ହାତୀପଲ ମଝି ରାସ୍ତାରେ ଅଟକିଲେ
ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ପୁତୁଲୁପାଣି ରାସ୍ତାରେ ମଙ୍ଗଳବାର ସକାଳେ ଏକ ହାତୀ ଦଳ ରାସ୍ତା ପାର ହୋଇ ପାରି ନ ଥିବାରୁ ରାସ୍ତା କଡ଼ରେ ଥିବା ଜଙ୍ଗଲରେ ଅଟକି ଯାଇଥିଲେ। ବହୁ ସଂଖ୍ୟାରେ ଟ୍ରକ୍ ଚଳାଚଳ କରୁଥିବାରୁ ହାତୀମାନେ ଅନେକ ସମୟରେ ରାସ୍ତା ପାର ହୋଇ ପାରୁନଥିବା ବେଳେ ରାସ୍ତାକଡ଼ ଓ ମଝିରେ ଥିବା ବାଡ଼ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଖବର ପାଇ ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ଜାଣିଥିଲା। ବନ ବିଭାଗର ଟିମ୍ ପହଞ୍ଚି ରାସ୍ତାକୁ କିଛି ସମୟ ଗାଡ଼ି ଯାତାୟାତ ବନ୍ଦ କରି ହାତୀମାନଙ୍କୁ ସୁରକ୍ଷିତ ରାସ୍ତାପାର କରିଥିଲେ। ରାସ୍ତାର ଅବରୋଧକୁ ହଟାଇ ଯାତାୟାତ ସୁବିଧା କରାଯିବ ବୋଲି ଡିଏଫ୍ଓ, କେନ୍ଦୁଝର ଧନରାଜ ଏଚ୍ ଡି କହିଛନ୍ତି। ଏହି ଅଞ୍ଚଳରେ ହାତୀମାନେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାତାୟାତ କରିଥାନ୍ତି। ଖଣି ଅଞ୍ଚଳକୁ ବହୁ ସଂଖ୍ୟାରେ ଟ୍ରକ ଚଳାଚଳ ଯୋଗୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି ହେଉଛି।