ଭିଜିଲାନ୍ସ ଜାଲରେ ଆଇଆଇସି
ଜୟପୁର : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ କାର୍ଯ୍ୟରତ ଦଶମନ୍ତପୁର ଥାନାର ଆଇଆଇସି ସୁକୁମା ହାଁସଦା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, ଦଶମନ୍ତପୁର ଥାନା କେସ୍ ନମ୍ବର ୧୪୫/୨୦୨୫ରେ ଅଭିଯୁକ୍ତଙ୍କୁ ସହଯୋଗ କରିବା ପାଇଁ ଆଇଆଇସି ସୁକୁମା ହାଁସଦା ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ । ଏହି ଟଙ୍କା ଗ୍ରହଣ କରୁଥିବା ସମୟରେ କୋରାପୁଟ ଓ ଜୟପୁର ଭିଜିଲାନ୍ସ ଟିମ୍ ଯୁଗ୍ମଭାବେ ଚଢ଼ାଉ କରି ତାଙ୍କୁ ଧରିଥିଲେ । ଲାଞ୍ଚ ଦାବିରେ ପୀଡ଼ିତ ହୋଇ ଅନ୍ୟ କୌଣସି ଉପାୟ ନ ପାଇ ସ୍ଥାନୀୟ ନାଗରିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଚଢ଼ାଉ ସମୟରେ ସମ୍ପୂର୍ଣ୍ଣ ୨୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି । ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶନାରେ ଏହି ଚଢ଼ାଉରେ ଇନ୍ସିପେକ୍ଟର ସଞ୍ଜୟ କୁମାର ପ୍ରଧାନ, ଇନ୍ସିପେକ୍ଟର ସୂର୍ଯ୍ୟପ୍ରକାଶ ନାୟକ, ଡିଏସ୍ପି ସଦାନନ୍ଦ ପାଣି, ସାବିତ୍ରୀ ପ୍ରଧାନ, ସନ୍ତୋଷୀ ବାରିକ ସହ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ ।