ପୁଣି ୨୨ ମାଓବାଦୀଙ୍କ ଆତ୍ମସମର୍ପଣ : ୨କୋଟିରୁ ଅଧିକ ଟଙ୍କାର ଥିଲା ପୁରସ୍କାର ରାଶି 

ପୁଣି ୨୨ ମାଓବାଦୀଙ୍କ ଆତ୍ମସମର୍ପଣ : ୨କୋଟିରୁ ଅଧିକ ଟଙ୍କାର ଥିଲା ପୁରସ୍କାର ରାଶି 

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସ୍‌କୁ ପୁଣି ଏକ ବଡ଼ ସଫଳତା । ଦିନକୁ ଦିନ ଭୁଶୁଡିବାରେ ଲାଗିଛି ଲାଲ୍‌ ଗଡ଼ । ଆଜି ମାଲକାନାଗିରି ପୁଲିସ ନିକଟରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ସାମିଲ ଥିବା ସୂଚନା ମିଳିଛି । ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍‌ ଡିଜି ୱାଇବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଜିଲ୍ଲା ପୁଲିସ୍‌ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ପୋଲିସ ଡିଜି ୱାଇବି ଖୁରାନିଆ, ଡ଼ିଆଇଜି କନୱର ବିଶାଲ ସିଂ,ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ପୋଲିସ ଡିଜି ଆତ୍ମସମର୍ପଣ ପାଇଁ ଆବାହନ ଦେଇ କହିଛନ୍ତି, ହିଂସାର ପଥ ଛାଡି ଆତ୍ମସମର୍ପଣ କରିଲେ ସରକାରୀସ୍ତରରେ ସେମାନଙ୍କୁ ସମସ୍ତ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ।


    ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ୨କୋଟି ୨୫ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ରାଶି ଥିଲା । ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ୍‌ ଡିଜି କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ଆନ୍ଧ୍ର ଓଡିଶା ବର୍ଡରଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଛନ୍ତି  । ବହୁ ବଡ଼ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ ।