ୍ୟକ । ବାଣୀ, ବୁଦ୍ଧି, ବିଦ୍ୟା ଓ ଜ୍ଞାନର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ପୌରାଣିକ କଥାବସ୍ତୁ ଅନୁସାରେ, ମା ସରସ୍ୱତୀ ଭଗବାନ କୃଷ୍ଣଙ୍କ କଣ୍ଠରୁ ପ୍ରକଟ ହୋଇଥିଲେ । ସେତେବେଳେ ସେ ହାତରେ ବୀଣା, ପୁସ୍ତକ, ମୁଦ୍ରା, ମାଳି ଧରି ଶ୍ୱେତ ବସ୍ତ୍ରରେ ଧରାପୃଷ୍ଠକୁ ଆସିଥିଲେ । କୃଷ୍ଣ ଅବତାର ସମୟରେ ଦେବୀ ସରସ୍ୱତୀଙ୍କ ଉପରେ ପ୍ରୀତ ହୋଇ ପ୍ରତିବର୍ଷ ବସନ୍ତ ପଞ୍ଚମୀରେ ତାଙ୍କ ଆରାଧନା କରାଯିବ ବୋଲି ଭଗବାନ ବିଷ୍ଣୁ ବର ପ୍ରଦାନ କରିଥିଲେ । ଏହି ଦିନ ହଳଦିଆ ବସ୍ତ୍ର ପରିଧାନ କଲେ ଶୁଭଫଳ ମିଳିଥାଏ । କାରଣ ଏହି ରଙ୍ଗ ବୁଦ୍ଧିର ପରିଚାୟକ ଅଟେ । ସରସ୍ୱତୀଙ୍କୁ ଭଗବତୀ, ଶାରଦା, ବୀଣାବାଦନୀ ଏବଂ ବାଗ୍ଦେବୀଙ୍କ ନାମରେ ପୂଜା କରାଯାଏ । ସଙ୍ଗୀତର ଉତ୍ପତ୍ତି କରିଥିବାରୁ ତାଙ୍କୁ ସଙ୍ଗୀତର ଦେବୀ ଭାବେ ବିବେଚନା କରାଯାଏ । ଏହି ପର୍ବକୁ ସନାତନ ଧର୍ମରେ ଶ୍ରୀପଞ୍ଚମୀ ନାମରେ ନାମିତ କରାଯାଇଛି । ଏହି ଦିନ ମା'ଲକ୍ଷ୍ମୀଙ୍କୁ ମଧ୍ୟ ଆରାଧନା କରାଯାଏ । ଏଇ ପବିତ୍ର ଦିନରେ ସେ ବିଷ୍ଣୁଙ୍କୁ ବରଣମାଳା ପିନ୍ଧାଇଥିଲେ । ଋତୁରାଜ ବସନ୍ତର ମହତ୍ୱ ଆୟୁର୍ବେଦର ଆଚାର୍ଯ୍ୟମାନେ ମଧ୍ୟ ସ୍ୱୀକାର କରିଥିଲେ । ଏହି ଋତୁରେ ଶରୀରରେ ନୂତନ ରକ୍ତ ସଞ୍ଚାର ହୋଇଥାଏ । ମନୁଷ୍ୟ ତେଜସ୍ୱୀ ହୋଇଥାଏ । ଏହି ଋତୁରେ ବ୍ୟାୟାମ୍ ଅନ୍ୟଋତୁ ଅପେକ୍ଷା ଢ଼େର ଗୁଣା ଅଧିକ ଲାଭଦାୟକ ।
ଆଜି ମା'ସରସ୍ୱତୀଙ୍କ ସମ୍ପର୍କରେ ଆଲେଖ୍ୟ, ଭକ୍ତି ନୈବେଦ୍ୟ ଅର୍ପଣ କଲାବେଳେ ପୌରାଣିକ କଥାବସ୍ତୁକୁ ଏଠାରେ ଉଲ୍ଲେଖ କରୁଛି । ବିଶିଷ୍ଟ ଭରଦ୍ୱାଜ ଆଦି ଋଷିଗଣ ଋଗ୍ ବେଦର ନାନା ସ୍ଥାନରେ ସେହି ଦେବୀଙ୍କର ବନ୍ଦନା ସଙ୍ଗେ ସଙ୍ଗେ ନଦୀର ବର୍ଣ୍ଣନ ଯେ କାହିଁକି କରିଛନ୍ତି ତାହା ପ୍ରଣିଧାନଯୋଗ୍ୟ । ବୋଧହୁଏ ଏହି ଦିବ୍ୟଦ୍ରଷ୍ଟା ସାଧକ ଋଷିଗଣ ଅନୁଭବ କରିଛନ୍ତି ସେ ଜ୍ଞାନ ରୂପକ ନଦୀର ସ୍ରୋତରେ ବହିଯାଇ ସେମାନେ ଭୁମାନନ୍ଦ ଲାଭ କରିଅଛନ୍ତି । ଏଣୁ ଦେବୀ ସରସ୍ୱତୀ ଦିବ୍ୟଜ୍ଞାନ ସ୍ରୋତରେ ସେମାନଙ୍କ ଗତିକୁ ବଢ଼ାଇବାରେ ଏକମାତ୍ର ସହାୟକ । ଦେବୀ ସରସ୍ୱତୀ ସ୍ରୋତସ୍ୱତୀ ହୋଇ ପ୍ରଜ୍ଞା ରୂପକ ପୂଣ୍ୟ ଜଳରାଶିର ଉଚ୍ଛ୍ୱାସରେ ଗତିପଥର ସମସ୍ତ ବନ୍ଧୁର ବିଘ୍ନରାଜିରୁ ସେମାନଙ୍କୁ ଅତିକ୍ରାନ୍ତ କରାଇ ପୁନଶ୍ଚ ଦେବୀଙ୍କୁ "ସୁଷମା ସରସ୍ୱତୀ' ରୂପେ ଅର୍ଥାତ୍ ସୁନିୟନ୍ତ୍ରଣକାରିଣୀ ରୂପେ ପରିକଳ୍ପନା କରାଯାଇଅଛି । ସ୍ଥୂଳ ଅନୁଭୂତିରୁ ସୂକ୍ଷ୍ମ ଅନୁଭୂତି ପର୍ଯ୍ୟନ୍ତ ଜଡ଼ ଚେତନାରୁ ସୂକ୍ଷ୍ମାତିସୂକ୍ଷ୍ମ ଆଧ୍ୟାତ୍ମଚେତନା ପର୍ଯ୍ୟନ୍ତ ଯିବା ପାଇଁ ଯେଉଁ ମାର୍ଗ ନିଦେ୍ର୍ଦଶିତ ହୋଇଛି ତାହାର ସୁନିୟନ୍ତ୍ରଣକାରିଣୀ ସ୍ୱୟଂ ଦେବୀ ସରସ୍ୱତୀ । ଆଧ୍ୟାତ୍ମା ଚେତନାର ବଶବର୍ତ୍ତୀ ହୋଇ ଋଷିମାନେ ତାଙ୍କୁ ମହାସତ୍ୟା, ମହାପ୍ରବାହ, ବୁଦ୍ଧି ଧାରିଣୀ, ଭାରତୀ, ବାକ୍ଦେବୀ ରୂପରେ ବିଶେଷଣରେ ଭୂଷିତା କରିଥାନ୍ତି । ବୃହଦ୍ ଦେବତା ଗ୍ରନ୍ଥରେ ଅଛି - ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ, ମାତା ବା ପିତରଃ ସୁତଃ । ସରସ୍ୱନ୍ତମିତି ପ୍ରାଣୋ ବାଚଂ, ପ୍ରାଦୁଃ ସରସ୍ୱତୀମ୍ । ବାକ୍ ଓ ପ୍ରାଣର ମାତା ଓ ପୁତ୍ର ସମ୍ବନ୍ଧ । ବାକ୍ ମାତା ଓ ପ୍ରାଣ ପୁତ୍ର । ପ୍ରସାରଣଶୀଳ ପ୍ରାଣ (ନିଶ୍ୱାସ)ର ନାମ ସରସୂତ ଓ ଭାଷାର ନାମ ସରସ୍ୱତୀ । ସରସ୍ୱତୀଙ୍କ ପୂଜା ଦିବସରେ ସରସ୍ୱତୀଙ୍କ କୃପା ସମସ୍ତଙ୍କ ଉପରେ ଜ୍ଞାନ ପ୍ରଦାନ ସହ ଆଧ୍ୟାତ୍ମିକ ଜୀବନ ପାଇଁ ମାର୍ଗ ଦେଖାଉ ଏହା ହିଁ କାମନା ।
ଡ.ସୁରେଶ କୁମାର ନାୟକ