ରାତ୍ର ଭୋଜନ ଖାଇ ଗୋଟିଏ ପରିବାରର ତିନି ମୃତ
ଅନୁଗୁଳ : ରାତ୍ର ଭୋଜନ ଖାଇ ଗୋଟିଏ ପରିବାରର ତିନି ମୃତ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ରାତ୍ର ଭୋଜନରେ ଚିକେନ୍ ଓ ପାଳଙ୍ଗ ଶାଗ ଖାଇ ମା’ ଏବଂ ଦୁଇ ପୁଅ ଏକାଠି ଶୋଇଥିଲେ । ହେଲେ ସକାଳ ସମୟରେ ବହୁ ସମୟ ଧରି କବାଟ ଖୋଲିନଥିଲେ। ପଡୋଶୀ ଲୋକଙ୍କ ସନ୍ଦେହ ହେବାରୁ ଘରର କବାଟ ଭାଙ୍ଗି କବାଟ ଖୋଲିଥିଲେ । ଏହାପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମେଡିକାଲରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକମାନେ ହେଲେ ଇଟାପ ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ଦୁଇ ପୁଅ ପିଣ୍ଟୁ ଓ ଲିଣ୍ଟୁ ସାହୁ । ତେବେ ଫୁଡ୍ ପଏଜନିଂ ହେଉ ଅବା ଅନ୍ୟ କେଉଁ କାରଣରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି ତାହା ଏବେ ଜଣାପଡିନାହିଁ । ଅନୁଗୋଳ ଓ କଣ୍ଟାବଣିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Samir Kumar Rout