ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା : ୧୧ ଦିନ ଧରି ବରଗଡ ହେବ ମଥୁରା ନଗରୀ
ବରଗଡ : ବୁଧବାରଠାରୁ ବରଗଡ ପାଲଟିଯିବ ମଥୁରାନଗରୀ ଭାବରେ । ଆଉ ଶାସନ ଭାର ଚାଲିଯିବ ମହାରାଜ କଂସଙ୍କ ହାତକୁ । ୧୧ ଦିନ ଧରି ମଧୁରା ନଗରୀରେ କଂସର ଅତ୍ୟାଚାରରେ ହେବ ଥରହର। ବୁଧବାର ଉଦ୍ଘାଟନ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛିି । ବରଗଡ ହାଟପଦାରେ ମହାରାଜ କଂସଙ୍କ ରାଜଦରବାର, ଲୋକମଣ୍ଡପ ପଡିଆରେ ରଂଗ ମହଲ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନୁରୂପ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱାଗତ୍ କରିବା ପାଇଁ ସଜେଇ ହୋଇଛି ଗୋପପୁର ଅମ୍ବାପାଲି । ବୁଧବାର ଅପରାହ୍ନରେ ପ୍ରଚାର ପ୍ରସାର କମିଟୀ ତରଫରୁ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହେବ ୭୮ ତମ ବରଗଡ ଧନୁଯାତ୍ରା ।
୧୧ ଦିନ ଧରି ପାଳିତ ହେଉଥିବା ଏହି ଧନୁଯାତ୍ରା ପାଇଁ ବରଗଡ ସହର ଚଳଚଞ୍ଚଳ ହୋଇପଡିଛି । ସହର ସାରା ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଛି ଧନୁଯାତ୍ରା ପାଇଁ । ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ପହଂଚିବ । ସେଠାରେ ଯାତ୍ରାର ସଫଳତା ନେଇ ପୁଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଶୋଭାଯାତ୍ରା ରାଜଦରବାରରେ ପହଚିଂବା ପରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହେବ ୭୮ ତମ ବରଗଡ ଧନୁଯାତ୍ରା । ଅପରପକ୍ଷେ କଳାକାରମାନେ ଶେଷ ପର୍ଯ୍ୟାୟରେ ମଂଚରେ ରିହର୍ସାଲ କରିଛନ୍ତି । ଧନୁଯାତ୍ରା ପାଇଁ ହାଟପଦାଠାରେ ରାଜଦରବାର ଏବଂ ଲୋକମଣ୍ଡପ ପଡିଆଠାରେ ରଙ୍ଗମହଲ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ସୁଶୀଲ ମେହେର ବରଗଡ ଧନୁଯାତ୍ରାର ମହାନାୟକ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ ସ୍ୱପ୍ନିଲ ମହାପାତ୍ର ଭଗବାନ ଶ୍ରୀକୃଷ୍ଣ, ଦିବ୍ୟାଂଶୁ ବିର୍ତ୍ତିଆ ବଲରାମ ଏବଂ ସାଇନା ପ୍ରଧାନ ରାଧା ଭୂମିକାରେ ଅଭିନୟ କରୁଛନ୍ତି । ଡିସେମ୍ବର ୨୪ ରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଏହି ଧନୁଯାତ୍ରା ଆୟୋଜିତ ହେବ । ଚଳିତ ବର୍ଷ ବରଗଡ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ଲାଗି ପଡିଥିବା ବେଳେ ମଥୁରାବାସୀ ଅପେକ୍ଷା କରି ରହିଛନ୍ତି ସେହି ଶୁଭମୁହୁର୍ତ୍ତକୁ ।
Samir Kumar Rout