ଦୁର୍ଦ୍ଦାନ୍ତ ଡକାୟତ ସିପୁକୁ ଏନକାଉଣ୍ଟର
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ଜାନୁୟାରୀ ମାସ ୧୯ତାରିଖ ଅପରାହ୍ନ ୨ଟାରେ ସଶସ୍ତ୍ର ଡକାୟତି ହୋଇଥିଲା । ୬ଜଣ ମୁଖାପିନ୍ଧା ଡକାୟତ ବ୍ୟାଙ୍କରେ ପଶି ୫କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସୁନାଗହଣା ଓ ୮ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ ଜାନୁୟାରୀ ୨୪ ତାରିଖରେ କେନ୍ଦୁଝର ପୁଲିସ ରାଜା କୁମାର ସିଂ ଏବଂ କୁନାଲ ରାଜ ବର୍ମାଙ୍କୁ ଝାଡଖଣ୍ଡ ରାଜ୍ୟ ଧାନବାଦରୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଖସି ଯାଇଥିଲା । ସିପୁର ଘର ବିହାର ରାଜ୍ୟ ପାଟଣା ଜିଲ୍ଲା ପିପରା ଗାଁରେ । ମୋଷ୍ଟ ୱାଣ୍ଟେଡ ଅନ୍ତଃରାଜ୍ୟ ସିପୁ କୁମାର ନାଁରେ ଏକାଧିକ ମାମଲା ରହିଛି । ଓଡିଶା,ବିହାର ଓ ଝାଡଖଣ୍ଡ ରାଜ୍ୟରେ ତାଙ୍କ ନାଁରେ ବହୁ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ଡକାୟତି, ଜୋର ଜବରଦସ୍ତ ବଟି ଆଦାୟ ଭଳି ସଙ୍ଗିନ ମାମଲା ରହିଛି । ସିପୁକୁ ଧରିବାକୁ ଗତ ୧ ସପ୍ତାହ ହେବ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ସିପୁ କୁମାର ଓଡିଶା ଝାଡଖଣ୍ଡ ସୀମା ଟାଙ୍କୁରା ଜଙ୍ଗଲରେ ଲୁଚି ଥିବା ସୂଚନା ପାଇ ଗତକାଲି ରାତିରେ ବଡବିଲ ପୁଲିସ ଅପରେସନ ଆରମ୍ଭ କରିଥିଲା । ଯେଉଁଥିରେ ସିପୁ କୁମାର ଖସି ଯିବା ପାଇଁ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପରେ ପୁଲିସ ନିଜ ସୁରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲା, ଫଳରେ ସିପୁ ଗୋଡରେ ଗୁଳି ବାଜିଥିଲା । ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ବଡବିଲ ମେଡିକାଲ ପରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ସିପୁ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ।