ମୁନା ଭାଇ ‘ଭୁଲଭୁଲେୟା’
ଭୁବନେଶ୍ୱର : ବ୍ରିଜର ନାଁ ହଳଦିଆପଦର ରେଳବାଇ ଓଭରବ୍ରିଜ୍ । କିଏ ତାକୁ କହେ ମୁଣ୍ଡଖିଆ ତ, ଆଉ କିଏ କହେ ରକ୍ତପିଆ । ପ୍ରତି ସପ୍ତାହରେ ସେଇ ଓଭରବ୍ରିଜ୍ ପାଇଁ ମୁଣ୍ଡ ଯିବା ଥୟ । ପାଖାପାଖି ଗୋଟିଏ ଯୁଗ ଧରି ଏମିତି ଚାଲିଛି । ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରନ୍ତି । କିଛିଦିନ ପରେ ପୁଣି ଯାହାକୁ ସେଇଆ । ଏବେ କିନ୍ତୁ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ହଠାତ୍ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏହି ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଡ଼କୁ ନିଶାନା ସାଧିଛନ୍ତି । ନାଁ ନନେଇ ବୁଲେଇ ବାଙ୍କେଇ ସେ କହିଛନ୍ତି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସିଦ୍ଧାନ୍ତଙ୍କୁ ବି ସମାଲୋଚିତ ହେବାକୁ ପଡ଼ିଛି ।
ହଳଦିଆପଦର ରେଳବାଇ ଓଭରବ୍ରିଜ୍କୁ ନେଇ ସିଦ୍ଧାନ୍ତଙ୍କ ଟିପ୍ପଣୀ ଉପରେ ସୋସିଆଲ ମିଡ଼ିଆରେ ‘ମୁନାଭାଇ ଭୁଲଭୁଲେୟା’ ବୋଲି କହିବାକୁ ପଛାଇନାହାନ୍ତି । କାହିଁକିନା ଏଥିପାଇଁ ସେ ବି କେତେକାଂଶରେ ଦାୟୀ । ଯେଉଁ ସମୟରେ ଏହି ବ୍ରିଜର ଡିଜାଇନ୍ ପ୍ରସ୍ତୁତ ହୋଇଥିଲା ସେହି ସମୟରେ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରର ସାଂସଦ ଥିଲେ । ଯଦି ଡିଜାଇନଟି କାହାର ସ୍ୱାର୍ଥ ପାଇଁ ବଦଳୁଥିଲା ତେବେ ସେ ସମୟରେ ସିଦ୍ଧାନ୍ତ କରୁଥିଲେ କ’ଣ ? ଯଦି ସିଦ୍ଧାନ୍ତ କହିବେ ସେ ଜାଣିନଥିଲେ, ତେବେ ଆମର ପ୍ରଶ୍ନ ହେଉଛି, ସାଂସଦ ଭାବେ ସେ କି ଦାୟିତ୍ୱ ନିର୍ବାହ କରୁଥିଲେ ? ଆଉ ଯଦି ସବୁ ଜାଣି ମଉସାଙ୍କ ସ୍ୱାର୍ଥ ପାଇଁ ଚୁପ୍ ରହିଥିବେ ତେବେ ତାହା ଆହୁରି ସଂଗୀନ କଥା । ସେମିତି ହୋଇଥିଲେ ଏ ପ୍ରସଙ୍ଗରେ କହିବାର ନୈତିକ ଅଧିକାର ବି ତାଙ୍କର ନାହିଁ । ବରଂ ନିଜେ ବି ପକ୍ଷଭୁକ୍ତ ଥିଲେ କହିଲେ ଭୁଲ୍ ହେବନି ।
୨୦୧୩-୧୪ରୁ ଆରମ୍ଭ ହୋଇଥିଲା ଏହି ବ୍ରିଜ୍ କାମ । ଇତିମଧ୍ୟରେ ଗୋଟିଏ ଯୁଗ ଅତିକ୍ରାନ୍ତ ହୋଇସାରିଲାଣି । ବ୍ରିଜର ଡିଜାଇନ୍ ତ୍ରୁଟି ରହିଛି ବୋଲି ସରକାର ବି ଅନେକ ଦିନ ତଳୁ ଜାଣି ସାରିଥିଲେ । କିନ୍ତୁ ଏଯାଏଁ ସେ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି? ଏବେ ସୁପ୍ରିମକୋର୍ଟଙ୍କ ସଡ଼କ ନିରାପତ୍ତା ଟିମର ଟିପ୍ପଣୀ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସ ବିଧାୟକ ରମେଶ ଜେନା ସିଧାସଳଖ ଭାବେ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁର ମେୟରଙ୍କୁ ଟାର୍ଗେଟ୍ କରିଛନ୍ତି । ବାସ୍ତବରେ ଏହି ଡିଜାଇନରେ ଉଦ୍ଦେଶ୍ୟମୂଳକ ଭାବେ ତ୍ରୁଟି କରାଯାଇଥିଲା । ସାଧାରଣତଃ ଓଭରବ୍ରିଜ୍ ସିଧାସଳଖ ଏନଏଚରେ ମିଶିଥାଏ । ତା’ର ମୂଳ ଡିଜାଇନ୍ ମଧ୍ୟ ସେମିତି ହିଁ ଦ୍ଭ ଥିଲା । କିନ୍ତୁ ତାହାକୁ ବୁଲେଇବଙ୍କେଇ କରାଯାଇଛି । ଫଳରେ ଡିଭାଇଡ଼ରରେ ବୁଲି ଏନଏଚକୁ ଉଠିବାକୁ ପଡୁଛି । ଯେଉଁଥିପାଇଁ ତାହା ଏବେ ବ୍ଳାକସ୍ପଟ ପାଲଟିଯାଇଛି । ଯଦି ଏନେଇ ସରକାର ତ୍ୱରିତ ପଦକ୍ଷେପ ନନିଅନ୍ତି ତେବେ ରାଜରାସ୍ତା ସେମିତି ରକ୍ତ ପିଇ ଚାଲିଥିବ ।