ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତି ଅନାବରଣ
କେନ୍ଦୁଝର ମାଟି ଲଢେ଼ଇ କରିବା ବି ଜାଣିଛି : ମୁଖ୍ୟମନ୍ତ୍ରୀ
କେନ୍ଦୁଝର : କେନ୍ଦୁଝର ମାଟି ହେଉଛି ବିପ୍ଲବୀ ମାଟି । ଏଠି ଅନେକ ବିପ୍ଲବୀ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ, ଯେତେବେଳେ ବି ବିପ୍ଳବୀଙ୍କ କଥା ଆଲୋଚନା ହେବ, ଆମ ଜିଲ୍ଲାରେ ଧରଣୀଧର ନାଏକଙ୍କ ନାମ ସର୍ବାଗ୍ରେ ଆସିବ। ବିପ୍ଳବୀ ଧରଣୀଧର ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଆଜି କେନ୍ଦୁଝର ସହରର ପ୍ରବେଶ ଦ୍ୱାର ନେକେଡା ଘରଠାରେ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଥିଲେ, ଆଜି ଆମ ପାଇଁ ଗର୍ବର ଦିନ । କାରଣ, ଆଜି କେନ୍ଦୁଝରକୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ ହେଲା ।
ଏଇ କେନ୍ଦୁଝର ମାଟିର ବରପୁତ୍ର ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତି ଆଜି କେନ୍ଦୁଝର ସହରର ମୁଖ୍ୟ ପ୍ରବେଶ ପଥ ନେକେଡ଼ା ଘର ଛକ, ଜାମୁନାଳିଆ ଠାରେ ଉନ୍ମୋଚନ ହେଲା । ମୁଁ ଆଜି ଏକଥା କହିବାକୁ ଗର୍ବ ବୋଧ କରୁଛିଯେ, ଏ କେନ୍ଦୁଝରିଆ କଥା ଦେଇ କଥା ରଖିଲା । ଏଇ ବର୍ଷ ମଇ ୫ ତାରିଖରେ ମୁଁ ଏଇଠାରେ କଥା ଦେଇଥିଲିଯେ, କେନ୍ଦୁଝର ମାଟିର ବରପୁତ୍ର ଉଚିତ୍ ସମ୍ମାନ ପାଇବେ । ଆଉ ତାଙ୍କ ପ୍ରତିମୂର୍ତ୍ତି କେବଳ ରାଜଧାନୀରେ ନୁହେଁ, କେନ୍ଦୁଝର ପ୍ରବେଶ ପଥରେ ମଧ୍ୟ ଶୋଭା ପାଇବ । ଆଉ ତାହାହିଁ ହୋଇଛି । ସେ କହିଥିଲେ, ଯେତେବେଳେ ବି ବିପ୍ଳବୀଙ୍କ କଥା ଆଲୋଚନା ହେବ, ଆମ ଜିଲ୍ଲାରେ ଧରଣୀଧର ନାୟକଙ୍କ ନାମ ସର୍ବାଗ୍ରେ ଆସିବ । ଯେଉଁ ଲଢୁଆ ପୁଅର ପରିଚୟ ଦେଇ ସେ ଅତ୍ୟାଚାରୀ ରାଜତନ୍ତ୍ର ବିରୁଦ୍ଧରେ ବିଦ୍ରୋହ କରିଥିଲେ, ସେ ଲଢୁଆ ପୁଅର ଶକ୍ତି ଆଜି ବି ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛି । ଏ ମାଟି କେବଳ ଖଣି ଖାଦାନର ମାଟି ନୁହେଁ, ଏ ମାଟି ଲଢେ଼ଇ କରିବା ବି ଜାଣିଛି।
କେନ୍ଦୁଝରରେ ନୀରିହ ପ୍ରଜାଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଥିଲା, ତା ବିରୋଧରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ‘ଧରଣୀ ମେଳି’ । ଧରଣୀଧର ଥିଲେ ଭୂୟାଁ ସମ୍ପ୍ରଦାୟର ଆଦିବାସୀ । ସ୍ୱଭାବରେ ସମସ୍ତେ ଶାନ୍ତିପ୍ରିୟ । କିନ୍ତୁ, ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବା ସେମାନେ ଶିଖିନାହାନ୍ତି । ଧରଣୀଧର ଥିଲେ ସେହି ଅତ୍ୟାଚାର-ବିରୋଧୀ ଶକ୍ତିର ମାନବୀୟ ରୂପ । ସେହିପରି ଗୋଟିଏ କୋଡି ଏବଂ ଗୋଟିଏ କୋଦାଳଯେ, ମଣିଷକୁ ଆତ୍ମବିଶ୍ୱାସୀ କରିଦେଇପାରେ ତାହା କେନାଲ ମ୍ୟାନ ପଦ୍ମଶ୍ରୀ ଶ୍ରୀ ଦୈତାରୀ ନାୟକଙ୍କ ଜୀବନୀରୁ ଆମେ ଶିଖୁ । ଗୋନାସିକା ପାହାଡରୁ ନିଜ ଗ୍ରାମ ତଳ ବୈତରଣୀ ପର୍ଯ୍ୟନ୍ତ କେନାଲ ଖୋଲିବାକୁ ସମର୍ଥ ହୋଇଥିଲେ । ଦୀର୍ଘ ତିନି ବର୍ଷ ଲାଗିଯାଇଥିଲା ତାଙ୍କୁ ଏ କଥା କରିବାକୁ । ଦୈତାରୀବାବୁଙ୍କ ଏ ଚମତ୍କାର କାହାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପାଖରେ ପହଞ୍ଚିଥିଲା ଏବଂ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ବିଭୂଷିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦୈତାରୀ ନାୟକ, ସାଂସଦ ଅନନ୍ତ ନାୟକ, ବିଧାୟକ ଡାକ୍ତର ଫକୀର ନାୟକ, ବିଧାୟକ ଅଖିଳ ନାୟକ, ମମିତା ନାୟକ, ଶ୍ୟାମ ସୁନ୍ଦର ନାୟକ ବିପ୍ଲବୀ ଧରଣୀଧରଙ୍କ ବଂଶଜ କଳାକାର ନାୟକ, ଭୂୟାଁ ସମାଜ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Samir Kumar Rout