ପ୍ରଣମ୍ୟ ପଦ୍ମଶ୍ରୀ କମଳା ପୂଜାରୀ


ସୁନାମଧନ୍ୟ ସମାଜସେବିକା, ପରିବେଶବିତ, ନାରୀଶିକ୍ଷାର କ୍ରାନ୍ତିକାରୀ ଅଗ୍ରଦୂତ ତଥା ଦେଶୀ ଧାନ ବିହନ ସଂରକ୍ଷଣର ଅନନ୍ୟ ପୂଜାରୀ ପଦ୍ମଶ୍ରୀ କମଳା ପୂଜାରୀ ଆଉ ନାହାଁନ୍ତି । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ପାରମ୍ପରିକ ଚାଷ, ଜୈବିକ କୃଷିକୁ ପ୍ରୋତ୍ସାହନ, ବିଭିନ୍ନ କିସମର ଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟ ବିହନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ କମଳା । ଜୈବିକ କୃଷି ପଦ୍ଧତି ସମ୍ପର୍କରେ ତାଲିମ ଗ୍ରହଣ ପରେ ଲୋପ ପାଇଯାଉଥିବା ୧୦୦ରୁ ଅଧିକ କିସମ ଦେଶୀ ଧାନ ବିହନ ସଂରକ୍ଷଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କମଳା । ଧାନର ଉତ୍ପତ୍ତିସ୍ଥଳୀ ଜୟପୁର ହୋଇଥିବାରୁ ଏହି ଅଞ୍ଚଳର ବିରଳ କଳାଜିରା ଧାନକୁ ବିଶ୍ୱସ୍ତରରେ ଦେଇଥିଲେ ସ୍ୱତନ୍ତ୍ର ପରିଚୟ । ସମଗ୍ର ବିଶ୍ୱରେ ନୂତନ ଜ୍ଞାନ କୌଶଳରେ ଚାଷ ହେଉଥିବା ବେଳେ ପାରମ୍ପରିକ ପଦ୍ଧତିରେ ଧାନ ଉତ୍ପାଦନ ଓ ସଂରକ୍ଷଣ କରି ରଖିବା କ୍ଷେତ୍ରରେ ସମାଜକୁ ନୂଆ ଦିଗଦର୍ଶନ ଦେଇଛନ୍ତି କମଳା ।
 ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ୨୦୧୯ ମସିହାରେ ଭାରତ ସରକାର କମଳାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ୨୦୧୮ରେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ । ଏହା ପୂର୍ବରୁ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଆୟୋଜିତ ବିଶ୍ୱ ନିରନ୍ତର ବିକାଶ ସମ୍ମିଳନୀରେ ଇକ୍ୱେଟର ଇନିସିଏଟିଭ ଆୱାର୍ଡ଼ ୨୦୦୩ରେ ନୂଆଦିଲ୍ଲୀରେ କୃଷି ବିଷାରତ ସମ୍ମାନ, ୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କୃଷି ସମ୍ମାନ, ୨୦୧୭ରେ ଇଟିଭି ପ୍ରତିଭା ସମ୍ମାନ, ୨୦୧୭ରେ ପ୍ରଦୁ୍ୟମ୍ନ ବଳ ସମ୍ମାନ, ୨୦୧୭ରେ ପରବ ସମ୍ମାନ ସହ ବନ ସୁରକ୍ଷା ସମିତି, ପଞ୍ଚବଟୀ ଗ୍ରାମ୍ୟ ଉନ୍ନୟନ ଭଳି ଅନେକ ସମ୍ମାନର ଅଧିକାରିଣୀ ହୋଇଥିଲେ କମଳା । ଓଡ଼ିଶା ସରକାର ସମ୍ମାନାର୍ଥେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ମହିଳା ଛାତ୍ରୀ ନିବାସକୁ କମଳାଙ୍କ ନାମରେ ନାମିତ କରିଛନ୍ତି ।
ସୂଚନାଯୋଗ୍ୟ କି ପଦ୍ମଶ୍ରୀ କମଳା ଥିଲେ କୋରାପୁଟ ଜିଲ୍ଲା ସମେତ ରାଜ୍ୟର ଗର୍ବ, ଗୌରବ । ଶହେରୁ ଅଧିକ କିସମର ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅତୁଳନୀୟ । ୧୯୪୫ ମସିହାରେ ସେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର କାଣ୍ଟିକିଗୁଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ । ବିବାହ କରିଥିଲେ ଜୟପୁର ବ୍ଲକ ପାତ୍ରପୁଟ ନିବାସୀ କୃଷ୍ଣ ପୂଜାରୀଙ୍କୁ । ଦୁଇ ପୁଅ ଧନୁର୍ଜୟ, ଟଙ୍କଧର ଓ ଝିଅ ସୁଭଦ୍ରାଙ୍କୁ ନେଇ ତାଙ୍କ ସଂସାର । ୧୯୯୮ରେ କୋରାପୁଟ ଅଞ୍ଚଳରେ ପାରମ୍ପରିକ ବିହନ ସଂରକ୍ଷଣ ଏବଂ ଜୈବ ବିବିଧତାର ସୁରକ୍ଷା ଦିଗରେ ଏମଏସ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ ଆରମ୍ଭ କରିଥିଲାବେଳେ ଏହାସହ ଯୋଡ଼ି ହୋଇଥିଲେ କମଳା । ସେହି ସମୟରେ କୋରାପୁଟର ବହୁ ଆଦିବାସୀ ପରିବାର ୧୪୧ କିସମର ଦେଶୀ ଧାନ ବିହନ ସଂରକ୍ଷଣ କରିଥିଲେ । ୨୦୦୨ ଅଗଷ୍ଟ ୩୦ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ବିଶ୍ୱ ସମ୍ମିଳନୀରେ ଯୋଗ ଦେଇଥିଲେ କମଳା । ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ସେ ପ୍ରତିନିଧିତ୍ୱ କରି ଇକ୍ୱେଟର ଇନିସିଏଟିଭ ଆୱାର୍ଡ଼ ଗ୍ରହଣ କରିଥିଲେ । ୨୦୦୩ରେ ନୂଆ ଦିଲ୍ଲୀଠାରେ ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ତାଙ୍କୁ ଦିଆଯାଇଥିଲା କୃଷି ବିଶାରଦ ସମ୍ମାନ । ପାରମ୍ପରିକ ବିହନ ସଂରକ୍ଷଣ ଏବଂ ଏହାର ବିକାଶ ଦିଗରେ ଅହରହ ଉଦ୍ୟମ କରି ଦକ୍ଷିଣ ଆଫ୍ରିକାରେ ସମ୍ମାନିତ ହେବା ପରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୪ ନଭେମ୍ବର ମାସରେ କମଳାଙ୍କୁ ସମ୍ମାନିତ କରିଥିଲେ । ଇକ୍ୱେଟର ଇନିସିଏଟିଭ ଆୱାର୍ଡ଼ ପାଇବା ପରେ ଅଧିକ ଉତ୍ସାହିତ ହୋଇପଡ଼ିଥିଲେ କମଳା । ସ୍ୱାମୀନାଥନ ଫାଉଣ୍ଡେସନର ସମର୍ଥନରେ କେତେକ ଆଦିବାସୀ ସମ୍ପ୍ରଦାୟକୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଢ଼ିଥିଲେ । ଏହାର ନାଁ ରଖିଥିଲେ ପଞ୍ଚବଟୀ ଗ୍ରାମ୍ୟ ଉନ୍ନୟନ ସମିତି । ସ୍ଥାନୀୟ ଅଞ୍ଚଳରେ ଜୈବ ବିବିଧତାର ସଂରକ୍ଷଣ କ୍ଷେତ୍ରରେ କାମ ଆରମ୍ଭ କରିଥିଲା ଏହି ସମିତି । 
    କମଳା ଥିଲେ ପ୍ରଥମ ଆଦିବାସୀ ମହିଳା ଯିଏ ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟା ଭାବେ ନିଯୁକ୍ତି ପାଇଥିଲେ । ୨୦୧୯ରେ ତକ୍ରାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଶ୍ରୀ'ରେ ସମ୍ମାନିତ କରିଥିଲେ । ମୋଟାମୋଟି କହିବାକୁ ଗଲେ କୋରାପୁଟ ସମେତ ପୁରା ଦେଶର କୃଷକ ମାନଙ୍କ ପାଇଁ ସେ ଥିଲେ ଆଦର୍ଶ ଓ ପଥପ୍ରଦର୍ଶକ । ଜୈବ ବିବିଧତା, ପରିବେଶ ସୁରକ୍ଷା ଏବଂ ଜୈବିକ ଚାଷ ପଦ୍ଧତି କ୍ଷେତ୍ରରେ ତାଙ୍କ ଅବଦାନ ଚିରଦିନ ପାଇଁ ବୈଜ୍ଞାନିକ ମାନଙ୍କୁ ଗବେଷଣା କ୍ଷେତ୍ରରେ ଦିଗଦର୍ଶନ ଦେଉଥିବ ଏଥିରେ ସନେ୍ଦହ ନାହିଁ । ପୂଜ୍ୟଶ୍ରୀ କୁମାର ଭାଇଙ୍କ ହାତଗଢ଼ା ଅନୁଷ୍ଠାନ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନେ୍ଦାଳନର ସେ ଥିଲେ ଜଣେ ଅନ୍ୟତମ ବିମୁଗ୍ଧ ପ୍ରଶଂସିକା ଓ ଆନେ୍ଦାଳନର ଅନେକ କାର୍ଯ୍ୟକ୍ରମ ସହ ସେ ମଧ୍ୟ ସାମିଲ ହୋଇଛନ୍ତି । ଏହି ଲେଖିକା ତାଙ୍କ ସହ ଅନେକ ମୂଲ୍ୟବାନ ସମୟ ବିତାଇ, ମୂଲ୍ୟବାନ ପରାମର୍ଶ ଓ ସହଯୋଗ ପାଇପାରିଥିଲେ । ଜୈବ ବିବିଧତାର ସୁରକ୍ଷା, ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଓ ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ତାଙ୍କର କ୍ରାନ୍ତିକାରୀ ଭୂମିକା ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅନୁସୂଚୀତ ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ କ୍ଷେତ୍ରରେ ସେ ଥିଲେ ଆଲୋକବର୍ତ୍ତିକା । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପୂଜ୍ୟଶ୍ରୀ କୁମାର ଭାଇଙ୍କ ପାଖରେ ପ୍ରାର୍ଥନା କରୁଛି । 
ଡ.ଅରୁନ୍ଧତୀ ଦେବୀ,ମୋ: ୯୯୩୭୧୭୨୮୧୦