ମହାନଦୀର ମରଣ ଘାଟ
ଦୁଇ, ଚାରି ବର୍ଷ ହେଲା କଟକ ନିକଟରେ ମହାନଦୀ ଏବଂ ଏହାର ଶାଖା ନଦୀ କାଠଯୋଡ଼ିକୁ ଡ଼େଇଁ ଆତ୍ମହତ୍ୟା କରୁଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ନଦୀ ପୂର୍ଣ୍ଣଗର୍ଭା ଥିବା ସମୟରେ ପୁୁରୁଷ, ମହିଳା ନିର୍ବିଶେଷରେ ଲୋକମାନେ ପୋଲ ଉପରେ ଗାଡ଼ି ରଖି ନଦୀକୁ ଡ଼େଇଁ ପଡୁଥିବା ଘଟଣା ଏବେ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗର ନିଦ ହଜେଇ ଦେଇଛି । ନଦୀର ସୂଅ ସ୍ଥିର ନୁହେଁ । ତେଣୁ କେହି ଜଣେ ନଈକୁ ଡ଼େଇଁ ପଡ଼ିଲେ, ତାକୁ ଉଦ୍ଧାର କରିବା ପାଇଁ ଅନୂନ୍ୟ ଅଧ ଘଣ୍ଟାଏର ସମୟ ବ୍ୟବଧାନ ରହିବ । ଏହି ଅଧ ଘଣ୍ଟା ସମୟ ମଧ୍ୟରେ ନଈକୁ ଡ଼େଇଁଥିବା ବ୍ୟକ୍ତି ଅନୂନ୍ୟ ୧୦,୧୫ କିଲୋମିଟର ଦୂରକୁ ଚାଲି ଯାଇଥିବେ । ଯଦି କୌଣସି ପ୍ରକାରରେ କୂଳରେ ଲାଗିଯାଏ ତ ତାହା ଅଲଗା କଥା । ତେବେ ଏ ପ୍ରକାରର ଘଟଣା ଗୁଡ଼ିକ ଉପରେ ନଜର ରଖିବା ପାଇଁ ବର୍ତ୍ତମାନ କାଠଯୋଡ଼ି ଏବଂ ମହାନଦୀ ପୋଲ ଉପରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରିବାକୁ ଦାବି ହେଲାଣି । କେତେବେଳେ ଯୋବ୍ରା ବ୍ୟାରେଜ୍ରୁ ମହାନଦୀକୁ ଲୋକେ ଡ଼େଉଁଛନ୍ତି ତ ଆଉ କେତେବେଳେ ନେତାଜୀ ସୁଭାଷ ବୋଷ ପୋଲ ଉପରେ କାଠଯୋଡ଼ିକୁ ଡ଼େଉଁଛନ୍ତି ।
ଦିନକୁ ଦିନ ଲୋକମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା କାହିଁକି ବୃଦ୍ଧି ପାଉଛି ତାହା ମଧ୍ୟ ଏକ ଚିନ୍ତାର କାରଣ । ବର୍ତ୍ତମାନ ସମୟରେ ରୋଜାଗର ଠାରୁ ଆରମ୍ଭ କରି ପରିବାରର ସଦସ୍ୟମାନଙ୍କର ଇଚ୍ଛା ପୂରଣ କରିବା ଆଉ ସହଜ ବ୍ୟାପାର ହେଉ ନାହିଁ । ଟେଲିଭିଜନ୍ ଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସାମାଜିକ ଜୀବନକୁ ନେଇ ମନୋରଞ୍ଜନ ନାମରେ ପ୍ରସାରଣ କରାଯାଉଥିବା କାହାଣୀ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଅବାସ୍ତବ ଏବଂ ଅସମ୍ଭବ ମଧ୍ୟ । ତେଣୁ ଏଭଳି କାହାଣୀ ଗୁଡ଼ିକୁ ଲୋକମାନେ ଘର ଭିତରେ ଦେଖିବା ପରେ ଏହାର ପ୍ରଭାବ ବାସ୍ତବ ଜୀବନରେ ପଡୁଥିବା ଲକ୍ଷ୍ୟ କରାଯାଉଛି । ଆହୁରି ମଧ୍ୟ ଲୋକଙ୍କ ଭିତରେ ଅନୁକରଣ କରିବାର ପ୍ରବୃତ୍ତି ଦିନକୁ ଦିନ ଅଧିକ ହେଉଛି । ଅନ୍ୟ ସହ ନିଜକୁ ତୁଳନା କରିବା ମନୋବୃତ୍ତି ପାରିବାରିକ ଜୀବନର ଅଶାନ୍ତିର ମୂଳ କାରଣ । କେହି କାହାରୀ ସଙ୍ଗେ ସମାନ ନୁହଁନ୍ତି କିମ୍ବା କାହାରିକୁ ଅନ୍ୟ ଜଣେ ସହିତ ସମାନ କରାଯାଇପାରିବ ନାହିଁ । ଏକଥା ବୁଝିବାକୁ ଯୁବଗୋଷ୍ଠୀ ବର୍ତ୍ତମାନ ପ୍ରସ୍ତୁତ ନୁହଁନ୍ତି । ତେଣୁ ପାରିବାରିକ ଏବଂ ସାମାଜିକ ଜୀବନ ଅସ୍ଥିର ହୋଇଉଠୁଛି । ଏକଥାକୁ ହୃଦୟଙ୍ଗମ କରାଯିବା ଆବଶ୍ୟକ । ବର୍ତ୍ତମାନର ଯୁବଗୋଷ୍ଠୀ ମଧ୍ୟ ବାସ୍ତବତା ଅପେକ୍ଷା କାଳ୍ପନିକ ଦୁନିଆରେ ଅଧିକ ଭାବରେ ମଜ୍ଜି ରହୁଛନ୍ତି । ତେଣୁ ସେମାନଙ୍କର ମାନସିକ ସ୍ଥିରତା ତଥା ଜୀବନର ଲକ୍ଷ୍ୟ ସ୍ଥିର ହୋଇ ରହୁନାହିଁ । ବାରମ୍ବାର ଜୀବନରେ ଲକ୍ଷ ବଦଳୁଛି । ଏହି କାରଣରୁ ସବୁ ଇଚ୍ଛା ଗୁଡ଼ିକ ପୂରଣ ହେବା ସମ୍ଭବ ହେଉ ନାହିଁ । ଏଇଠୁ ହିଁ ଜୀବନ ପ୍ରତି ବିତୃଷ୍ଣା ମନୋଭାବ ଦେଖା ଦେଉଛି । ଆହୁରି ମଧ୍ୟ ବର୍ତ୍ତମାନ ସମୟରେ ଲୋକମାନଙ୍କର ଧୈର୍ଯ୍ୟର ଅଭାବ ଘଟୁଛି । ସେହିଭଳି ସମସ୍ୟାକୁ ସମ୍ମୁଖୀନ ହେବା ଭଳି ଧୈର୍ଯ୍ୟ ଆଉ କାହା ପାଖରେ ନାହିଁ । ଏହା ମଧ୍ୟ ଆତ୍ମହତ୍ୟାର ଅନ୍ୟତମ କାରଣ ।
ତେବେ ମହାନଦୀ ଏବଂ ଏହାର ଶାଖାନଦୀର ପୋଲ ଉପରୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିବା ସମ୍ପର୍କିତ ଘଟଣା ଗୁଡ଼ିକୁ ଗଣମାଧ୍ୟମରେ ପ୍ରଚାର ନ କରିଲେ ଭଲ ହୁଅନ୍ତା । ପୂର୍ବରୁ ଆତ୍ମହତ୍ୟା ଭଳି ଘଟଣାରେ ଗଣମାଧ୍ୟମରେ ତତ୍ପରତା ଏବଂ ଗଣମାଧ୍ୟମରେ ଏସବୁର ପ୍ରଚାରକୁ ନେଇ ଏସବୁ ବଢୁଥିବା ଲକ୍ଷ୍ୟ କରାଯାଇଛି । ଟେଲିଭିଜନ୍ନ ଚ୍ୟାନେଲ୍ ଗୁଡ଼ିକ ଆତ୍ମହତ୍ୟା ଏବଂ ଆତ୍ମହତ୍ୟା ଭଳି ଉଦ୍ୟମ ଗୁଡ଼ିକୁ ଅତ୍ୟନ୍ତ ଚାଞ୍ଚଲ୍ୟକର ଭାବରେ ଦୀର୍ଘ ସମୟ ଧରି ପରିବେଷଣ କରୁଛନ୍ତି । ଏହା ଫଳରେ ଯୁବଗୋଷ୍ଠୀଙ୍କ ଭିତରେ ଏ ପ୍ରକାରର କାର୍ଯ୍ୟ କରିବା ପାଇଁ ଅବଚେତନ ମନରେ ଆଗ୍ରହ ସୃଷ୍ଟି ହେଉଛି । ତେଣୁ ନଦୀର ପୋଲ ଉପରେ ସିସିଟିଭିର ବ୍ୟବସ୍ଥା କରାଯିବା ବହୁମୁଖୀ ଉଦେ୍ଦଶ୍ୟ ସାଧନ କରୁଥିବାରୁ ଏହାକୁ କାର୍ଯ୍ୟକାରୀ କରାଯିବା ଉଚିତ୍ ।