ପୁଣି ଚାନ୍ଦବାଲିରେ ଲଜ୍ଜା : ଲୋକଲଜ୍ଜା ଭୟରେ ବିଷ ପିଇଲେ ପିଡ଼ୀତା
ଧାମରା : ଭଦ୍ରକ ଜିଲ୍ଲାରେ ପୁଣି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନଲିଭିବା ପୂର୍ବ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଚାନ୍ଦବାଲି ବ୍ଲକ ଧାମରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କ ପଡେ଼ାଶୀ ଘରର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଲୋକଲଜ୍ଜା ଭୟରେ ପିଡ଼ୀତା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପଡାଶୀ ଘରର ଯୁବକ ସଂପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲା । ଘରେ କେହି ନଥିବା ସୁଯୋଗରେ ଯୁବକ ଜଣକ ବଳପୂର୍ବକ ଦୁଷ୍କର୍ମ କରିଥିଲା । ତେବେ ଏଭଳି ଘଟଣା ପରେ ଲୋକଲଜ୍ଜା ଭୟରେ ଯୁବତୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୀଡ଼ିତା ଜଣଙ୍କ ବିଷ ପିଇଦେବା ପରେ ତାଙ୍କୁ ପ୍ରଥମେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏ ନେଇ ଧାମରା ଥାନାରେ ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।
Samir Kumar Rout