ବାଲେଶ୍ୱରରେ ପ୍ରଦୂଷଣ କଟକଣା : ସଂଧ୍ୟା ୬ରୁ ସକାଳ ୧୦ ନିର୍ମାଣ କାର୍ଯ୍ୟ ବନ୍ଦ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ ପ୍ରଦୂଷିତ ବାୟୁର ମାତ୍ରାକୁ ଦୃଷ୍ଟିରେ ରଖି ଏବଂ ଗ୍ରାଫ୍ ଷ୍ଟେଜ-୨ ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା–୧୬୩ ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ନିୟନ୍ତ୍ରଣାତ୍ମକ ପଦକ୍ଷେପ ଲାଗୁ କରାଯାଇଛି । ଏହି ଆଦେଶ ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନଏସି ଓ ମ୍ୟୁନିସିପାଲଟି ଅଞ୍ଚଳରେ ବଳବତ୍ତର ଆଗାମୀ ୭ ଦିନ ଯାଏଁ ବଳବତ୍ତର ରହିବ । ଆବଶ୍ୟକ ପଡିଲେ ଏହାର ଅବଧି ବୃଦ୍ଧି ପାଇବ । ଲାଗୁ ହୋଇଥିବା ପ୍ରମୁଖ ନିଷେଧାଜ୍ଞା; ପ୍ରତିଦିନ ସନ୍ଧ୍ୟା ୬ଟାରୁ ପ୍ରଭାତ ୧୦ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନିଷିଦ୍ଧ । ପୌରପାଳିକା ସୀମା ଭିତରେ ଭଙ୍ଗାରୁଜା ଓ ମାଟି କାମ ସଂପୂର୍ଣ୍ଣ ଭାବେ ନିଷିଦ୍ଧ ।
ପୌରପାଳିକା ପକ୍ଷରୁ ସମସ୍ତ ରାସ୍ତାରେ ଦିନକୁ ଅତି କମ୍ରେ ୩ ଥର ପାଣି ପକାଯିବ । ବାଲେଶ୍ୱର ସହର ଓ ଅନ୍ୟ ୟୁଏଲବି ଅଞ୍ଚଳରେ ଭାରି ଟ୍ରକ୍ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ । ଆବର୍ଜନା ଖୋଲା ଜଳାଇବା, ଢାବାରେ କୋଇଲା ଜଳାଇବା ଏବଂ ଯେକୌଣସି ପ୍ରକାର ଖୋଲା ଅଗ୍ନି ସଂପୂର୍ଣ୍ଣ ନିଷିଦ୍ଧ । ଉପଜିଲ୍ଲାପାଳ, ବାଲେଶ୍ୱର/ନୀଳଗିରି ଏବଂ ଆରଟିଓ, ବାଲେଶ୍ୱର ପକ୍ଷରୁ କୋଇଲା, ସାନ ଓ ବଡ଼ ଖଣିଜ ଏବଂ ଫ୍ଲାୟ ଆଶ ଭରା ଟ୍ରକ୍ମାନଙ୍କ ଦିନରେ ଚଳାଚଳ ଉପରେ ପୃଥକ ନିୟନ୍ତ୍ରଣ ଜାରି କରାଯିବ । ବିନା ଟର୍ପୋଲିନ ଟ୍ରକ୍ଗୁଡ଼ିକୁ ଏନଏଚ-୧୬, ରାଜ୍ୟ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ଓ ଅନ୍ୟାନ୍ୟ ରାସ୍ତାରେ ଚଳାଚଳକୁ ଅନୁମତି ମିଳିବ ନାହିଁ । ଯଥୋଚିତ ଅନୁମତି ବିନା କୌଣସି ଇଟା ଭାଟି ଚାଲିବ ନାହିଁ। ଏନଏଚଏଆଇ ଏବଂ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମସ୍ତ ନିର୍ମାଣ ସ୍ଥଳରେ ନିୟମିତ ପାଣି ଛିଟାକୁ ସୁନିଶ୍ଚିତ କରିବେ ।
ଆପତକାଳୀନ ଦୃଷ୍ଟିରେ ଏହି ଆଦେଶ ବିଏନଏସଏସ ଧାରା–୧୬୩(୨) ଅନୁଯାୟୀ ଜାରି କରାଯାଇଛି । ପୁଲିସ, ପୌରପାଳିକା, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ ଆରଟିଓକୁ କଡାକଡି ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପଜିଲ୍ଲାପାଳ, ବାଲେଶ୍ୱର ଓ ନୀଳଗିରି ପକ୍ଷରୁ ପ୍ରତିଦିନ ନିରୀକ୍ଷଣ କରି ଅନୁସରଣ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦାଖଲ କରାଯିବ । ଜିଲ୍ଲା ପ୍ରଶାସନ ସମସ୍ତ ନାଗରିକ, ବ୍ୟବସାୟୀ ଓ ସଂପୃକ୍ତ ସଂସ୍ଥାମାନଙ୍କୁ ସାଧାରଣ ହିତ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛି ।
Samir Kumar Rout